ହାର୍ଦ୍ଦିକ-ନତାଶା ନିର୍ବନ୍ଧ: ଖବର ମିଳିବା ପରେ ଏଭଳି ପ୍ରତିକ୍ରିୟା ପ୍ରକାଶ କଲେ ବାପା

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା ଏବେ ବିଦେଶରେ ଛୁଟି କାଟୁଛନ୍ତି। ପିଠିରେ ଯନ୍ତ୍ରଣା ଯୋଗୁ ଅପରେଶନ ହେବା ପରେ ଦଳରୁ ସେ ସାମୟିକ ଭାବେ ବାହାରେ ରହିଛନ୍ତି। ଏହି ଅବସରରେ ନୂଆବର୍ଷ ଦିନ ଦୁବାଇରେ ବଲିଉଡ୍‌ ଅଭିନେତ୍ରୀ ନତାଶା ଷ୍ଟାଙ୍କୋଭିକ୍‌ଙ୍କ ସହିତ ତାଙ୍କର ନିର୍ବନ୍ଧ ଅନୁଷ୍ଠିତ ହୋଇଛି। ହାର୍ଦ୍ଦିକ ନିଜେ ସୋସିଆଲ ମିଡିଆରେ ପ୍ରଶଂସକମାନଙ୍କୁ ଏହି ଖବର ଦେବା ସହିତ ଦୁଇଜଣଙ୍କ ଅନ୍ତରଙ୍ଗ ମୁହୂର୍ତ୍ତର କିଛି ଫଟୋ ଏବଂ ବିବାହ ପାଇଁ ନିବେଦନ କରିବା ସମୟର ଭିଡିଓ ମଧ୍ୟ ଶେୟାର କରିଥିଲେ, ଯାହା ସମସ୍ତଙ୍କୁ ଚକ୍କିତ କରିଥିଲା। ତେବେ ଆପଣମାନେ ଭାବୁଥିବେ ଯେ ହାର୍ଦ୍ଦିକଙ୍କ ଅଚାନକ ନିର୍ବନ୍ଧରେ କେବଳ ତାଙ୍କ ପ୍ରଶଂସକମାନେ ଆଶ୍ଚର୍ଯ୍ୟ ହୋଇଛନ୍ତି, କିନ୍ତୁ ତା’ନୁହେଁ, ଏହା ଖୋଦ୍‌ ହାର୍ଦ୍ଦିକଙ୍କ ପରିବାର ଲୋକଙ୍କୁ ବି ଚକ୍କିତ କରିଛି। ନିର୍ବନ୍ଧ ବିଷୟରେ ତାଙ୍କ ନିକଟରେ କିଛି ବି ଆଗୁଆ ସୂଚନା ନ ଥିବା ହାର୍ଦ୍ଦିକଙ୍କ ବାପା ହିମାଂଶୁ କହିଛନ୍ତି।

ସୂଚନାଯୋଗ୍ୟ, ଗତ ୧ ତାରିଖ ଦିନ ହାର୍ଦ୍ଦିକ ନତାଶାଙ୍କୁ ବିବାହ ନିବେଦନ କରିବା ସମୟର ଭିଡିଓ ଶେୟାର କରିବା ପରେ ବିରାଟ କୋହଲିଙ୍କ ସମେତ ଅନ୍ୟ ଭାରତୀୟ କ୍ରିକେଟରମାନେ ତାଙ୍କୁ ଶୁଭେଚ୍ଛା ଜଣାଇଥିଲେ। ହାର୍ଦ୍ଦିକଙ୍କ ଜଣେ ବନ୍ଧୁ ନାମ ଗୋପନ ରଖି କହିଛନ୍ତି, ବିବାହ ସମ୍ପର୍କରେ କୌଣସି ନିଷ୍ପତ୍ତି ହୋଇନାହିଁ। କିନ୍ତୁ ମୁ ନିଶ୍ଚିତ ଖୁବଶୀଘ୍ର ଏ ବିଷୟରେ ନିଷ୍ପତ୍ତି ହେବ। ନିର୍ବନ୍ଧରେ ଯୋଗଦେବା ଲାଗି ହାର୍ଦ୍ଦିକ ମୋତେ ନିମନ୍ତ୍ରଣ କରିଥିଲେ। କିନ୍ତୁ ଏହା ଦୁବାଇରେ ହୋଇଥିବାରୁ ମୁଁ ଯାଇପାରି ନ ଥିଲି।

Comments are closed.