କରୋନା ପୀଡ଼ିତଙ୍କୁ ସହାୟତାର ହାତ ବଢାଇଲେ ହର୍ଷବର୍ଦ୍ଧନ: ନିଜ ବାଇକ୍‌ ବିକି କିଣିବେ ଅକ୍ସିଜେନ କନ୍‌ସନ୍‌ଟ୍ରେଟର

ମୁମ୍ବଇ: ଭାରତରେ କରୋନା ନିଜ କାୟା ବିସ୍ତାର କରି ଚାଲିଛି। ଲୋକଙ୍କ ଚିକିତ୍ସା ପାଇଁ କିଛି ରାଜ୍ୟରେ ଅକ୍ସିଜେନର ଘୋର ଅଭାବ ଦେଖାଦେଇଛି। ଏଭଳି ଘଡ଼ିସନ୍ଧି ମୂହୁର୍ତ୍ତରେ କିଛି ସଂସ୍ଥା ଓ ସେଲିବ୍ରିଟି ଲୋକଙ୍କ ସହାୟତା ପାଇଁ ଆଗକୁ ଆସିଛନ୍ତି। ଏବେ ‘ସନମ୍‍ ତେରି କସମ୍‍’ ଚଳଚ୍ଚିତ୍ର ଅଭିନେତା ହର୍ଷବର୍ଦ୍ଧନ ରାଣେ ଲୋକଙ୍କ ସମସ୍ୟା ଦେଖି ସାହାଯ୍ୟର ହାତ ବଢାଇଛନ୍ତି। ଏପରିକି ଅଭିନେତା ଅକ୍ସିଜେନ୍‍ କନ୍‌ସନ୍‌ଟ୍ରେଟର କିଣିବା ପାଇଁ ନିଜ ବାଇକ୍‍ ବିକିବାକୁ ନିଷ୍ପତ୍ତି ନେଇଛନ୍ତି।

ହର୍ଷବର୍ଦ୍ଧନ ନିଜ ଇନ୍‍ଷ୍ଟାଗ୍ରାମ ଆକାଉଣ୍ଟରେ ବାଇକ୍‍ ସଫା କରୁଥିବା ବେଳର ଏକ ଫଟୋ ଶେୟାର କରି ଲେଖିଛନ୍ତି, “ମୁଁ ମୋ ବାଇକ୍‍ ପ୍ରତିବଦଳରେ କିଛି ଅକ୍ସିଜେନ କନ୍‍ସନ୍‍ଟ୍ରେଟର ଆଣିବି, ଯାହାକି କୋଭିଡ଼୍‍ ସହ ସଂଘର୍ଷ କରୁଥିବା କିଛି ଲୋକଙ୍କ କାମରେ ଲାଗିପାରିବ। ଦୟାକରି ହାଇଦ୍ରାବାଦରେ ଭଲ ଅକ୍ସିଜେନ୍‍ କନ୍‍ସନ୍‍ଟ୍ରେଟର ଖୋଜିବାରେ ମୋତେ ସାହାଯ୍ୟ କରନ୍ତୁ”।

ସୂଚନାଯୋଗ୍ୟ, ହର୍ଷବର୍ଦ୍ଧନ ‘ସନମ ତେରି କସମ୍‍’ ଓ ‘ପଲଟନ’ ଆଦି ଫିଲ୍ମରୁ ଲୋକପ୍ରିୟତା ହାସଲ କରିଛନ୍ତି। ଶେଷଥର ପାଇଁ ସେ ‘ତୈଶ’ରେ ନଜର ଆସିଥିଲେ। ଗତ ବର୍ଷ ହର୍ଷବର୍ଦ୍ଧନ କରୋନା ସଂକ୍ରମିତ ହୋଇ ଆଇସିୟୁରେ ଭର୍ତ୍ତି ହୋଇଥିଲେ।

Comments are closed.