ହରମନ୍‌ପ୍ରୀତ ଟ୍ବେଣ୍ଟି-୨୦ ଅଧିନାୟିକା

0

ଦୁବାଇ : ଆଇସିସି ପକ୍ଷରୁ ୨୦୧୮ ପାଇଁ ସୋମବାର ମହିଳା ଟ୍ବେଣ୍ଟି-୨୦ ଓ ଦିନିକିଆ ଦଳ ଘୋଷଣା କରାଯାଇଛି। ଭାରତର ହରମନପ୍ରୀତ କୌର ଟ୍ବେଣ୍ଟି୨୦ ଦଳର ଅଧିନାୟିକା ନିଯୁକ୍ତ ହୋଇଥିବାବେଳେ ସ୍ମୃତି ମାନ୍ଧାନା ଓ ପୁନମ ଯାଦବ ଅନ୍ୟ ଭାରତୀୟଭାବେ ଦଳରେ ସ୍ଥାନ ପାଇଛନ୍ତି। ଅପରପକ୍ଷରେ ନ୍ୟୁଜିଲାଣ୍ଡର ସୁଜି ବେଟ୍‌ସ ଆଇସିସି ଦିନିକିଆ ଦଳର ଅଧିନାୟିକା ମନୋନୀତ ହୋଇଥିବାବେଳେ ମାନ୍ଧାନା ଓ ପୁନମ ମଧ୍ୟ ଦଳରେ ସ୍ଥାନ ପାଇଛନ୍ତି। ପୂର୍ବତନ ମହିଳା କ୍ରିକେଟର ଲିସା ଷ୍ଟାଲେକର, ଚାର୍ଲୋଟ୍‌ ଏଡ୍‌ୱାର୍ଡସ ଓ ଅଞ୍ଜୁମ ଚୋପ୍ରାଙ୍କ ସମେତ ଏକାଧିକ ନାମୀ କ୍ରୀଡା ସାମ୍ବାଦିକଙ୍କୁ ନେଇ ଗଠିତ ଭୋଟିଂ ଏକାଡେମୀ ଏହି ଦଳ ମନୋନୟନ କରିଥିବା ପ୍ରକାଶ।
ହରମନପ୍ରୀତ ନିକଟରେ ୱେଷ୍ଟଇଣ୍ଡିଜରେ ଆୟୋଜିତ ମହିଳା ଟ୍ବେଣ୍ଟି୨୦ ବିଶ୍ବକପରେ ଭାରତର ନେତୃତ୍ବ ନେଇ ଦଳକୁ ସେମିଫାଇନାଲ ପର୍ଯ୍ୟନ୍ତ ଉନ୍ନୀତ କରାଇଥିଲେ। ଟୁର୍ଣ୍ଣାମେଣ୍ଟର ପ୍ରଥମ ଲିଗ୍‌ ମ୍ୟାଚରେ ହରମନପ୍ରୀତ ପ୍ରଶଂସନୀୟ ୧୮୩ ରନ କରିଥିଲେ। ଚଳିତବର୍ଷ ସେ ୨୫ଟି ମ୍ୟାଚ ଖେଳି (୧୨୬.୨ ଷ୍ଟ୍ରାଇକ ରେଟ୍‌) ମୋଟ ୬୬୩ ରନ ସ୍କୋର କରିଛନ୍ତି। ଟ୍ବେଣ୍ଟି୨୦ ବ୍ୟାଟସମ୍ୟାନଙ୍କ ତାଲିକାରେ ହରମନପ୍ରୀତ ୩ୟ ସ୍ଥାନରେ ରହିଛନ୍ତି।
ଟ୍ବେଣ୍ଟି-୨୦ ଦଳର ଅଧିନାୟିକା ନିଯୁକ୍ତ ହୋଇଥିବାରୁ ସେ ନିଜକୁ ଭାଗ୍ୟବାନ ମନେ କରୁଛନ୍ତି ବୋଲି ହରମନପ୍ରୀତ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି। ଟ୍ବେଣ୍ଟି-୨୦ ଦଳରେ ଅଷ୍ଟ୍ରେଲିଆର ୪ ଜଣ ଖେଳାଳି ଥିବାବେଳେ ଭାରତର ୩, ନ୍ୟୁଜିଲାଣ୍ଡର ୨ ଓ ବାଂଲାଦେଶ, ଇଂଲଣ୍ଡର ଜଣେ ଲେଖାଏଁ ଖେଳାଳିଙ୍କୁ ସ୍ଥାନ ମିଳିଛି।
ଅପରପକ୍ଷରେ ଆଇସିସି ଦିନିକିଆ ଦଳରେ ୭ଟି ଦେଶର ଖେଳାଳିଙ୍କୁ ସାମିଲ କରାଯାଇଛି। ନ୍ୟୁଜିଲାଣ୍ଡର ସୁଜି ବେଟ୍‌ସଙ୍କୁ ଅଧିନାୟିକା ନିଯୁକ୍ତ କରାଯାଇଛି। ଦଳରେ ଭାରତ, ଇଂଲଣ୍ଡ, ନ୍ୟୁଜିଲାଣ୍ଡ ଓ ଦକ୍ଷିଣ ଆଫ୍ରିକାର ୨ ଜଣ ଲେଖାଏଁ ଖେଳାଳି ସ୍ଥାନ ପାଇଥିବାବେଳେ ଅଷ୍ଟ୍ରେଲିଆ, ପାକିସ୍ତାନ ଓ ୱେଷ୍ଟଇଣ୍ଡିଜରୁ ଜଣେ ଲେଖାଏଁ ଖେଳାଳିଙ୍କୁ ମନୋନୀତ କରାଯାଇଛି। ମାନ୍ଧାନା, ପୁନମଙ୍କ ବ୍ୟତୀତ ଅଷ୍ଟ୍ରେଲିଆର ଆଲିସା ହିଲି ଓ ନ୍ୟୁଜିଲାଣ୍ଡର ସୁଜି ବେଟ୍‌ସ ଉଭୟ ଟ୍ବେଣ୍ଟି୨୦ ଓ ଦିନିକିଆ ଦଳରେ ସ୍ଥାନ ପାଇଛନ୍ତି।
ଟ୍ବେଣ୍ଟି-୨୦ ଦଳ: (ବ୍ୟାଟିଂ କ୍ରମରେ)-ସ୍ମୃତି ମାନ୍ଧାନା, ଆଲିସା ହିଲି (ୱିକେଟରକ୍ଷକ), ସୁଜି ବେଟ୍‌ସ, ହରମନପ୍ରୀତ କୌର (ଅଧିନାୟିକା), ନାତାଲି ସ୍କିଭର, ଏଲିସ ପେରି, ଆସ୍‌ଲେ ଗାର୍ଡନର, ଲି କାସ୍‌ପେରେକ୍‌, ମେଗାନ ସ୍କଟ୍‌, ରୁମାନା ଅହମ୍ମଦ ଓ ପୁନମ ଯାଦବ।
ଦିନିକିଆ ଦଳ: (ବ୍ୟାଟିଂ କ୍ରମରେ)-ସ୍ମୃତି ମାନ୍ଧାନା, ଟାମି ବିମୋଣ୍ଟ, ସୁଜି ବେଟ୍‌ସ (ଅଧିନାୟିକା), ଡେନ୍‌ ଭାନ୍‌ ନିକର୍କ, ସୋଫି ଡିଭାଇନ, ଆଲିସା ହିଲି, ମାରିଜାନ୍‌ କାପ୍‌, ଡିଆଣ୍ଡ୍ରା ଡଟିନ୍‌, ସାନା ମୀର, ସୋଫି ଏକ୍ଲିଷ୍ଟୋନ ଓ ପୁନମ ଯାଦବ।

Leave A Reply