ହରେନ୍ଦ୍ର ଆମେରିକା ହକି ଦଳର ମୁଖ୍ୟ ପ୍ରଶିକ୍ଷକ

ନୂଆଦିଲ୍ଲୀ: ଭାରତୀୟ ପୁରୁଷ ଓ ମହିଳା ହକି ଦଳର ପୂର୍ବତନ ମୁଖ୍ୟ ପ୍ରଶିକ୍ଷକ ହରେନ୍ଦ୍ର ସିଂହ ଆମେରିକା ପୁରୁଷ ହକି ଦଳର ମୁଖ୍ୟ ପ୍ରଶିକ୍ଷକ ଭାବେ ନିଯୁକ୍ତ ହୋଇଛନ୍ତି। ଆମେରିକା ହକି ଦଳର ମୁଖ୍ୟ ପ୍ରଶିକ୍ଷକ ଦାୟିତ୍ବ ମିଳିବାକୁ ନେଇ ବହୁତ ଖୁସି। ଆମେରିକା ପୁରୁଷ ହକି ଦଳର ଉନ୍ନତି ମୋର ପ୍ରଥମ ଲକ୍ଷ୍ୟ ରହିବ ବୋଲି ହରେନ୍ଦ୍ର କହିଛନ୍ତି। ୨୦୧୨ରେ ଦ୍ରୋଣାଚାର୍ୟ୍ୟ ପୁରସ୍କାର ବିଜେତା ହରେନ୍ଦ୍ର ଭାରତୀୟ ମହିଳା ହକି ଦଳର ମୁଖ୍ୟ ପ୍ରଶିକ୍ଷକ ଦାୟିତ୍ବ ତୁଲାଇଥିଲେ। ୨୦୧୭-୧୮ରେ ଭାରତୀୟ ପୁରୁଷ ହକି ଦଳର ମୁଖ୍ୟ ପ୍ରଶିକ୍ଷକ ଭାବେ ନିଯୁକ୍ତ ହୋଇଥିଲେ। ହରେନ୍ଦ୍ରଙ୍କ ପ୍ରଶିକ୍ଷଣରେ ଭାରତ ୨୦୧୭ ଏସିଆ କପରେ ସ୍ବର୍ଣ୍ଣ ପଦକ ସହ ସଫଳତା ଆରମ୍ଭ କରିଥିଲା। ୨୦୧୮ ଓମାନ ଏସିଆନ ଚମ୍ପିଆନ୍ସ ଟ୍ରଫିରେ ସ୍ବର୍ଣ୍ଣ ପଦକ ବିଜୟୀ ହୋଇଥିଲା।

ଉକ୍ତ ବର୍ଷ ଭୁବନେଶ୍ବରରେ ଆୟୋଜିତ ଏଫ୍‌ଆଇଏଚ୍‌ ପୁରୁଷ ହକି ବିଶ୍ବକପର କ୍ବାର୍ଟରଫାଇନାଲରେ ଭାରତ ପ୍ରବେଶ କରିଥିଲା। ଏହାଛଡ଼ା ୨୦୧୮ ଚମ୍ପିଆନ୍‌ସ ଟ୍ରଫିରେ ଭାରତ ରୌପ୍ୟ ଓ ଏସୀୟ କ୍ରୀଡ଼ାରେ ବ୍ରୋଞ୍ଜ ପଦକ ମଧ୍ୟ ହାସଲ କରିଥିଲା। ହରେନ୍ଦ୍ର ଜୁନିୟର ପୁରୁଷ ହକି ଦଳର ମଧ୍ୟ ପ୍ରଶିକ୍ଷକ ଦାୟିତ୍ବ ତୁଲାଇଥିଲେ। ତାଙ୍କ ପ୍ରଶିକ୍ଷଣରେ ଭାରତ ୨୦୧୬ ଜୁନିୟର ହକି ବିଶ୍ବକପରେ ଚମ୍ପିଆନ ହୋଇଥିଲା। ହରେନ୍ଦ୍ରଙ୍କ ପ୍ରଶିକ୍ଷଣରେ ଭାରତୀୟ ଜୁନିୟର ଓ ସିନିୟର ହକି ଦଳ ଅନ୍ତର୍ଜାତୀୟ ହକିରେ ୮ଟି ସ୍ବର୍ଣ୍ଣ, ୫ଟି ରୌପ୍ୟ ଓ ୯ଟି ବ୍ରୋଞ୍ଜ ପଦକ ହାସଲ କରିଛି। ମୋଟ ଉପରେ ୩୫୦ଟି ମ୍ୟାଚରେ ପ୍ରଶିକ୍ଷକ ଦାୟିତ୍ବ ତୁଲାଇଛନ୍ତି। ଏହାଛଡ଼ା ଭାରତୀୟ କ୍ରୀଡ଼ା ପ୍ରାଧିକରଣ (ସାଇ)ର ପ୍ରଶିକ୍ଷକ ଦାୟିତ୍ବ ମଧ୍ୟ ତୁଲାଇଛନ୍ତି।

Comments are closed.