ଡାକ୍ତରଙ୍କୁ ସୁରକ୍ଷା ଦିଅ: ମମତାଙ୍କୁ କହିଲେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ

ନୂଆଦିଲ୍ଲୀ: କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଡକ୍ଟର ହର୍ଷ ବର୍ଦ୍ଧନ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପାଖକୁ ଏକ ଚିଠି ଲେଖି ଡାକ୍ତରମାନେ ସୌହାର୍ଦ୍ଦ୍ୟପୂର୍ଣ୍ଣ ଭାବେ ସେମାନଙ୍କର ଧର୍ମଘଟ ବନ୍ଦ କରିବା ପାଇଁ ପଦକ୍ଷେପ ନେବା ଓ ସେମାନଙ୍କୁ ଏକ ନିରାପଦ ବାତାବରଣ ଯୋଗାଇବାକୁ ଅନୁରୋଧ କରିଛନ୍ତି। ସେ କହିଛନ୍ତି, ଡାକ୍ତରମାନଙ୍କର ଧର୍ମଘଟ ସମଗ୍ର ଦେଶରେ ରୋଗୀମାନଙ୍କ ପାଇଁ ଏକ କଷ୍ଟକର ପରିସ୍ଥିତି ସୃଷ୍ଟି କରିଛି ଓ ସମଗ୍ର ଦେଶରେ ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ ହୋଇପଡ଼ିଛି।

ଶୁକ୍ରବାର ସକାଳେ ଡକ୍ଟର ହର୍ଷବର୍ଦ୍ଧନ ଏମ୍‍ସ୍‍, ସଫଦରଜଙ୍ଗ ହସ୍ପିଟାଲ୍‍, ଡକ୍ଟର ରାମମନୋହର ଲୋହିଆ ହସ୍ପିଟାଲ୍‍ ଓ ରେସିଡେଣ୍ଟ ଡାକ୍ତର ସଂଘର ପ୍ରତିନିଧିମାନଙ୍କ ସହ କଥାବାର୍ତ୍ତା କରିଥିଲେ। ପଶ୍ଚିମବଙ୍ଗରେ ଡାକ୍ତରମାନଙ୍କ ଉପରେ ଆକ୍ରମଣ ବିଷୟରେ ସେମାନେ ତାଙ୍କୁ ଜଣାଇଥିଲେ। ମନ୍ତ୍ରୀ କହିଛନ୍ତି, ଡାକ୍ତରମାନଙ୍କୁ ସୁରକ୍ଷା ଯୋଗାଇ ଦେବା ପାଇଁ ସେ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ସହ ଆଲୋଚନା କରିବେ ଓ ଏ ବିଷୟରେ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ସ୍ୱାସ୍ଥ୍ୟମନ୍ତ୍ରୀମାନଙ୍କ ସହ କଥାବାର୍ତ୍ତା କରିବେ। ଡାକ୍ତରମାନଙ୍କୁ ସେମାନଙ୍କ କାର୍ଯ୍ୟରେ ସହଯୋଗ କରିବାକୁ ସେ ରୋଗୀମାନଙ୍କ ଆତ୍ମୀୟମାନଙ୍କୁ ପରାମର୍ଶ ଦେଇଛନ୍ତି।

Comments are closed.