ହରଭଙ୍ଗାରେ ବନ୍ୟାସ୍ଥିତି ; ବଢୁଛି ବିପନ୍ନଙ୍କ ଦୁର୍ଦ୍ଦଶା

୫ ହଜାର ଜମିରେ ଧାନଚାଷ ନଷ୍ଟ

ହରଭଙ୍ଗା : ମହାନଦୀର ପ୍ରଳୟଙ୍କାରୀ ବନ୍ୟାରେ ବୌଦ୍ଧ ଜିଲ୍ଲାର ହରଭଙ୍ଗା ବ୍ଲକର ୧୦ଟି ପଂଚାୟତର ପାଖାପାଖି ୫୫ ରାଜସ୍ୱ ଗ୍ରାମ ବନ୍ୟାରେ ପ୍ରଭାବିତ ହୋଇଛି। ବନ୍ୟା ପ୍ରଭାବରେ ୩୦ଟି ଗାଁ ୫ଦିନ ହେଲା ଜଳବନ୍ଦୀରେ ରହିଛି। ଏକ ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରାଯାଇଛି। ୨ହଜାରରୁ ଉଦ୍ଧ୍ୱର୍ ଲୋକଙ୍କ ଘରେ ପାଣି ପଶିଥିବାବେଳେ ୫ହଜାର ଧାନ ଚାଷଜମି ବନ୍ୟାପାଣିରେ ନଷ୍ଟ ହୋଇଛି। ଏହା ସହିତ ଅନେକ କଚା ଘର ,ସହିତ ପକ୍କା ଘର ଭାଙ୍ଗିଥିବା ଜଣାପଡିଛି। ହରଭଙ୍ଗା ପଂଚାୟତ କୋଡାଶିଙ୍ଗାର (୨୬୭ଜଣ , କୁଶଙ୍ଗ ପଂଚାୟତ ମାରଡାର (୯୧ଜଣ),ଧଳପୁର ପଂଚାୟତ ଖଣ୍ଡିଧଳପୁରର(୧୦୮ଜଣ),ମଥୁରା ପଂଚାୟତ ଝରାସାହିର (୬୪ଜଣ) ଏବଂ ଶଙ୍କୁଲେଇ ପଂଚାୟତ ପାଣିଘରରା (୩୮୯) ଜଣଙ୍କୁ ମିଶାଇ ମୋଟ୍ ୯୧୯ ଜଣ ବିସ୍ଥାପିତ ଲୋକଙ୍କୁ ୫ଟି କେନ୍ଦ୍ରରେ ରନ୍ଧାଖାଦ୍ୟ ବ୍ୟବସ୍ଥା ପ୍ରଶାସନ ପକ୍ଷରୁ କରାଯାଇଛି। ହରଭଙ୍ଗା ପଂଚାୟତର ୬ନମ୍ବର ୱାର୍ଡ ଅର୍ନ୍ତଗତ ବଜାର ସାହି,ଥାନା ସାହି,ଦେଉଳସାହି ,ଟିକିରାସାହିର ୨ଶହ ପରିବାର ଘରେ ବନ୍ୟାପାଣି ପଶିଥିଲେ ମଧ୍ୟ ସେମାନଙ୍କୁ ରିଲିଫ୍ ବ୍ୟବସ୍ଥା କି ରନ୍ଧାଖାଦ୍ୟ ପ୍ରଦାନ କରାଯାଇନଥିବାରୁ ବିପନ୍ନ ପରିବାର ମଧ୍ୟରେ ଅସନ୍ତୋଷ ଦେଖାଦେଇଛି।ଅନ୍ୟପଟେ କୁଶଙ୍ଗ ପଂଚାୟତର ତିରଡ,ମହୁଲଧର,କୁମାରୀ ଗ୍ରାମରେ ପାଖାପାଖି ଶହେରୁ ଉଦ୍ଧ୍ୱର୍ ପରିବାର ଘରେ ବନ୍ୟା ପାଣି ପଶିଥିବା ଜଣାପଡିଛି।
ସେହିପରି ଭେଜିଗୁଡା,ଡିଆଁଘାଟ,ସମ୍ବଲପୁର,ସୁରୁଣ୍ଡି,ମଲ୍ଲିକପଡା,ରାଉତପଡା,ବୁଲୁରା,ନାଏକପଡା, ତେନ୍ତୁଳିପଦର,ସାକୁଶିଙ୍ଗା ଭଳି ୩୦ଟି ଗାଁ ଜଳବନ୍ଦୀରେ ୫ଦିନ ହେଲା ରହିଛି। ଫଳରେ ଲୋକେ କାମଧନ୍ଦାରୁ ବଂଚିତ ହୋଇ ଭୋକ ଉପାସରେ ଦିନ କ।ଟୁ ଥିବା ଜଣାଯାଇଛି। ଜଳବନ୍ଦୀ ଗାଁ ଲୋକଙ୍କ ପାଇଁ ରିଲିଫ ବ୍ୟବସ୍ଥା କରିବାକୁ ଦାବୀ ହେଉଛି। ଅନ୍ୟପଟେ ଉପରମୁଣ୍ଡରେ ହୀରାକୁଦ୍ ଜଳଭଣ୍ଡାରରେ ଜଳକ୍ଷମତା ବୃଦ୍ଧି ଯୋଗୁଁ ଆଗକୁ ସ୍ଥିତି ଅସମ୍ଭାଳ ଆଡକୁ ଯିବା ଲକ୍ଷ୍ୟ କରାଯାଉଛି। ତୁରନ୍ତ ବନ୍ୟାବିପନ୍ନ ଲୋକଙ୍କୁ ଆବଶ୍ୟକୀୟ ରିଲିଫ ସହିତ ଔଷଧ ପତ୍ର ଯୋଗାଇଦେବାକୁ ସାଧାରଣରେ ଦାବୀ ଉଠୁଛି।
ପଂଚାୟତିରାଜ ମନ୍ତ୍ରୀ ଓ ଜିଲ୍ଲାପାଳଙ୍କ ବନ୍ୟା ଅଂଚଳ ପରିଦର୍ଶନ ..
ବୌଦ୍ଧ ବିଧାୟକ ତଥା ପଂଚାୟତିରାଜ ମନ୍ତ୍ରୀ ପ୍ରଦୀପ କୁମାର ଅମାତ୍, ବୌଦ୍ଧଜିଲ୍ଲାପାଳ ସତ୍ୟରଞ୍ଜନ ସାହୁ, ବୌଦ୍ଧ ଜିଲ୍ଲାପରିଷଦ ଚେୟାରମ୍ୟାନ ପ୍ରଭାସିନୀ ଦାସ,ବୌଦ୍ଧ ଅତିରିକ୍ତ ଜିଲ୍ଲାପାଳ ବବିତାରାଣୀ ଦଳବେହେରା,ପି.ଡି ଅସ୍ୱିନୀ କୁମାର ମେହେର,ହରଭଙ୍ଗା ତହସିଲଦାର ଶମ୍ଭୁଭୂଷଣ ମିଶ୍ର,ଅତିରିକ୍ତ ତହସିଲଦାର ହରିଓମ ଭୋଇ ପ୍ରମୁଖ ହରଭଙ୍ଗାରେ ପଂହଚି ବନ୍ୟାସ୍ଥିତି ଅନୁଧ୍ୟାନ କରିଥିଲେ। ନିଜେ ଜିଲ୍ଲାପାଳ ପ୍ରଶାସନିକ ଅଧିକାରୀଙ୍କ ସହ ବୋଟ୍ରେ କୋଡାଶିଙ୍ଗା ପଂହଚି ଲୋକଙ୍କୁ ବନ୍ୟା ଆଶ୍ରୟସ୍ଥଳୀକୁ ଯିବାକୁ ବୁଝାଇଥରଲେ। ଏହା ସହିତ ରନ୍ଧାଖାଦ୍ୟ ବଂଟନ କେନ୍ଦ୍ରକୁ ମନ୍ତ୍ରୀ ଏବଂ ଜିଲ୍ଲାପାଳ ଯାଇ ଖାଦ୍ୟର ମାନ ମଧ୍ୟ ଯାଂଚ କରିଥିଲେ। ସ୍ୱାସ୍ଥ୍ୟ ବିଭାଗକୁ ଜରୁରୀକାଳୀନ ଔଷଧ ଯୋଗାଇଦେବାକୁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ।
କୋଡାଶିଙ୍ଗ ଗ୍ରାମର ଲୋକଙ୍କୁ ସ୍ଥାନାନ୍ତରିତ …
ହରଭଙ୍ଗା ପଂଚାୟତର ନଦୀକୂଳରେ ଥିବା କୋଡାଶିଙ୍ଗା ଗ୍ରାମର ୬୫ପରିବାରର ୨୬୭ଜଣ ଲୋକଙ୍କୁ ବୋଟ ସାହାଯ୍ୟରେ ସ୍ଥାନାନ୍ତରିତ କରାଯାଇଛି। ବିପନ୍ନ ଗ୍ରାମବାସୀ ନିକଟସ୍ଥ ବନ୍ୟା ଆଶ୍ରୟସ୍ଥଳୀରେ ଦୁଇଦିନ ହେଲା ଆଶ୍ରୟ ନେଉଛନ୍ତି।
ବିସ୍ଥାପିତ ଲୋକଙ୍କୁ ବନ୍ୟା ଆଶ୍ରୟସ୍ଥଳୀରେ ରନ୍ଧାଖାଦ୍ୟ ବ୍ୟବସ୍ଥା କରାଯାଇଛି।
ଅଗ୍ନିଶମବାହିନୀ ଦ୍ୱାରା ମେଗା ଜଳସେଚନର ୩ଜଣ କର୍ମଚାରୀ ଉଦ୍ଧାର..
ନଦୀକୁଳରେଥିବା ତରିଡସ୍ଥିତ ମେଗାଜଳସେଚନ ପ୍ରକଳ୍ପରେ କାର୍ଯ୍ୟକରୁଥିବା ୩ଜଣ କର୍ମଚାରୀଙ୍କୁ ହରଭଙ୍ଗା ଅଗ୍ନିଶମ ବାହିନୀ ୩୦ଫୁଟ ବନ୍ୟା ପାଣିରୁ ସୁରକ୍ଷିତ ଉଦ୍ଧାର କରିଛି।
ସୁନାଖଣିଆ,ଶୀତଳପାଣି ବନ୍ୟପ୍ରାଣୀ ବିଟ୍ରେ ପଶିଲା ପାଣି ୨୫ କର୍ମଚାରୀ ବିସ୍ଥାପିତ ..
କୁଶଙ୍ଗ ବନ୍ୟପ୍ରାଣୀ ଅଭୟାରଣ୍ୟ ମଧ୍ୟରେ ଥିବା ସୁନାଖଣିଆ,ଶୀତଳପାଣି ବିଟ୍ ହାଉସରେ ବନ୍ୟାପାଣି ପଶିବାକୁ ଯୋଗୁଁ ୨୫ଜଣ କର୍ମଚାରୀ ନିକଟସ୍ଥ ପୂର୍ତବିଭାଗ ଡାକବଙ୍ଗଳାକୁ ସ୍ଥାନାନ୍ତରିତ କରାଯାଇଛି।
ହରଭଙ୍ଗା ଥାନା.ପ୍ରାଥମିକ ବିଦ୍ୟାଳୟ ଭିତରେ ପାଣି..
ହରଭଙ୍ଗା ପୁଲିସ ଷ୍ଟେସନ ଓ ପ୍ରାଥମିକ ବିଦ୍ୟାଳୟ ଭିତରେ ବନ୍ୟାପାଣି ପଶିଥିବା ଜଣାପଡିଛି।ଫଳରେ ଥାନାର ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ,କମ୍ପ୍ୟୁଟର ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରାଯାଇଛି।
ହରଭଙ୍ଗା ବଜାରରେ ବନ୍ୟାପାଣି ଅନେକ ଦୋକାନ ଘରେ ପଶିଲା ପାଣି…
ହରଭଙ୍ଗା ବଜାର ଉପରେଥିବା ପଂଚାୟତ ଛକ,ଥାନା ଛକ ଏବଂ ଟିକିରାସାହି ଛକରେ ଥିବା ଲୁଗା ଦୋକାନ, ତେଜରାତି ଦୋକାନ, ଚପଲ ଦୋକାନ,ଚା ଦୋକାନରେ ବନ୍ୟା ପାଣି ପଶି ବ୍ୟାପକ କ୍ଷୟକ୍ଷତି ଘଟାଇଛି। ଫଳରେ ୨୦ଟି ଦୋକାନୀଙ୍କ ଲକ୍ଷ ଲକ୍ଷ ଟଙ୍କା ସାମଗ୍ରୀ ନଷ୍ଟ ହୋଇଛି।
ରିଙ୍ଗ୍ ବନ୍ଧ ଦାବୀ ଦୋହରାଇଲେ ବନ୍ୟାପ୍ଲାବିତ ଗାଁ ଲୋକେ…
ମହାନଦୀ ବନ୍ୟାରେ ପ୍ରତିବର୍ଷ ପ୍ରଭାବିତ ହେଉଛି ହରଭଙ୍ଗା ତହସିଲର ୫୫ଟି ରାଜସ୍ୱ ଗ୍ରାମ।ବନ୍ୟା ଦାଉରୁ ଚାଷଜମି,ବାସସ୍ଥାନ ,ଜୀବିକା ବଂଚାଇବା ପାଇଁ ରିଙ୍ଗବନ୍ଧ ଆବଶ୍ୟକତା ଦାବୀକୁ ହରଭଙ୍ଗା,କୋଡାଶିଙ୍ଗା ଗ୍ରାମଲୋକେ ମନ୍ତ୍ରୀ ଏବଂ ଜିଲ୍ଲାପ୍ରଶାସନ ପାଖରେ ଦାବୀକୁ ଦୋହରାଇଛନ୍ତି। ୪ହଜାର କୋଟି ଟଙ୍କା ବ୍ୟୟବରାଦରେ ପ୍ରସ୍ତାବିତ ରିଙ୍ଗବନ୍ଧ ନିର୍ମାଣ ଯୋଜନା ରହିଥିବା ପ୍ରଶାସନ ପକ୍ଷରୁ ସ୍ପଷ୍ଟ କରାଯାଇଛି।

Comments are closed.