ଗାଁରେ ସ୍କୁଲ ନିର୍ମାଣ କରି ପଦ୍ମଶ୍ରୀ ପାଇବେ ଏହି ଫଳ ବିକାଳୀ

ନୂଆଦିଲ୍ଲୀ: ଗଣତନ୍ତ୍ର ଦିବସର ଠିକ୍ ଗୋଟିଏ ଦିନ ପୂର୍ବରୁ କେନ୍ଦ୍ର ସରକାର ୨୦୨୦ ପଦ୍ମ ପୁରସ୍କାର ଘୋଷଣା କରିଛନ୍ତି। ଏହି ତାଲିକାରେ ଏଭଳି କିଛି ଲୋକଙ୍କ ନାମ ରହିଛି, ଯେଉଁମାନେ ପ୍ରାୟତଃ ଚର୍ଚାରେ ରହିଛନ୍ତି। ଏହି ତାଲିକାର ସବୁଠୁ ଶୀର୍ଷରେ ରହିଛନ୍ତି କର୍ଣ୍ଣାଟକର ଜଣେ ଫଳ ବିକାଳୀ। ଦିନକୁ ମାତ୍ର ୧୫୦ ଟଙ୍କା ରୋଜଗାର କରୁଥିବା ଏହି ଫଳ ବିକଳୀଙ୍କୁ ପଦ୍ମ ପୁରସ୍କାର ସମ୍ମାନରେ ସମ୍ନାନୀତ କରାଯିବ। ଆଇଏଫ୍ଏସ ଜଣେ ଅଧିକାରୀ ପ୍ରବୀଣ କସବାନ ଏନେଇ ଏକ ଟୁଇଟ କରି ସୂଚନା ଦେଇଛନ୍ତି। ଯାହା ଏବେ ସୋସିଆଲ ମିଡିଆରେ ଚର୍ଚାର ବିଷୟ ପାଲଟିଛି।


କର୍ଣ୍ଣାଟକର ଦକ୍ଷିଣ କନ୍ନଡ ଜିଲାର ୬୮ ବର୍ଷୀୟ ଫଳ ବିକାଳୀ ହରେକାଲା ହଜାବ୍ବା ଚଳିତ ଥର ପଦ୍ମଶ୍ରୀ ପୁରସ୍କାର ଗ୍ରହଣ କରିବେ। ସେ ଜଣେ ଫଳ ବିକାଳୀ ହୋଇଥିଲେ ମଧ୍ୟ ନିଜର ସ୍ବଳ୍ପ ରୋଜଗାରରେ ଗାଁରେ ଏକ ସ୍କୁଲ ନିର୍ମାଣ କରିଛନ୍ତି। ନିଜେ ପାଠ ପଢିନଥିଲେ ମଧ୍ୟ ଗାଁର ପିଲାମାନଙ୍କ ପାଇଁ ପ୍ରାଥମିକ ଓ ମାଧ୍ୟମିକ ସ୍କୁଲ ନିର୍ମାଣ କରିବାରେ ସଫଳ ହୋଇଛନ୍ତି। ଏହା ସହ ସେ ଏବେ ଗାଁରେ ଏକ ପ୍ରାକ୍ ବିଶ୍ବବିଦ୍ୟାଳୟ ନିର୍ମାଣ କରିବାକୁ ଚାହୁଁଛନ୍ତି।

ହରେକାଲା ହଜାବ୍ବା ଏକ ଗଣମାଧ୍ୟମରେ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ଏକଦା ଜଣେ ବିଦେଶୀ ମୋତେ ଇଂରାଜୀରେ ଫଳର ଦାମ ପଚାରିଥିଲେ। ମୁଁ ଇଂରାଜୀ ଭାଷା ବୁଝି ନ ପାରିବାରୁ ଫଳର ଦାମ କହି ପାରିନଥିଲି। ସେହି ଦିନ ପ୍ରଥମ କରି ମୁଁ ନିଜକୁ ଅସହାୟ ମନେ କରିଥିଲେ। ଗାଁରେ ସ୍କୁଲ ନଥିବାରୁ ମୁଁ ପାଠ ପଢି ପାରିନଥିଲି। ତେଣୁ ଗାଁରେ ସ୍କୁଲ ଖୋଲିବାକୁ ମୁଁ ନିଷ୍ପତ୍ତି ନେଇଥିଲି। ଯାହା ଦ୍ବାରା ସ୍ଥାନୀୟ ପିଲାଙ୍କୁ ମଧ୍ୟ ମୋ ଭଳି ପରିସ୍ଥିତିର ସାମ୍ନା କରିବାକୁ ପଡିବ ନାହିଁ। ପ୍ରଥମେ ଟଙ୍କା ସଞ୍ଚୟ କରି ଗାଁରେ ଏକ ସ୍କୁଲ ଖୋଲିଥିଲି। ଧୀରେ ଧୀରେ ଛାତ୍ରଛାତ୍ରୀଙ୍କ ସଂଖ୍ୟା ବଢିବାରୁ ପରେ ଋଣ ବା କରଜ କରି ସ୍କୁଲ ପାଇଁ ଜମି କଣିଲି। ସ୍କୁଲ ପରେ ଏବେ ଗାଁରେ ପ୍ରାକ୍ ବିଶ୍ବବିଦ୍ୟାଳୟ ନିର୍ମାଣ କରିବାକୁ ପ୍ରସ୍ତୁତି ଆରମ୍ଭ କରିଛି।

Comments are closed.