ହିତାଧିକାରୀଙ୍କୁ ମିଳୁନି ହରିଶ୍ଚନ୍ଦ୍ର ଯୋଜନା ଅର୍ଥ

ଗଡ଼ମଧୁପୁର : ଗରିବ ଅସହାୟ ପରିବାରରେ କେହି ମରିଗଲେ ତାର ଶବ ସଂସ୍କାର ସହିତ ଶୁଦ୍ଧିକ୍ରିୟାରେ ଖର୍ଚ୍ଚ ନିମିତ୍ତ ତୁରନ୍ତ ସହାୟତା ପାଇଁ ରାଜ୍ୟ ସରକାର ଘୋଷଣା କରିଛନ୍ତି ହରିଶ୍ଚନ୍ଦ୍ର ଯୋଜନା। ଯାହାଦ୍ୱାରା କୌଣସି ଗରିବ ଲୋକର ମୃତ୍ୟୁ ହେଲେ ତତକାଳ ତାର ପରିବାରକୁ ୨ ହଜାର ଟଙ୍କାର ସହାୟତା ରାଶି ପଞ୍ଚାୟତ ମାଧ୍ୟମରେ ଯୋଗାଇ ଦିଆଯିବ। ଯାହାକୁ ନେଇ ଶବ ସଂସ୍କାର ସହିତ ଶୁଦ୍ଧିକ୍ରିୟା କରାଯାଇ ପାରିବ। ଧର୍ମଶାଳା ବ୍ଲକ ଅଣ୍ଟିଆ ପଂଚାୟତରେ ଏହି ଯୋଜନା କାର୍ଯ୍ୟକାରୀ ହେଉନଥିଲା ଭଳି ପ୍ରତ୍ୟୟମାନ ହେଉଛି। ଅଣ୍ଟିଆ ଗାଁରେ ବାସ କରୁଥିବା ଅସହାୟ ଗରିବ ପରିବାରଙ୍କର ମୁଖ୍ୟ ଲୋକର ମୃତ୍ୟୁପରେ ଏହି ଯୋଜନାର ସୁଫଳ ଦେଖିବାକୁ ମିଳୁନାହିଁ। ଫଳରେ ମରିପଡିଥିବା ଲୋକର ଶବଦାହ ସହିତ ଶୁଦ୍ଧିକ୍ରିୟା ପାଇଁ ଅନ୍ୟମାନଙ୍କ ପାଖରେ ହାତ ପାତିବା ସହିତ ବାର ଘର ବୁଲି ମାଗିବାକୁ ପଡିଛି ମୃତ ବ୍ୟକ୍ତିର ପରିବାର ଲୋକଙ୍କୁ। ମୃତ୍ୟୁପରେ ଶବ ପାଖରେ ପହଞ୍ଚିବା ତ ଦୂରର କଥା ସମବେଦନା ଜଣାଇନାହିାଁନ୍ତି ସ୍ଥାନୀୟ ସରପଂଚ କିମ୍ବା ତାଙ୍କ ପ୍ରତିନିଧି ସ୍ୱାମୀ ବସନ୍ତ ଜେନା। ଏଭଳି ଅଭିଯୋଗ କରିଛନ୍ତି ଅଣ୍ଟିଆ ଦଳିତ ସାହିରେ ବାସ କରୁଥିବା କୁନି ମଳିକ(୪୬)ସ୍ୱା୰ ଧୃବ ମଳିକ।

ଅଭିଯୋଗ ଅନୁଯାୟୀ, ଆଜକୁ ଦୁଇ ମାସ ହେବ ତାଙ୍କ ପରିବାରର ଏକମାତ୍ର ରୋଜଗାରିଆ ଲୋକର ହୃଦଘାତରେ ପରଲୋକ ହୋଇଥିଲା। ଯୋଗକୁ ସେଦିନ ସରପଞ୍ଚଙ୍କ ସ୍ୱାମୀ ବସନ୍ତ ଜେନା ଓ ସମିତି ସଭ୍ୟ ଅଜିତ ବରାଳ ତାଙ୍କ ଘର ସମ୍ମୁଖରେ ଭତ୍ତା ବଣ୍ଟନ କରୁଥିଲେ। ତାଙ୍କ ସମ୍ମୁଖରେ ଜଣେ ଲୋକର ମୃତ୍ୟୁ ହେବା ଦେଖି ମାନବିକତା ଆଧାରାରେ ସେ ସେଠାକୁ ଯାଇ ତାଙ୍କୁ ସାନ୍ତ୍ବନା ଦେବା ପରିବର୍ତ୍ତେ ସେ ସ୍ଥାନ ଛାଡି ଚାଲିଯାଇଥିଲେ। ପରେ ତାଙ୍କୁ ତାଙ୍କ ଘରେ ଦେଖା କରି ହରିଶ୍ଚନ୍ଦ୍ର ସହାୟତା ନିମନ୍ତେ ଗୁହାରି କରିଥିଲେ ହେଁ କିଛି ଶୁଣି ନଥିଲେ କି ଆଜି ସୁଧା ତାଙ୍କୁ ସହାୟତା ବାବଦରେ ଟଙ୍କାଟିଏ ଦେଇନଥିବା କହିଛନ୍ତି। ରୋଜଗାରକ୍ଷମ ଲୋକକୁ ହରାଇ ଦୁଃଖରେ ଭାଙ୍ଗି ପଡିଥିବା ଏହି ବିଧବା ସ୍ତ୍ରୀ ଓ ଏକମାତ୍ର ୧୬ବର୍ଷର ଝିଅ ଧାର କରଜ କରି ବାରଦ୍ୱାର ବୁଲି ମାଗି ଯାଚି ଶୁଦ୍ଧି ହୋଇଥିଲେ। ଏବେ ସେମାନଙ୍କ ଘରେ ଦିନେ ଚୁଲି ଜଳିଲେ ଦିନେ ଜଳୁନାହିଁ। ସେହିପରି ପ୍ରମିଳା ମଳିକ ସ୍ୱା୰ଧୋବା ମଳିକ ଆଜକୁ ଦେଢ ବର୍ଷ ତଳୁ ଜୀବନ ହାରାଇ ସାରିଲେଣି। ବିଧବା ସ୍ତ୍ରୀ ଲୋକ ଏବେ ଦୁଇ ନାବାଳକ ଓ ଜଣେ ନାବାଳିକାକୁ ଧରି କାଠଜାଳ ସଂଗ୍ରହ କରି ଦିନକୁ ଦୁଇମୁଠା ଖାଦ୍ୟ ଯୋଗାଡ କରିପାରିଛନ୍ତି। ହେଲେ ସ୍ୱାମୀଙ୍କ ଶୁଦ୍ଧିକ୍ରୀୟା ନିମନ୍ତେ କରିଥିବା ହାତ ଉଧାରୀ ଏବେ ମଧ୍ୟ ସୁଝି ପାରି ନାହାଁନ୍ତି। ଅନେକ ଥର ସରପଞ୍ଚଙ୍କ ଘରକୁ ଯାଇ ଯାଇ ସେଷରେ ନିରାଶ ହେଲେଣି। ହଁ ମିଳିବ କହୁଛନ୍ତି କିନ୍ତୁ ନାହିଁ। ଡାକ୍ତରୀ ସର୍ଟିଫିକେଟ ଖୋଜୁଥିବା କହିଛନ୍ତି।

ସେହିପରି ଆଉ ଜଣେ ହତଭାଗୀ କାଳୀ ମଳିକ ସ୍ୱା୰ ବିପିନ ମଳିକ ଆଜକୁ ଦୁଇମାସ ପୁର୍ବରୁ ଶଂସାର ଛାଡି ଆର ପାରିକୁ ଚାଲିଗଲେ। ଛାଡିଗଲେ ସ୍ତ୍ରୀ କାଳି ଏବଂ ଛୋଟପିଲାକୁ। ଶୁଦ୍ଧିକ୍ରିୟା ପାଇଁ ବାପଘର ଓ ବାର ଦ୍ୱାର ବୁଲି ଆବଶ୍ୟକ ଅର୍ଥ ଯୋଗାଡ କରି ଶୁଦ୍ଧି ହେଲେ କିନ୍ତୁ ଅନେକ କାକୁତି ମିନତି ପରେ ମଧ୍ୟ ସରକାରଙ୍କ ଏହି ଯୋଜନା ତାଙ୍କ କାମରେ ଆସିଲା ନାହିଁ। ଏବେ ମଧ୍ୟ ବ୍ଲକକୁ ଯାଇ ନିରାଶ ହୋଇ ଫେରିଛନ୍ତି। ପ୍ରଶାସନ ଏନେଇ କୌଣସି କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରିନାହିଁ। ଏନେଇ ୱାର୍ଡ ସଭ୍ୟା ପ୍ରମିଳା ମଳିକ ଓ ତାଙ୍କ ସ୍ୱାମୀ କୁମର ମଳିକଙ୍କୁ ପଚାରିବାରୁ ସେ କହନ୍ତି, ମୁଁ ନିଜେ ଏହି ବିଚାରି ପାଞ୍ଚଜଣଙ୍କର କାଗଜପତ୍ର ନେଇ ସରପଂଚଙ୍କ ସ୍ୱାମୀଙ୍କୁ ଓ ସରପଞ୍ଚଙ୍କୁ ଭେଟି ଥିଲି ଗରିବ ଲୋକମାନଙ୍କୁ ହରିଶ୍ଚନ୍ଦ୍ର ଯୋଜନାରୁ କାହିଁକି ବଞ୍ଚିତ କରୁଛନ୍ତି ବୋଲ କହିଛି। କିନ୍ତୁ ସେ କାହାରି କଥା ଶୁଣୁନାହାଁନ୍ତି। କହୁଛନ୍ତି ମୋତେ ଜିଏ ଭୋଟ ଦେଇଛନ୍ତି ମୁଁ ସେଇମାନଙ୍କ କଥା ବୁଝିବି। ଆମର ପୋଖରି ପାହାଚ ପାଇଁ ୨, ୫୦,୦୦୦ଟଙ୍କା ଆସିଥିଲା ତାକୁ ମଧ୍ୟ କରାଇ ଦେଲେ ନାହିଁ ଟଙ୍କା ଫେରିଗଲାଣି। ଅନ୍ୟମାନଙ୍କ ପାଇଁ ଦରଦ ଦେଖାଉଥିବା ବେଳେ ଆମ ଦଳିତ ସାହିର ବିଧବା ଅସହାୟ ମହିଳାମାନଙ୍କୁ ହରିଶ୍ଚନ୍ଦ୍ର ଯୋଜନାରେ ଅର୍ଥ ନଦେଇ କେବଳ କଣ୍ଟ ଦେଇଚାଲିଛନ୍ତି। ଜିଲାପାଳ ଏହା ଉପରେ ଦୃଷ୍ଟି ଦେବାକୁ ସେମାନେ ଦାବି କରିଛନ୍ତି।

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

Comments are closed.