ଦୁର୍ଦ୍ଦାନ୍ତ ଅପରାଧି ପିଣ୍ଟୁ ଗିରଫ

ଗୁରୁଡିଝାଟିଆ : ରାଜ୍ୟର ବିଭିନ୍ନ ଥାନାରେ ୧୦ ରୁଅଧିକ ମାମଲାରେ ସଂପୃକ୍ତ ଥାଇ ପୁଲିସ ଆଖିରେ ଧୁଳିଦେଇ ଫେରାର ଥିବା ଦୁର୍ଦ୍ଦାନ୍ତ ଅପରାଧି ପିଣ୍ଟୁ(ପ୍ରଦୀପ ପୁହାଣ)ଙ୍କୁ ଖୁଣ୍ଟୁଣୀ ପୁଲିସ ବୁଧବାର ଗିରଫ କରିବାକୁ ସକ୍ଷମ ହୋଇଛି। ଅଭିଯୁକ୍ତ ପିଣ୍ଟୁର ଘର ଏହି ଥାନା ଅନ୍ତର୍ଗତ ମହାକାଳବସ୍ତ ଗ୍ରାମରେ। ଡକାୟତି, ବିଭିନ୍ନ ପ୍ରକାର ମାରଣାସ୍ତ୍ର ଦେଖାଇ ଭୟଭୀତ କରିବା ସହିତ ୧୧୦ ଦଫା ଲାଗିଥିଲେ ମଧ୍ୟ ଅଭିଯୁକ୍ତ ଫେରାର ଥିଲା । ବୌଦ୍ଧଜିଲ୍ଲାରେ ଡକାୟତି ମାମଲାରେ ଅଭିଯୁକ୍ତ ପିଣ୍ଟୁ ସଂପୃକ୍ତ ଥିବା ବେଳେ ଫେରାର ରହିଥିଲା । ଖୁଣ୍ଟୁଣୀ ଥାନାରେ ଅଭିଯୁକ୍ତ ନାମରେ ମଧ୍ୟ ୩ଟି ମାମଲା ରହିଛି । ପୁରୁଣା କଟକ-ସମ୍ବଲପୁର ରାସ୍ତାର ମହାକାଳବସ୍ତ ଗାଁ ନିକଟରେ ଦୀର୍ଘ ୨୪ଘଣ୍ଟାରୁ ଅଧିକ ସମୟଧରି ଜାତୀୟ ରାଜପଥକୁ ଅବରୋଧ କରି ନିଆଁ ଜାଳିବା ଘଟଣାରେ ଖୁଣ୍ଟୁଣୀ ପୋଲିସ ପିଣ୍ଟୁକୁ ଗିରଫ କରିଛି । ଅଧିକ ତଥ୍ୟ ହାସଲ ପାଇଁ ଥାନା ଅଧିକାରୀ ଅଭିଯୁକ୍ତକୁ ରିମାଣ୍ଡରେ ଆଣିବାର ବ୍ୟବସ୍ଥା କରିବେ ବୋଲି ଗଣମାଧ୍ୟମକୁ କହିଛନ୍ତି । ଦୀର୍ଘବର୍ଷ ଧରି ପୁଲିସ ଆଖିରେ ଧୁଳିଦେଇ ଲୁଚକାଳି ଖେଳ ଖେଳୁଥିବା ଅଭିଯୁକ୍ତକୁ ଗିରଫ କରିବା ପାଇଁ ଖୁଣ୍ଟୁଣୀ ଥାନା ଅଧିକାରୀ ବାମଦେବ ସ୍ୱାଇଁ ବିଛାଇଥିଲେ ଜାଲ । ଗତକାଲି ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଜାଣିବାକୁ ପାଇଥିଲେ ଅଭିଯୁକ୍ତ ଗାଁ ନିକଟରେ ଏକ ସ୍ଥାନରେ ଅବସ୍ଥାନ କରୁଛି । ତେଣୁ ପୁଲିସ ଫୋର୍ସ ନେଇ ଥାନା ଅଧିକାରୀ ଶ୍ରୀ ସ୍ୱାଇଁ ଅତର୍କିତ ଭାବରେ ଅଭିଯୁକ୍ତକୁ ଗିରଫ କରିବା ନିମନ୍ତେ ଘେରିଯାଇଥିଲେ। ଫଳରେ ଅଭିଯୁକ୍ତ କୌଣସି ବାଟ ନପାଇ ପୁଲିସ ନିକଟରେ ହାର ମାନିଥିଲା । ସ୍ଥାନୀୟ ଅଞ୍ଚଳରେ ଶାନ୍ତି ଭଙ୍ଗକରିବା, ବିଭିନ୍ନ ଉତ୍ସଙ୍ଖଳିତ ଆଚରଣ କରି ଏକ ପ୍ରକାର ଭୟଭୀତ ପରିବେଶ ସୃଷ୍ଟି କରିଥାଏ ଏବଂ ଏକାଧିକ ମାମଲାରେ ସଂପୃକ୍ତ ଥାଇ ଫେରାର ଥିବାରୁ ଖୁଣ୍ଟୁଣୀ ପୁଲିସ ଅଭିଯୁକ୍ତ ପିଣ୍ଟୁକୁ ଗିରଫ କରିବା ପାଇଁ ଲାଗିପଡିଥିଲା । ଯାହାଫଳରେ ଆଜି ସଫଳ ହୋଇଛି। ଗିରଫ ପରେ ଅଭିଯୁକ୍ତକୁ କୋର୍ଟରେ ହାଜର କରାଯାଇଛି ।

Comments are closed.