ଆଇପିଏଲ୍‌ : ହାର୍ଦିକ ଅହମ୍ମଦାବାଦ ଦଳର ଅଧିନାୟକ; ନେହେରା ପ୍ରଶିକ୍ଷକ!

ନୂଆଦିଲ୍ଲୀ : ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍‌)ର ୨୦୨୨ ସଂସ୍କରଣରେ ନୂଆ ଦଳ ଭାବେ ସାମିଲ ହୋଇଥିବା ଅହମ୍ମଦାବାଦ ଫ୍ରାଞ୍ଚାଇଜି ଭାରତୀୟ ଅଲ୍‌ରାଉଣ୍ଡର ହାର୍ଦିକ ପାଣ୍ଡ୍ୟାଙ୍କୁ ଅଧିନାୟକ ନିଯୁକ୍ତ କରିବାକୁ ମନସ୍ଥ କରିଛି ବୋଲି ଏହି ଦଳ ମଧ୍ୟସ୍ଥ ସୂତ୍ରରୁ ପ୍ରକାଶ। ପୂର୍ବରୁ ମୁମ୍ବଇ ଇଣ୍ଡିଆନ୍‌ସ ପାଇଁ ଆଇପିଏଲ୍‌ ଖେଳୁଥିବା ହାର୍ଦିକ ହେଉଛନ୍ତି ଗୁଜରାଟର ବରୋଦା ସହରର ବାସିନ୍ଦା। ତେଣୁ ନିଜ ରାଜ୍ୟର ଆଇପିଏଲ୍‌ ଦଳର ନେତୃତ୍ବ ହାର୍ଦିକ ପାଣ୍ଡ୍ୟାଙ୍କୁ ପ୍ରଦାନ ପାଇଁ ଅହମ୍ମଦାବାଦ ଫ୍ରାଞ୍ଚାଇଜି ନିଷ୍ପତ୍ତି ନେଇଛି। ଏହାସହ ପୂର୍ବତନ ଭାରତୀୟ ବାମହାତି ଫାଷ୍ଟବୋଲର ଆଶିଷ ନେହେରା ଅହମ୍ମଦାବାଦ ଫ୍ରାଞ୍ଚାଇଜିର ମୁଖ୍ୟ ପ୍ରଶିକ୍ଷକ ହୋଇପାରନ୍ତି। ନେହେରା ୨୦୧୭​‌େ​‌ର ଆନ୍ତର୍ଜାତିକ କ୍ରିକେଟ୍‌ରୁ ଅବସର ନେଇଥିଲେ। ଆଇପିଏଲ୍‌ରେ ପ୍ରଶିକ୍ଷଣ ଦେବାର ଅଭିଜ୍ଞତା ନେହେରାଙ୍କର ଅଛି। ସେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ସହକାରୀ ପ୍ରଶିକ୍ଷକ ଭାବେ କାମ କରିଛନ୍ତି। ୫ଥର ଆଇପିଏ୍‌ଲ ଜିତିଥିବା ମୁମ୍ବଇ ଇଣ୍ଡିଆନ୍‌ସ କୈରନ୍ ପୋଲାର୍ଡ, ରୋହିତ ଶର୍ମା, ଯଶପ୍ରୀତ ବୁମ୍‌ରା ଓ ସୂର୍ଯ୍ୟକୁମାର ଯାଦବଙ୍କୁ ୨୦୨୨ ସଂସ୍କରଣ ପାଇଁ ଦଳରେ ରଖିସାରିଛି। ହେଲେ ହାର୍ଦିକ ପାଣ୍ଡ୍ୟାଙ୍କୁ ମୁମ୍ବଇ ଛାଡ଼ିଦେଇଛି। ତେଣୁ ଫେବୃଆରୀରେ ଆଇପିଏଲ୍‌ ନିଲାମ ପୂର୍ବରୁ ଅହମ୍ମଦାବାଦ ଦଳ ପାଣ୍ଡ୍ୟାଙ୍କୁ ଦଳରେ ରଖିବାର ନିଷ୍ପତ୍ତି ନେଇଛି ବୋଲି ଜଣାପଡ଼ିଛି। କାରଣ ୨ଟି ନୂଆ ଦଳ ନିଲାମ ପାଇଁ ତାଲିକାଭୁକ୍ତ ଖେଳାଳିଙ୍କ ମଧ୍ୟରୁ ସର୍ବାଧିକ ୩ ଜଣଙ୍କୁ ଦଳରେ ରଖିପାରିବେ। ଏହାସହ ଆଫ୍‌ଗାନିସ୍ତାନର ଅଲ୍‌ରାଉଣ୍ଡର ରସିଦ୍ ଖାଁ ଓ ମୁମ୍ବଇ ଇଣ୍ଡିଆନ୍‌ସର ପୂର୍ବତନ ୱିକେଟ ରକ୍ଷକ ବ୍ୟାଟ୍‌ସମ୍ୟାନ୍ ଈଶାନ୍ କିଷନ୍‌ଙ୍କୁ ଦଳରେ ରଖିବାକୁ ଅହମ୍ମଦାବାଦ ଫ୍ରାଞ୍ଚାଇଜି ବିଚାର କରୁଛି। ହାର୍ଦିକ ଥରେ ମଧ୍ୟ ମୁମ୍ବଇ ଇଣ୍ଡିଆନ୍‌ସର ନେତୃତ୍ବ ନେଇନଥିବା ବେଳେ ସେ ଜଣେ ମ୍ୟାଚ୍‌ ବିଜେତା। ହାର୍ଦିକ ୯୨ଟି ଆଇପିଏଲ୍‌ ମ୍ୟାଚ୍‌ ଖେଳି ୧୫୪ ଷ୍ଟ୍ରାଇକ୍‌ରେଟ୍‌ରେ ୧୪୭୬ ରନ୍‌ କରିଛନ୍ତି ଏବଂ ୪୨ଟି ୱିକେଟ ମଧ୍ୟ ନେଇଛନ୍ତି। ଗତ ଟ୍ବେଣ୍ଟି୨୦ ବିଶ୍ବକପ୍‌ ପରଠାରୁ ହାର୍ଦିକ ଭାରତ ପାଇଁ ଖେଳିନାହାନ୍ତି।

Comments are closed.