ଅସହାୟ ଶିଶୁ ଓ ମା’ଙ୍କୁ ଉଦ୍ଧାର କଲା ସକ୍ଷୀ ଓାନଷ୍ଟପ ଟିମ୍‍

ହରଭଙ୍ଗା: କରୋନା ଭଳି ମହାମାରୀ ସମୟରେ ଦିନରାତି ହରଭଙ୍ଗା ବ୍ଲକ ସଦର ମହକୁମା ଚାରିଛକର ଏକ ମଦ ଦୋକାନ ବାରଣ୍ଡାରେ ଅସହାୟ ଏବଂ ଅସୁରକ୍ଷିତ ଅବସ୍ଥାରେ ଦିନକାଟୁଥିଲେ ମାଆ ଭେଟଲି ଭୁକ୍ତା ଏବଂ ତାଙ୍କ କୋମଳମତି ଶିଶୁ ପୁତ୍ର।ଶନିବାର ସକାଳେ ବୌଦ୍ଧ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ କାର୍ଯ୍ୟାଳୟ ପକ୍ଷରୁ ସୁରକ୍ଷା ଅଧିକାରୀ ସର୍ମୀଷ୍ଠା ହୋତାଙ୍କ ନେତୃତ୍ୱରେ ସକ୍ଷୀ ଓାନଷ୍ଟପ କେନ୍ଦ୍ର ପରିଚାଳିକା ତଦସା ମାଝୀ, ଆଈନ ଉପଦେଷ୍ଟା ଅମ୍ରିତ କୁମାର ପ୍ରଧାନ, ଏ.ଏନ.ଏମ ବର୍ଷାରାଣୀ ନାଏକ, ଆ.ଟି.ଏ ତୋଫାନ ମହାରଥି, ଜିଲ୍ଲା କନସଲଟାଂଟ ପ୍ରବିଜ୍ଞା ଦାସଙ୍କ ମିଳିତ ଉଦ୍ୟମରେ ଟିମ ଏହି ଅସହାୟ ମାଆ ପୁଅ ପାଖରେ ପଂହଚି ତାଙ୍କର ସୁବିଧା ଅସୁବିଧା ବିଷୟରେ ପଚରାଉଚରା କରିଥିଲେ। ବହୁ ବୁଝାସୁଝା ପରେ ମା ଓ ପୁଅଙ୍କୁ ବୌଦ୍ଧ ବୁଟୁପାଲ୍ଲୀସ୍ଥିତ ସ୍ୱାଧାର ଗୃହକୁ ଆଣାଯାଇ ସେଠାରେ ଥଇଥାନ କରାଯାଇଛି।

ବିଳମ୍ବରେ ହେଉପଛେ ସୁରକ୍ଷା ଅଧିକାରୀ ଏବଂ ତାଙ୍କ ଟିମର ମହତ୍‍ କାର୍ଯ୍ୟକୁ ସାଧାରଣରେ ସ୍ୱାଗତ କରାଯାଇଛି।ସୂଚନା ଥାଉ କି ଭେଟଲି ଭୋକ୍ତାଙ୍କ ଘର ଧଳପୁର ପଂଚାୟତ ଅର୍ନ୍ତଗତ କଙ୍କଲା ଗ୍ରାମ। ଗତ କିଛି ବର୍ଷ ତଳେ ସେ କନ୍ଧମାଳ ଜିଲ୍ଲା ଖଜୁରୀପଡା ଅଂଚଳରେ ବିବାହ କରିଥିଲେ।କୌଣସି କାରଣରୁ ଶଶୁର ଘର ଲୋକେ ତାଙ୍କୁ ସେଠାରୁ ତଡିଦେବାରୁ ସେ ଗତ କିଛି ବର୍ଷହେଲା ଚାରିଛକର ଏକ ମଦ ଦୋକାନ ବାରଣ୍ଡାରେ ନିଜ ଶିଶୁପୁତ୍ରକୁ ଧରି ଅସୁରକ୍ଷିତ ଅବସ୍ଥାରେ ରହିଆସୁଥିଲେ।ଗତ ମେ ୯ତାରିଖରେ ଏ ସର୍ମ୍ପକରେ ଏକ ଶୀର୍ଷକ ଖବର ‘ସମାଜ’ରେ ପ୍ରକାଶ ପାଇଥିଲା।ଏହାପରେ ସ୍ଥାନୀୟ ବି.ଡି.ଓ ମଧ୍ୟ ତାଙ୍କ ପାଖରେ ପଂହଚି ରନ୍ଧାଖାଦ୍ୟ ପ୍ରଦାନ କରିଥିଲେ।କିନ୍ତୁ ତାଙ୍କୁ ଥଇଥାନ କାର୍ଯ୍ୟରେ ବିଳମ୍ବ ହୋଇଥିଲା।

Comments are closed.