ଲସ୍କର ସଂଗଠନରେ କେନ୍ଦ୍ରାପଡ଼ା ଯୁବକ ହବିବୁର ଗିରଫ

0

ନୂଆଦିଲ୍ଲୀ : କଟକ ଜିଲା ସାଲେପୁରର ଅବଦୁର ରେହମାନ ପରେ ଏବେ କେନ୍ଦ୍ରାପଡ଼ାର ଯୁବକ ହବିବୁର ରେହମାନ ଓରଫ ହବିବ୍‍ର ପାକିସ୍ତାନ ଆତଙ୍କବାଦୀ ସଂଗଠନ ଲସ୍କର-ଇ-ତୋଇବା ସହ ସଂପୃକ୍ତି ଥିବା ନଜରକୁ ଆସିଛି। ରିଆଦ୍‍ରୁ ଫେରୁଥିବା ଅବଦୁରକୁ ରବିବାର ଦିଲ୍ଲୀ ବିମାନ ବନ୍ଦରରେ ଜାତୀୟ ତଦନ୍ତକାରୀ ସଂସ୍ଥା (ଏନଆଇଏ) ଗିରଫ କରିଛି। ଗିରଫ ପରେ ହବିବୁରକୁ ଦିଲ୍ଲୀର ସ୍ଥାନୀୟ ପାତିଆଲା ହାଉସ୍‍କୋର୍ଟରେ ହାଜର କରାଯିବା ପରେ ତାକୁ ଜେରା କରିବା ଲାଗି ଏନଆଇଏ ଅଧିକାରୀ ରିମାଣ୍ଡରେ ନେଇଛନ୍ତି।
ଏନଆଇଏ ପକ୍ଷରୁ ପ୍ରକାଶିତ ପ୍ରେସ୍‍ ସୂଚନା ଅନୁଯାୟୀ, ସାଉଦି ଆରବର ରିଆଦ୍‍ରୁ ହବିବୁର ଗତକାଲି ଫେରୁଥିଲା। ଦିଲ୍ଲୀର ଇନ୍ଦିରା ଗାନ୍ଧି ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଏନଆଇଏ ଅଧିକାରୀଗଣ ତାକୁ ଅଟକ ରଖି ଜେରା କରିବା ପରେ ଗିରଫ କରିଥିଲେ। ମିଳିଥିବା ସୂଚନାନୁଯାୟୀ, ହବିବୁର ଲସ୍କର ଆତଙ୍କବାଦୀ ସେଖ୍‍ ଅବଦୁଲ ନଇମ୍‍ ଲାଗି କାମ କରୁଥିଲା। ବାଲାଂଦେଶ ଦେଇ ଭାରତ ଭିତରକୁ ଆତଙ୍କବାଦୀଙ୍କୁ ଅନୁପ୍ରବେଶ କରାଇବାରେ ସେଖ୍‍ ଅବଦୁଲ୍‍ର ପ୍ରମୁଖ ଭୂମିକା ରହିଥିଲା। ଅବଦୁଲ ବାଂଲାଦେଶ ଦେଇ ଅନ୍ୟ ଦୁଇ ପାକିସ୍ତାନୀ ଓ ଜଣେ କାଶ୍ମୀର ଆତଙ୍କବାଦୀଙ୍କୁ ଭାରତ ଅନୁପ୍ରବେଶ କରାଇବା ସମୟରେ ୨୦୦୭ରେ ଧରାପଡିଥିଲା। ସେଖ୍‍ ଅବଦୁଲ ନଇମ୍‍ ଓରଫ ନୋମୀ ପରେ ଅର୍ଥାତ୍‍ ୨୦୧୪ ଅଗଷ୍ଟରେ କଲକାତାରୁ ମହାରାଷ୍ଟ୍ର କୋର୍ଟରେ ହାଜର ହେବା ଲାଗି ଆସୁଥିବାବେଳେ ସୁରକ୍ଷାବଳଙ୍କ ଆଖିରେ ଧୂଳିଦେଇ ଖସିଯାଇଥିଲା। ଏନଆଇଏ ସୂଚନାନୁଯାୟୀ, ସେଖ୍‍ ଅବଦୁଲ ଖସିଯିବା ପରେ ପାକିସ୍ତାନ ଓ ସାଉଦି ଆରବରେ ଥିବା ତା’ର ଲସ୍କର ‘ଆକା’ଙ୍କ ନିର୍ଦେଶରେ ପୁଣିଥରେ ଆତଙ୍କବାଦୀ କାର୍ଯ୍ୟକଳାପ ଚଳାଇଥିଲା। ଭାରତର ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ଏକାଧିକ ବିସ୍ଫୋରଣ ଘଟାଇ ସଂଖ୍ୟାଧିକ କ୍ଷୟକ୍ଷତି ଘଟାଇବା ନେଇ ଅବଦୁଲ ଯୋଜନା ପ୍ରସ୍ତୁତ କରୁଥିଲା।
ସରକାରୀ ସୂଚନାନୁଯାୟୀ, ନଇମ୍‍ ଆତଙ୍କବାଦୀ ଆକ୍ରମଣ ଲାଗି ସ୍ଥାନ ଚିହ୍ନଟ କରିବା ସହ ଆକ୍ରମଣ ପରେ ଉଗ୍ରବାଦୀଙ୍କୁ ସୁରକ୍ଷା ଯୋଗାଇବା କାର୍ଯ୍ୟ କରୁଥିଲା। ପାକିସ୍ତାନୀ ଲସ୍କର କମାଣ୍ଡରଙ୍କ ନିର୍ଦେଶକ୍ରମେ ନଇମ୍‍ ଜମ୍ମୁ-କାଶ୍ମୀର, ହିମାଚଳପ୍ରଦେଶ ଓ ହରିୟାଣାର ଚଣ୍ଡିଗଡକୁ ବାରମ୍ବାର ଯାଇଥିବା ଜଣାପଡିଛି। ଏସବୁ ସ୍ଥାନରେ ସମ୍ଭାବ୍ୟ ଆତଙ୍କବାଦୀ ଆକ୍ରମଣ ଲାଗି ଲସ୍କର ଯୋଜନା ପ୍ରସ୍ତୁତ କରୁଥିବା ଏନଆଇଏ ନଇମ୍‍କୁ ଗିରଫ କରିବା ପରେ ଆଶଙ୍କା କରୁଛି। ଏନଆଇଏ ସୂଚନା ଆଧାରରେ ହବିବୁର ରେହମାନ ଲସ୍କର ସଂଗଠନର ସହଯୋଗୀ ଭାବେ ଆତଙ୍କବାଦୀଙ୍କ ଲାଗି ସୁରକ୍ଷିତ ଆଶ୍ରୟସ୍ଥଳ ଯୋଗାଡ଼ କରିବା ସହ ନୋମୀ ଲାଗି ବିଭିନ୍ନ ସମୟରେ ଭାରତରେ ଆତଙ୍କବାଦୀ ଆକ୍ରମଣ ଲାଗି ପାଣ୍ଠି ସଂଗ୍ରହ କାର୍ଯ୍ୟ କରୁଥିଲା। ଏଥିଲାଗି ପାକିସ୍ତାନରେ ଥିବା ଲସ୍କର
କମାଣ୍ଡର ଅମ୍‍ଜାଦ୍‍ ଓରଫ ରେହାନ୍‍ ତାକୁ ନିର୍ଦେଶ ଦେଉଥିବା ଏନଆଇଏ ଅଧିକାରୀ ସୂଚନା ଦେଇଛନ୍ତି। ତେବେ ନୋମୀକୁ ୨୦୧୭ ନଭେମ୍ବରରେ ଏନଆଇଏ ଗିରଫ କରିବାରେ ସଫଳ ହୋଇଥିଲା। ନୋମୀକୁ ଜେରା କରିବା ପରେ ହବିବୁରକୁ ଧରିବାରେ ଏନଆଇଏ ସଫଳ ହୋଇଛି। କୋର୍ଟରେ ନୋମୀ ସହ ଯେଉଁ ୧୦ ଆତଙ୍କବାଦୀଙ୍କ ନାମ ଏନଆଇଏ ତା’ର ଅଭିଯୋଗଫର୍ଦ୍ଦରେ ଉଲ୍ଲେଖ କରିଥିଲା ସେଥିରେ ହବିବୁର ଅନ୍ୟତମ।
ସୂଚନାଯୋଗ୍ୟ, ପୂର୍ବରୁ ସାଲେପୁରର ଏକ ସ୍ଥାନରେ ମଦ୍ରାସା ଚଳାଉଥିବା ଅବଦୁର ରେହମାନ ଲସ୍କର ସଂଗଠନ ଲାଗି କାର୍ଯ୍ୟ କରୁଥିବାନେଇ ଏନଆଇଏ ଦ୍ୱାରା ଗିରଫ ହୋଇଥିଲା। ଏବେ ସେ ଜେଲ୍‍ରେ ରହିଛି।
ହବିବୁର୍‌ ରେହମାନ ଗିରଫ ପରେ ଓଡ଼ିଶା ପୁଲିସ ମହାନିର୍ଦେଶକ କହିଛନ୍ତି, ଏ ନେଇ ଏନ୍‌ଆଇଏକୁ ରାଜ୍ୟ ପୁଲିସ ଓ ଗୁଇନ୍ଦା ସଂସ୍ଥା ସହଯୋଗ କରିବାକୁ ପ୍ରସ୍ତୁତ ରହିଛି। ଏନ୍‌ଆଇଏ ଚାହିଁଲେ ହବିବୁର୍‌ ସମ୍ପର୍କରେ ସମସ୍ତ ତଥ୍ୟ ଓ ସୂଚନା ଅନୁସନ୍ଧାନ କରି ତଦନ୍ତକାରୀ ସଂସ୍ଥାକୁ ଦିଆଯିବ।

Leave A Reply