ହରିୟାଣା ବିଧାନସଭାରେ ଐତିହାସିକ ବିଧେୟକ ଗୃହୀତ : ସରପଞ୍ଚଙ୍କ କାର୍ଯ୍ୟକାଳ ଶେଷ ପୂର୍ବରୁ ହଟାଇବା ପାଇଁ ଲୋକଙ୍କୁ ଅଧିକାର ପ୍ରଦାନ

ଚଣ୍ଡିଗଡ଼ : କୌଣସି ନିର୍ବାଚିତ ଜନ ପ୍ରତିନିଧିଙ୍କୁ ଅବଧି ପୂର୍ବରୁ କ୍ଷମତାଚ୍ୟୂତ କରିବା ପାଇଁ ପ୍ରଥମ ରାଜ୍ୟ ଭାବେ ଆଇନ ଆଣିଛି ହରିୟାଣା। ଶନିବାର ରାଜ୍ୟ ବିଧାନସଭାରେ କୌଣସି ସରପଞ୍ଚଙ୍କୁ କାର୍ଯ୍ୟକାଳ ଶେଷ ପୂର୍ବରୁ ହଟାଇବା ପାଇଁ ଲୋକଙ୍କୁ ଅଧିକାର ପ୍ରଦାନ ବା ‘ରାଇଟ୍‌ ଟୁ ରି-କଲ୍‌’ ସମ୍ପର୍କିତ ଐତିହାସିକ ବିଧେୟକ ଗୃହୀତ ହୋଇଛି। ଏଥିପାଇଁ ସରକାର ରାଜ୍ୟ ପଞ୍ଚାୟତିରାଜ୍‌ ଆଇନରେ ସଂଶୋଧନ ଆଣିଛନ୍ତି। ଜନନାୟକ ଜନତା ପାର୍ଟି (ଜେଜେପି) ମୁଖ୍ୟ ତଥା ଉପମୁଖ୍ୟମନ୍ତ୍ରୀ ଦୁଷ୍ୟନ୍ତ ଚୌଟାଲା ବିଧାନସଭାରେ ଏହି ବିଧେୟକ ଆଗତ କରିବା ପରେ ଏହା ବହୁମତରେ ଗୃହୀତ ହୋଇଛି। ସରପଞ୍ଚଙ୍କ ଉପରେ ପଞ୍ଚାୟତବାସୀ ଅସୁଖୀ ଥିଲେ ଗ୍ରାମର ୩୩ପ୍ରତିଶତ ମତଦାତାଙ୍କ ଦସ୍ତଖତକ୍ରମେ ସରପଞ୍ଚଙ୍କୁ ପଦରୁ ହଟାଇବା ପାଇଁ ନୋଟିସ ଦିଆଯାଇପାରିବ ବୋଲି ବିଧେୟକରେ ବ୍ୟବସ୍ଥା ରହିଛି। ଲୋକସଭା ଓ ବିଧାନସଭା ସଦସ୍ୟଙ୍କ କ୍ଷେତ୍ରରେ ଏଭଳି ‘ରାଇଟ୍‌ ଟୁ ରି-କଲ୍‌’ ବ୍ୟବସ୍ଥା ପ୍ରବର୍ତ୍ତନ ପାଇଁ ଦେଶରେ ଦୀର୍ଘ କାଳ ଧରି ଦାବି ହୋଇଆସୁଥିଲାବେଳେ ହରିୟାଣା ସରକାର ଏ ଦିଗରେ ପଥ ପ୍ରଦର୍ଶନ କରିଛନ୍ତି।

ଏହା ଭାରତୀୟ ଗଣତନ୍ତ୍ର ତଥା ପଞ୍ଚାୟତିରାଜ୍‌ ବ୍ୟବସ୍ଥାରେ ଏକ ବୈପ୍ଳବିକ ପଦକ୍ଷେପ ବୋଲି ଚୌଟାଲା କହିଛନ୍ତି। ‘ରାଇଟ୍‌ ଟୁ ରି-କଲ୍‌’ ଆଇନାନୁସାରେ ପଞ୍ଚାୟତର ୩୩ପ୍ରତିଶତ ମତଦାତାଙ୍କ ଦସ୍ତଖତକ୍ରମେ ଏକ ପ୍ରସ୍ତାବ ସ୍ଥାନୀୟ ବିଡିଓ, ପଞ୍ଚାୟତ ଅଧିକାରୀ ଓ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ପ୍ରଦାନ କରାଯିବ। ପରେ ଗ୍ରାମସଭା ଆହ୍ବାନ କରାଯାଇ ପ୍ରସ୍ତାବ ଉପରେ ବିଚାରବିମର୍ଶ କରାଯିବ। ଏହି ଆଲୋଚନା ପରେ ତୁରନ୍ତ ମତଦାତା ଗୁପ୍ତ ଭୋଟ୍‌ ଜରିଆରେ ସେମାନଙ୍କ ଅଧିକାର ସାବ୍ୟସ୍ତ କରିବେ। ସରପଞ୍ଚଙ୍କ ବିରୋଧରେ ଯଦି ୬୭ପ୍ରତିଶତରୁ ଅଧିକ ଭୋଟ୍‌ ପଡ଼େ; ତେବେ ସେ ପଦଚ୍ୟୂତ ହେବେ। ଏତଦ୍‌ବ୍ୟତୀତ ଏହି ଆଇନାନୁସାରେ ସରପଞ୍ଚ ଯଦି ଗୋଟିଏ ବର୍ଷର କାର୍ଯ୍ୟକାଳ ପୂର୍ଣ୍ଣ କରିସାରିଥିବେ; ତେବେ ତାଙ୍କୁ ଅନାସ୍ଥା ପ୍ରସ୍ତାବ ମାଧ୍ୟମରେ ପଦରୁ ହଟାଇ ଦିଆଯାଇପାରିବ। ଦୁଇ-ତୃତୀୟାଂଶ ଭୋଟ୍‌ରେ ଏହି ପ୍ରସ୍ତାବ ସରପଞ୍ଚଙ୍କ ବିରୋଧରେ ଗୃହୀତ ହେବା ଆବଶ୍ୟକ।

Comments are closed.