ବଟି ପାଇଁ ଜେଲ୍‍ରୁ ଠିକାଦାରଙ୍କୁ ହତ୍ୟାଧମକ : ଦୁର୍ଦାନ୍ତ ଅପରାଧୀ ଗିରଫ

କଟକ : ବଟି ପାଇଁ ପୁଣି ଜେଲରୁ ଜଣେ ଠିକାଦାରଙ୍କୁ ହତ୍ୟା ଧମକ ଦିଆଯାଇଛି। ଯୋଜନା ଅନୁଯାୟୀ ବଟି ଆଣିବା ପାଇଁ ଠିକାଦାରଙ୍କ ପାଖକୁ ଯାଇଥିବା ଜଣେ ଦୁର୍ଦାନ୍ତ ଅପରାଧୀକୁ ପୁଲିସ କାବୁ କରିନେବା ପରେ ଏହି ଘଟଣା ପଦାକୁ ଆସିଛି। ଅଭିଯୁକ୍ତଜଣକ ହେଲେ ମଧୁପାଟଣା ଥାନା ଅନ୍ତର୍ଗତ ତିନିଘରିଆ ଅଞ୍ଚଳର ସର୍ବେଶ୍ୱର ମହାନ୍ତି ଓରଫ ବାଙ୍କାମିଟୁ(୩୬)। ତାକୁ ପଚରାଉଚୁରା ପରେ ଜେଲ୍‍ରେ ବିଚାରାଧିନ କଏଦୀ ଭାବେ ସଜ୍ଜା କାଟୁଥିବା ଅନ୍ୟତମ ଦୁର୍ଦାନ୍ତ ଅପରାଧୀ ତଥା ତିନିଘରିଆ ଅଞ୍ଚଳର ସୁଭାଶିଷ ଖୁଣ୍ଟିଆ ଓରଫ ଗୁଗୁ ବିରୋଧରେ ପୁଲିସ ଆଉ ଏକ ମାମଲା ରୁଜୁ କରିଛି।
ସୂଚନା ଅନୁଯାୟୀ, ନୂଆପଡା ମଝିସାହି ଅଞ୍ଚଳର ବାସୁଦେବ ଦାସ ଓରଫ ବଚୁ(୪୭) ଠିକାଦାର କାର୍ଯ୍ୟ କରନ୍ତି। ଗଲା କିଛି ଦିନ ହେବ ସେ ୫୧ନଂ ୱାର୍ଡର ଏକ ଅଞ୍ଚଳରେ ଏକ ଠିକାକାର୍ଯ୍ୟ ଜାରି ରଖିଛନ୍ତି। ତେବେ ଏଠାରେ କାର୍ଯ୍ୟ କରିବାକୁ ହେଲେ ୧ଲକ୍ଷ ଟଙ୍କା ବଟିଦେବାକୁ ପଡିବ ବୋଲି ଜେଲ୍‍ରେ ଥିବା ଗୁଗୁ ତାଙ୍କୁ ଫୋନରେ ଧମକ ଦେଇ ଆସୁଥିଲା। ତଦନୁଯାୟୀ ୪ଦିନ ପୂର୍ବେ ଗୁଗୁର ସହଯୋଗୀ ଅଭିଯୁକ୍ତ ବାଙ୍କାମିଟୁ ହଠାତ୍‌ କାର୍ଯ୍ୟସ୍ଥଳୀରେ ପହଞ୍ଚିଥିଲା। ଆଉ ସେଠାରେ ବାସୁଦେବଙ୍କୁ ତୁରନ୍ତ ୧ଲକ୍ଷ ଟଙ୍କା ଦେବାକୁ କହିଥିଲା। ଏମିତିକି ବଟି ଟଙ୍କା ନଦେଲେ ଖାଲି ତାଙ୍କୁ ସେଠାରେ କାମ କରାଇଦେବେ ନାହିଁ ହତ୍ୟା କରାଯିବ ବୋଲି ଚେତାବନୀ ଦେଇଥିଲା। ଫଳରେ ବାସୁଦେବ ଭୟଭୀତ ହୋଇ କାର୍ଯ୍ୟ ବନ୍ଦ କରିଦେଇଥିଲେ। ଏହାସତ୍ତ୍ବେ ବି ଅଭିଯୁକ୍ତ ବାଙ୍କାମିଟୁ ତାଙ୍କର ପିଛା ଛାଡିନ ଥିଲା। ବାରମ୍ବାର ଫୋନରେ ଧମକଚମକ ଦେଇ ଆସୁଥିଲା। ଅନ୍ୟଉପାୟ ନ ପାଇ ବାସୁଦେବ ଘଟଣା ସଂକ୍ରାନ୍ତରେ ମଧୁପାଟଣା ଥାନାରେ ଏତଲା ଦାୟର କରିଥିେଲ।
ପୁଲିସ ମାମଲା ରୁଜୁ କରି ତଦନ୍ତ ଚଳାଇଥିଲ। ଆଜି ବାଙ୍କାମିଟୁକୁ ଗିରଫ କରାଯିବ ପରେ ସେ ଜେଲ୍‍ରେ ଥିବା ଗୁଗୁଙ୍କ କହିବା ଅନୁଯାୟୀ ବଟି ମାଗୁଥିଲା ବୋଲି ପୁଲିସ ନିକଟରେ ପ୍ରକାଶ କରିଥିଲା। ଅଭିଯୁକ୍ତ ବାଙ୍କାମିଟୁ ନାମରେ ପୂର୍ବରୁ ଭୁବନେଶ୍ୱରର ଚନ୍ଦ୍ରଶେଖରପୁର, ମଞ୍ଚେଶ୍ୱର, ବାଙ୍କୀ, କଟକର କ୍ୟାଣ୍ଟନମେଣ୍ଟ,ମଙ୍ଗଳାବାଗ ଓ ମଧୁପାଟଣା ଥାନାରେ ୧୫ରୁ ବଟିଆଦାୟ, ବେଆଇନ ଅସ୍ତ୍ରଶସ୍ତ୍ର କାରବାର, ଟେଣ୍ଡରଫିକ୍ସିଂ, ହତ୍ୟାଧମକ,ଡକାୟତି ଓ ଲୁଟ ଆଦି ମାମଲା ରହିଥିବା ତଦନ୍ତରୁ ଜଣାପଡିଛି। ଅଭିଯୁକ୍ତକୁ କୋର୍ଟଚାଲାଣ କରାଯାଇଛି।

Comments are closed.