ହରିୟାଣା କଂଗ୍ରେସ ମୁଖପାତ୍ରଙ୍କୁ ବଜାର ମଝିରେ ଗୁଳିକରି ହତ୍ୟା

ଫରିଦାବାଦ: ନୂଆଦିଲ୍ଲୀ ନିକଟ ଫରିଦାବାଦରେ ହରିୟାଣା କଂଗ୍ରେସ ମୁଖପାତ୍ର ବିକାଶ ଚୌଧୁରୀଙ୍କୁ ଗୁଳିକରି ହତ୍ୟା କରାଯାଇଛି। ବିକାଶ ନିଜ କାରରେ ବସିଥିବାବେଳେ ଦୁର୍ବୃତ୍ତମାନେ ତାଙ୍କୁ ଗୁଳି କରି ହତ୍ୟା କରିଛନ୍ତି। ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି।

ସୂଚନା ମୁତାବକ, ଫରିଦାବାଦର ସେକ୍ଟର-୯ ବଜାରରେ ଗୁରୁବାର ସକାଳ ପ୍ରାୟ ୯ଟାରେ ଏହି ହତ୍ୟାକାଣ୍ଡ ଘଟିଛି। ବିକାଶ ମାର୍କେଟରେ ଥିବା ଏକ ଜିମ୍‌କୁ ସକାଳେ ଆସିଥିଲେ। ସେ ପ୍ରତିଦିନ ସକାଳେ ଏହି ଜିମ୍‌କୁ ଆସନ୍ତି। ଗୁରୁବାର ଜିମ୍‌ ସାରି ଘରକୁ ଯିବା ଲାଗି କାରରେ ବସିଥିଲେ। ଏହି ସମୟରେ ଦୁର୍ବୃତ୍ତମାନେ ଆସି ହଠାତ ତାଙ୍କ ଉପରକୁ ଗୁଳି ଚଳାଇ ଫେରାର ହୋଇଯାଇଥିଲେ। ଘଟଣା ପରେ ତୁରନ୍ତ ତାଙ୍କୁ ସର୍ବୋଦୟ ହସ୍ପିଟାଲକୁ ନିଆଯାଇଥିଲା। କିନ୍ତୁ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ।

ବିକାଶଙ୍କ ଉପରକୁ ପାଖାପାଖି ୧୨ ରାଉଣ୍ଡ ଗୁଳି କରାଯାଇଥିବା ସୂଚନା ମିଳିଛି। କାରଣ ପୁଲିସ ଘଟଣାସ୍ଥଳରୁ ୧୨ଟି ଖୋକା ଜବତ କରିଛି। ଆକ୍ରମଣକାରୀଙ୍କ ସମ୍ପର୍କରେ ପୁଲିସକୁ କୌଣସି ସୂଚନା ମିଳି ନାହିଁ। ହତ୍ୟାର କାରଣ ମଧ୍ୟ ଜଣାପଡ଼ିନାହିଁ। ପୁଲିସ ସହିତ ଫରେନସିକ୍‌ ଟିମ ପହଞ୍ଚି ଯାଞ୍ଚ କରୁଛନ୍ତି। ଆକ୍ରମଣରେ ୩ ଦୁର୍ବୃତ୍ତଙ୍କ ସମ୍ପୃକ୍ତି ଥିବା ସନ୍ଦେହ କରାଯାଉଛି।

Comments are closed.