୧୩ ଦେଶକୁ ବିମାନ ଚଳାଚଳ ନିମନ୍ତେ ପ୍ରସ୍ତୁତି ଆରମ୍ଭ: ସୂଚନା ଦେଲେ କେନ୍ଦ୍ରମନ୍ତ୍ରୀ ହରଦୀପ ସିଂହ ପୁରୀ

ନୂଆଦିଲ୍ଲୀ:  ଖୁବ୍ ଶୀଘ୍ର ଭାରତରୁ ଆଉ କିଛି ଦେଶକୁ ଯାତ୍ରୀବାହୀ   ବିମାନ ଚଳାଚଳ ଆରମ୍ଭ କରିପାରେ ।  ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂହ ପୁରୀ ଭାରତ ଦ୍ବିପାକ୍ଷିକ ବିମାନ ଚଳାଚଳ ନିମନ୍ତେ ୧୩ ଦେଶ ସହ କଥାବାର୍ତା କରୁଥିବା ସୂଚନା ଦେଇଛନ୍ତି । ଏହାକୁ ଅସ୍ଥାୟୀ ବ୍ୟବସ୍ଥା (ଏୟାର ବବଲ) କୁହାଯାଉଛି । ଏହି ଦେଶ ମଧ୍ୟରେ ଅଷ୍ଟ୍ରେଲିଆ, ଜାପାନ, ସିଙ୍ଗାପୁର ପରି ଦେଶ ରହିଛନ୍ତି ।

ଶ୍ରୀ ପୁରୀ ନିଜ ଟ୍ବିଟରରେ ଏ ସମ୍ପର୍କରେ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ପଡ଼ୋଶୀ ଶ୍ରୀଲଙ୍କା, ବାଂଲାଦେଶ, ଆଫଗାନୀସ୍ଥାନ, ନେପାଳ, ଭୁଟାନ ସହ ମଧ୍ୟ ଏପରି ବିମାନ ଚଳାଚଳ ନିମନ୍ତେ ପ୍ରସ୍ତାବ ରହିଛି । ଜୁଲାଇ ମାସରେ ଏପରି ବିମାନ ଚଳାଚଳ ନିମନ୍ତେ ଆମେରିକା, ଇଂଲଣ୍ଡ, ଫ୍ରାନ୍ସ,ଜର୍ମାନ, ୟୁଏଇ, କାତାର ଓ ମାଳଦ୍ବୀପ ସହ ବୁଝାମଣା ହୋଇଛି । ଆମେ ଏପରି ପ୍ରସାୟକୁ ନେଇ ଆଗକୁ ଯାଉଛୁ । ଅଷ୍ଟ୍ରେଲିଆ, ଇଟାଲୀ, ଜାପାନ, ନ୍ୟୁଜିଲାଣ୍ଡ, ନାଇଜେରିଆ, ବାହାରିନ, ଇସ୍ରାଏଲ୍, କେନିଆ, ଫିଲିପାଇନ୍ସ, ରୁଷ, ସିଙ୍ଗାପୁର, ଦକ୍ଷିଣ କୋରିଆ ଓ ଥାଇଲାଣ୍ଡ ସହ ବିମାନ ଚଳାଚଳ ଯୋଜନା କରାଯାଉଛି ।

କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଗତ ମାର୍ଚ ୨୩ ତାରିଖରୁ ଭାରତରୁ ଆନ୍ତର୍ଜାତିକ ବିମାନ ଚଳାଚଳ ବନ୍ଦ କରାଯାଇଛି । ଏ ସମ୍ପର୍କରେ ଶ୍ରୀ ପୁରୀ କହିଛନ୍ତି ଯେ ଭାରତ ଏହି ଦେଶଗୁଡ଼ିକ ସହ ଅନ୍ୟ ଦେଶ ସହ ଦ୍ବିପାକ୍ଷିକ ବିମାନ ଚଳାଚଳ ବ୍ୟବସ୍ଥା କାର୍ଯ୍ୟକାରୀ କରିବାକୁ ବିଚାର କରୁଛି । ଆମ ଦେଶର ନାଗରିକମାନେ ଅଟକି ରହିଥିବା ଦେଶ ସହ ଏ ସମ୍ପର୍କରେ ଆଲୋଚନା କରାଯାଉଛି ।

ସୂଚନାଯୋଗ୍ୟ ଯେ  ଗତ ମେ ୨୫ ତାରିଖ ପରେ କିଛି ଘରୋଇ ବିମାନ ଚଳାଚଳ ଆରମ୍ଭ ହୋଇଛି । ମାତ୍ର ଏହା ସମ୍ପୂର୍ଣ୍ଣ ନିୟମିତ ବା ସ୍ବାଭାବିକ ହୋଇନାହିଁ । ଭାରତ ଓ ଅନ୍ୟ ଦେଶକୁ ବିମାନ ଚଳାଚଳ ଉପରେ କଟକଣା ଯୋଗୁଁ ବିମାନ ବ୍ୟବସାୟ ଭୟଙ୍କର ଭାବରେ ପ୍ରଭାବିତ ହୋଇଛି । ଦେଶର ସବୁ ବିମାନ କମ୍ପାନୀ ଖର୍ଚ କାଟ ନିମନ୍ତେ ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି । ଏହାମଧ୍ୟରେ ବିନା ବେତନରେ ଛୁଟି, ଦରମା କାଟ ଆଦି ଅନ୍ତର୍ଭୁକ୍ତ ।

Comments are closed.