ଟ୍ବେଣ୍ଟି-୨୦ ଫର୍ମାଟ୍‌ରେ ଭାରତ ପକ୍ଷରୁ ଖେଳିବାକୁ ପ୍ରସ୍ତୁତ : ହରଭଜନ୍‌

ନୂଆଦିଲ୍ଲୀ : ଟ୍ବେଣ୍ଟି-୨୦ ଫର୍ମାଟ୍‌ରେ ଭାରତୀୟ କ୍ରିକେଟ୍ ଦଳକୁ ପ୍ରତିନିଧିତ୍ବ କରିବାକୁ ସଂପୂର୍ଣ୍ଣ ଭାବେ ପ୍ରସ୍ତୁତ ଥିବା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ବରିଷ୍ଠ ଅଫ୍‌ସ୍ପିନର ହରଭଜନ ସିଂହ। ଆସନ୍ତା ଜୁଲାଇରେ ୪୦ ବର୍ଷରେ ପାଦ ଦେବାକୁ ଯାଉଥିବା ହରଭଜନ୍‌ ଏକ ଗଣମାଧ୍ୟମକୁ ସାକ୍ଷାତକାର ଦେବା ଅବସରରେ କହିଛନ୍ତି ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ପୂର୍ବ ସଂସ୍କରଣ ଗୁଡ଼ିକରେ ସେ ବେଶ୍‌ ଭଲ ପ୍ରଦର୍ଶନ କରି ଆସୁଛନ୍ତି। ଏହାକୁ ଦୃଷ୍ଟିରେ ରଖି ଆଗାମୀ ଦିନରେ ସେ ଭାରତକୁ ଟ୍ବେଣ୍ଟି୨୦ ଫର୍ମାଟ୍‌ରେ ପ୍ରତିନିଧିତ୍ବ କରିବାକୁ ପ୍ରସ୍ତୁତ ଅଛନ୍ତି । ସୂଚନାଥାଉକି ହରଭଜନ୍‌ ଆଇପିଏଲ୍‌ରେ ବର୍ତ୍ତମାନ ପର୍ଯ୍ୟନ୍ତ ୧୫୦ଟି ୱିକେଟ୍ ହାସଲ କରି ସାରିଛନ୍ତି ।  ଶେଷଥର ପାଇଁ  ସେ ୨୦୧୬ ଏସିଆ କପ୍‌ରେ ଭାରତ ତରଫରୁ ଖେଳିଥିଲେ । 

ଗଣମାଧ୍ୟମ ପ୍ରତିନିଧିଙ୍କ ସହ ଆଲୋଚନା କାଳରେ ହରଭଜନ୍‌ କହିଥିଲେ ଆଇପିଏଲ୍‌ରେ ବୋଲିଂ କରିବାକୁ ଯେ କୌଣସି ସ୍ପିନରଙ୍କ ନିମନ୍ତେ ବେଶ୍ କଷ୍ଟକର। ଆଇପିଏଲ୍‌ ମ୍ୟାଚ୍‌ ଖେଳାଯାଉଥିବା ଅଧିକାଂଶ ପଡ଼ିଆ ଛୋଟ ହୋଇଥିବା ବେଳେ ବ୍ୟାଟସମ୍ୟାନ୍‌ମାନେ ସର୍ବଦା ପ୍ରଭାବ ବିସ୍ତାର କରି ଖେଳିବାକୁ ଚାହାନ୍ତି। ଏପରି ପରିସ୍ଥିତିରେ ସେ ଆଇପିଏଲ୍‌ରେ ଭଲ ପ୍ରଦର୍ଶନ କରିଥିବାରୁ ଅନ୍ତର୍ଜାତୀୟ କ୍ରିକେଟ୍‌ରେ ମଧ୍ୟ ଭଲ ପ୍ରଦର୍ଶନ କରିପାରିବେ ବୋଲି ଆଶା ରଖିଛନ୍ତି। ଆଇପିଏଲ୍‌ରେ ସେ କ୍ରମାଗତ ଭାବେ ଭଲ ପ୍ରଦର୍ଶନ କରୁଥିଲେ ସୁଦ୍ଧା ଜାତୀୟ ଦଳରେ ତାଙ୍କୁ ସାମିଲ କରିବାକୁ ମନୋନୟନକାରୀମାନେ ଅନିଚ୍ଛା ପ୍ରକାଶ କରିବା ବିଷୟକୁ ହରଭଜନ୍‌ ନାପସନ୍ଦ କରିଛନ୍ତି। ଆଇପିଏଲ୍‌ର ପ୍ରତ୍ୟେକ ଦଳରେ ବିଶ୍ବସ୍ତରୀୟ ଖେଳାଳି ରହିଛନ୍ତି। ଅନ୍ୟପକ୍ଷରେ ଅନ୍ତର୍ଜାତୀୟ ସ୍ତରରେ ଟ୍ବେଣ୍ଟି୨୦ କ୍ରିକେଟ୍​‌ ଖେଳୁଥିବା ସବୁ ଦଳରେ ଭଲ ଖେଳାଳି ନାହାନ୍ତି। ଏହାକୁ ଦୃଷ୍ଟିରେ ରଖି ସେ ଅନ୍ତର୍ଜାତୀୟ କ୍ରିକେଟ୍‌ରେ ନିଶ୍ଚିତ ଭାବେ ସଫଳତା ପାଇବେ ବୋଲି ହରଭଜନ୍‌ ଆଶାବ୍ୟକ୍ତ କରିଛନ୍ତି।

Comments are closed.