ପୋଲ ନିର୍ମାଣକାର୍ଯ୍ୟ ଅଧପନ୍ତରିଆକୁ ନେଇ ତେଜୁଛି ଅସନ୍ତୋଷ

ଜିଲାପାଳଙ୍କୁ ଦାବିପତ୍ର ପ୍ରଦାନ, ଦାବିପୁରଣ ନ ହେଲେ ଆନ୍ଦୋଳନ ଧମକ

ହରଭଙ୍ଗା: ବୌଦ୍ଧ ଜିଲା ହରଭଙ୍ଗା ବ୍ଲକ ବାଣୀ ଭୂଷଣପୁର ପଞ୍ଚାୟତ ଅର୍ନ୍ତଗତ ବାହାଲି ପୋଲ ନିର୍ମାଣ କାର୍ଯ୍ୟ ଅଧପନ୍ତରିଆକୁ ନେଇ ଗାଁଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ଏ ସର୍ମ୍ପକରେ ଗତ ୨୮ତାରିଖ ଗ୍ରାମବାସୀଙ୍କ ପକ୍ଷରୁ ଜିଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିବା ଜଣାପଡିଛି। ଆସନ୍ତା ୬ତାରିଖ ସୁଦ୍ଧା ଦାବିପୂରଣ ନହେଲେ ୭ତାରିଖ ସକାଳେ ୫୭ନଂ ଜାତୀୟ ରାଜପଥ ଅବରୋଧ କରିବା ପାଇଁ ଗ୍ରାମବାସୀଙ୍କ ପକ୍ଷରୁ ଅଭିଯୋଗପତ୍ରରେ ଚେତାବନୀ ଦିଆଯାଇଥିବା ଜଣାପଡିଛି। ପ୍ରକାଶ ଯେ ହରିଜନ-ଆଦିବାସୀ ବହୁଳ ବାହାଲି ଗ୍ରାମର ନାଳ ଉପରେ ଏକ ପୋଲ ନିର୍ମାଣ ପାଇଁ ଦୀର୍ଘଦିନରୁ ଗ୍ରାମବାସୀ ପକ୍ଷରୁ ଦାବି ହୋଇଆସୁଥିଲା। ୨୦୧୮-୧୯ରେ ମନରେଗା ଯୋଜନାରେ ବାହାଲି ପୋଲ ନିର୍ମାଣ କାର୍ଯ୍ୟ ହାତକୁ ନିଆଯାଇଥିଲା। ପ୍ରଥମ ଦଫାରେ ୨୦ଲକ୍ଷ ଏବଂ ପରବର୍ତ୍ତୀ ପର୍ଯ୍ୟାୟରେ ଆଉ ୨୦ଲକ୍ଷ ଟଙ୍କା ମନରେଗା ଯୋଜନାରେ ଏହାର ନିର୍ମାଣ କାର୍ଯ୍ୟ କରାଯିବାକୁ ସ୍ଥିର ହୋଇଥିଲା। ମାତ୍ର ପ୍ରଥମ ପର୍ଯ୍ୟାୟରେ ୨୦ଲକ୍ଷ ଟଙ୍କା ବ୍ୟୟବରାଦରେ ହୋମପାଇପ ପକାଇଯାଇ ଏହାର ନିର୍ମାଣକାର୍ଯ୍ୟ ଆଗେଇଚାଲିଥିଲା। ପ୍ରଥମ ଦଫାରେ ବ୍ୟୟବରାଦ ହେବାକୁଥିବା ୨୦ଲକ୍ଷଟଙ୍କାରୁ ତିନୋଟି ପର୍ଯ୍ୟାୟରେ ୭ଲକ୍ଷଟଙ୍କାରୁ ଅଧିକ ବିଲ ବ୍ଲକ ସହକାରୀ ଯନ୍ତ୍ରୀଙ୍କ ଦସ୍ତଖତରେ ପଇଠ ହୋଇଥିଲା। ଦ୍ୱିତୀୟ ପର୍ଯ୍ୟାୟରେ ବାକିଥିବା ୧୨ଲକ୍ଷ୪୫ହଜାର ଟଙ୍କା ବିଲ ପଇଠ ସମୟରେ ବୌଦ୍ଧ ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପକ୍ଷରୁ ୨୦ଲକ୍ଷ ଟଙ୍କା କାର୍ଯ୍ୟର ବିଲ ମଞ୍ଜୁର କରିବାର କ୍ଷମତା ବ୍ଲକ ସହକାରୀ ଯନ୍ତ୍ରୀଙ୍କ ନଥିବା ଦର୍ଶାଇ ବିଲ ପଇଠରେ ତ୍ରୁଟି ଅନିୟମିତତାଥିବା ଦର୍ଶାଗଲା। ଏହି ଘଟଣା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପିଡିଙ୍କ ଦୃଷ୍ଟିଗୋଚର ପରେ ସେତୁ କାର୍ଯ୍ୟ ନଥିପତ୍ର ଖୋଳତାଡ ଆରମ୍ଭ ହେଲା। ଏଭଳି ତ୍ରୁଟି ଦର୍ଶାଇ ସେତୁ ନିର୍ମାଣ କାର୍ଯ୍ୟ ବିଲ ପଇଠ ପାଇଁ ବୌଦ୍ଧ ଗ୍ରାମ୍ୟ ଉନ୍ନୟନସଂସ୍ଥା ପଞ୍ଚାୟତିରାଜ ବିଭାଗକୁ ସହମତି ମାଗିଥିବାରୁ ବିଲ ପଇଠରେ କେଁ ଉପୁଜିଥିଲା। ଯାହାଫଳରେ ସେତୁ ନିର୍ମାଣ କାର୍ଯ୍ୟ ଦୀର୍ଘ ଦେଢବର୍ଷ ହେଲା ଅଧପନ୍ତରିଆ ହୋଇପଡିରହିଲା।

ଗତ ମାର୍ଚ୍ଚ ମାସରେ ବାହାଲି ପୋଲନିର୍ମାଣ ଅନିୟମିତତା ଘଟଣାର ତଦନ୍ତ ପାଇଁ ପଞ୍ଚାୟତରାଜ ଅଧିକ୍ଷଣ ଯନ୍ତ୍ରୀ ଅକ୍ଷୟ କୁମାର ଜେନା ହରଭଙ୍ଗା ପହଞ୍ଚି ଏହାର ତଦନ୍ତ କରିଥିଲେ। ୩ମାସ ପରେ ବି ପଞ୍ଚାୟତରାଜ ବିଭାଗ ପକ୍ଷରୁ ପୋଲ ନିର୍ମାଣ ତ୍ରୁଟି, ଅନିୟମିତତା କିମ୍ବା ସହମତି ଉପରେ କୌଣସି ଉତର ମିଳିିନଥିବା ଜଣାପଡିଛି। ଫଳରେ ଦୀର୍ଘ ଦିନହେଲା ଅଧପନ୍ତରିଆ ସେତୁ ନିର୍ମାଣ କାର୍ଯ୍ୟ ଝୁଲନ୍ତା ଅବସ୍ଥାରେ ପଡିରହିଛି। ଯାହାଫଳରେ ଏହି ସେତୁ ଉପରେ ନିର୍ଭର କରୁଥିବା ବାହାଲି, ଖୁଣ୍ଟପଡା, ହରିଡାବିଡା, ଗୁଣ୍ଡୁରିବିଡା ଏବଂ ତିଲକୂପ ଭଳି ୫ଟି ଗାଁ ଲୋକେ ଯାତାୟତ ପାଇଁ ନାନାବିଧି ଅସୁବିଧା ଭୋଗୁଛନ୍ତି। ବର୍ଷାଦିନ ପହଞ୍ଚି ଯାଇଥିବାରୁ ତୁରନ୍ତ ଏହାର ନିର୍ମାଣ କାର୍ଯ୍ୟ ଶେଷ କରିବାକୁ ବାହାଲି ଗ୍ରାମର ନାରାୟଣ ପାତ୍ର, ପ୍ରଶାନ୍ତ କୁମାର ବାରିକ, ହରିହର ସିଂ ପ୍ରମୁଖ ଗ୍ରାମବାସୀ ପକ୍ଷରୁ ଦାବି ହେଉଛି। ଏଥିପ୍ରତି ପଞ୍ଚାୟତରାଜ ବିଭାଗ ସ୍ୱତନ୍ତ୍ର ଦୃଷ୍ଟି ଦେବା ସହିତ ଏହାର ନିର୍ମାଣ କାର୍ଯ୍ୟ ଶେଷ କରିବାକୁ ଦାବି ହେଉଛି।

Comments are closed.