ହରଭଙ୍ଗାରେ ପ୍ରାଣୀଧନ ସେବା ବିପର୍ଯ୍ୟସ୍ତ: ଦଶ ବର୍ଷ ହେଲା ଜଣେ ରାତ୍ରୀ ଜଗୁଆଳୀ ଭରସାରେ ଚାଲିଛି ପ୍ରାଣୀଧନ ଚିକିତ୍ସା କେନ୍ଦ୍ର

ଖାଲିପଡିଛି ୩ଟି ପ୍ରାଣୀ ଚିକିତ୍ସକ ଓ ୩ଟି ପ୍ରାଣୀଧନ ନୀରିକ୍ଷକ ପଦବୀ

ହରଭଙ୍ଗା: ସରକାର ଲୋକଙ୍କୁ ସ୍ୱାବଲମ୍ବି କରିବା ପାଇଁ ଗୋ-ପାଳନ ଠାରୁ ଆରମ୍ଭକରି ଛେଳି, ମେଣ୍ଢା, କୁକୁଡା ଚାଷ ପାଇଁ ଆବଶ୍ୟକୀୟ ସୁବିଧା ସୁଯୋଗ ଯୋଗାଇ ଦେଉଛନ୍ତି। କିନ୍ତୁ ବାସ୍ତବ ପକ୍ଷେ ପଶୁ, ପକ୍ଷୀଙ୍କ ଚିକିତ୍ସାପାଇଁ ଚିକିତ୍ସାକେନ୍ଦ୍ରରେ ଆବଶ୍ୟକୀୟ ଡାକ୍ତର ପଦବୀ ସାଙ୍ଗକୁ ପଶୁଧନ ନୀରିକ୍ଷକ ସହିତ ଆନୁସଙ୍ଗିକ ବିଭାଗୀୟ କର୍ମଚାରୀ ଭଳି ପଦବୀଗୁଡିକ ଦୀର୍ଘଦିନ ଧରି ଖାଲିପଡିଥିବାରୁ ବୌଦ୍ଧ ଜିଲାର ହରଭଙ୍ଗା ବ୍ଲକରେ ସଂପ୍ରତି ଏକପ୍ରକାର ପଶୁସେବା ବିପର୍ଯ୍ୟସ୍ତ ହୋଇପଡିଥିବା ଲକ୍ଷ୍ୟକରାଯାଇଛି। ଯାହାଫଳରେ ପ୍ରତିବର୍ଷ ଗୃହପାଳିତ ପ୍ରାଣୀଙ୍କୁ ସାହାଣା, ଫାଟୁଆ, ଆନ୍ଥ୍ରାକ୍ସ(୍ପ୍ଲିହାଜ୍ୱର)ଥେଲେରିଓସିସ୍, ବ୍ରୁସେଲୋସିସ ଆଦି ସଂକ୍ରାମକ ରୋଗର ନିରାକରଣ ପାଇଁ ଆବଶ୍ୟକୀୟ ପ୍ରତିଷେଧକ ଟୀକାକରଣ ସଠିକ୍ ସମୟରେ ହୋଇପାରୁନାହିଁ। ଫଳରେ ଗାଈ,ଗୋରୁ, ପୋଢ, ମଇଁଷି ଅକାଳରେ ମୃତ୍ୟୁବରଣ କରୁଛନ୍ତି। ସେହିପରି ଛେଳି, ମେଣ୍ଢାଙ୍କ ପିପିଆର, ବସନ୍ତ, ଆନ୍ତ୍ରିକ ଜ୍ୱରର ନିରାକରଣ ପାଇଁ ଏବଂ କୁକୁଡାଙ୍କ ଘୁମାରୋଗ (ରାଣିକ୍ଷେତ ରୋଗ) ପାଇଁ ପ୍ରତିଷେଧକ ଟୀକାକରଣ ମଧ୍ୟ ଠିକ ସମୟରେ ହୋଇପାରୁନାହିଁ।
ପ୍ରକାଶ ଯେ ହରଭଙ୍ଗାବ୍ଲକର ହରଭଙ୍ଗା ଏବଂ ପୁରୁଣାକଟକ ଭଳି ଦୁଇଟି ସ୍ଥାନରେ ୨ଟି ପ୍ରାଣୀ ଚିକିତ୍ସା କେନ୍ଦ୍ରରହିଛି। ସେହିପରି ବ୍ଲକର ତଳଗାଁ, କଂରଜକଟା, ଧଳପୁର, ହରେକୃଷ୍ଣପୁର, ଆଡେଣିଗଡ, କେଳାକଟା, ସରସରାଭଳି ସ୍ଥାନରେ ୭ଗୋଟି ପ୍ରାଣୀ ସହାୟକ କେନ୍ଦ୍ର ରହିଛି।ଆଗାମୀ ଦିନରେ ଶଙ୍କୁଲେଇ, ବୀରନରସିଂହପୁର, କୁଶଙ୍ଗ ଏବଂ ରାମଗଡ ଭଳି ସ୍ଥାନରେ ଆହୁରି ୪ଟି ପ୍ରାଣି ସହାୟକ କେନ୍ଦ୍ର ଖୋଲିବା ପାଇଁ ସରକାରୀ ମଞ୍ଜୁରୀ ମିଳିଛି। ହରଭଙ୍ଗା ବ୍ଲକ ଭଳି ପ୍ରାଣୀ ଚିକିତ୍ସା କେନ୍ଦ୍ରରେ ଉପରେ ଶଙ୍କୁଲେଇ, ଛତ୍ରଙ୍ଗ, ହରଭଙ୍ଗା, ମହାଲ୍ଲିକପଡା ଭଳି ୪ଟି ପଞ୍ଚାୟତର ହଜାର ହଜାର ଲୋକ ନିର୍ଭର କରନ୍ତି। ଏହି ପଶୁୁ ଚିକିତ୍ସାକେନ୍ଦ୍ରରେ ଜଣେ ବିଭିଓ (ବ୍ଲକ ପ୍ରାଣୀଧନ ଚିକିତ୍ସା ଅଧିକାରୀ) ଜଣେ ଏବିଭିଓ, ଜଣେ ପ୍ରାଣୀଧନ ନୀରିକ୍ଷକ, ପିଅନ ଭଳି ପଦବୀ ରହିଥିଲେ ସୁଦ୍ଧା ୨୦୧୨ମସିହାରୁ ଏଠାରେ ଜଣେ ଡାକ୍ତର କିମ୍ବା ଜଣେ ପ୍ରାଣୀଧନ ନୀରିକ୍ଷକ ନଥିବାରୁ ଏହି ପ୍ରାଣୀ ଚିକିତ୍ସା କେନ୍ଦ୍ରଟି ଦୀର୍ଘ ୧୦ବର୍ଷ ହେଲା ଜଣେ ରାତ୍ରୀ ଜଗୁଆଳୀ ଭରସାରେ ଚାଲୁଥିବା ଜଣାପଡିଛି।


ସେହିପରି ହରେକୃଷ୍ଣପୁର ଏବଂ ପୁରୁଣାକଟକ ଭଳି ଦୁଇଟି ପ୍ରାଣୀଧନ ନୀରିକ୍ଷକ ପଦବୀ ଖାଲିପଡିଛି। ବର୍ତ୍ତମାନ ସ୍ଥିତିରେ ବ୍ଲକରେ ୩ଜଣ ପଶୁଡାକ୍ତର ପଦବୀ ଖାଲିପଡିଥିବା ଜଣାପଡିଛି। ଫଳରେ ବଘିଆପଡାର ପଶୁ ଚିକିତ୍ସା ଅଧିକାରୀଙ୍କୁ ପୁରୁଣାକଟକ ପ୍ରାଣୀ ଚିକିତ୍ସା କେନ୍ଦ୍ରର ଅତିରିକ୍ତ ଦାୟିତ୍ୱ ପ୍ରଦାନ କରାଯାଇଛି। ମାତ୍ର ଜଣେ ପ୍ରାଣୀ ଡାକ୍ତରଙ୍କୁ ଦୁଇ ଦୁଇଟି ପଶୁ ଚିକିତ୍ସା କେନ୍ଦ୍ରର ଦାୟିତ୍ୱ ଫଳରେ ତାଙ୍କ ପକ୍ଷେ ତ୍ୱରିତ ପ୍ରାଣୀଧନ ସେବା ଯୋଗାଇବା ସମ୍ଭବପର ହେଉନାହିଁ। ଏହା ସହିତ ଆଉ ଜଣେ ପ୍ରାଣୀଧନ ଚିକିତ୍ସାଧିକାରୀ ମ୍ୟାଟ୍ରନିଟି ଛୁଟିରେ ରହିଛନ୍ତି। ଫଳରେ ହରଭଙ୍ଗା ବ୍ଲକରେ ବିନା ପ୍ରାଣୀଧନ ଚିକିତ୍ସକରେ ପ୍ରାଣୀଧନ ସେବା ଚାଲିଥିବା ଭଳି ଆଉ ଏକ ବିକଳ ଚିତ୍ର ବିପର୍ଯ୍ୟସ୍ତ ପଶୁ ସେବାର ନଗ୍ନ ଚେହେରା ପଦାରେ ପକାଇଛି। ବ୍ଲକରେ ପଶୁ ଚିକିତ୍ସାଧିକାରୀ ସହିତ ପ୍ରାଣିଧନ ନିରୀକ୍ଷକ ଏବଂ କର୍ମଚାରୀ ଅଭାବ ଯୋଗୁଁ ବ୍ଲକରେ ପ୍ରତିବର୍ଷ ସଠିକ ସମୟରେ ଟୀକାକରଣ କରାଯିବାରେ ବ୍ୟତିକ୍ରମ ପରିଲିକ୍ଷିତ ହେଉଛି।ଏହା ସହିତ ବ୍ଲକର ଲୁଣିବାହାଲଠାରେ ନୂତନଭାବେ ଏକ ଦୁଗ୍ଧ ଶୀତଳୀକରଣ କେନ୍ଦ୍ର ଖୋଲିଯିବା ପରେ ଦୁଗ୍ଧଚାହୀ ଲୋକେ ଗୋ-ଏବଂ ମଇଁଷି ପାଳନ ଉପରେ ଚାଷୀ ଆଗ୍ରହ ପ୍ରକାଶ କରୁଛନ୍ତି। ମାତ୍ର ବିନା ଡାକ୍ତରରେ ବ୍ଲକରେ ପ୍ରାଣୀଧନ ନୀରିକ୍ଷକଙ୍କ ଦ୍ୱାରା ପ୍ରାଣୀଧନ ସେବା ଏକମାତ୍ର ବିକଳ୍ପ ହୋଇରହିଛି। ଯାହାଫଳରେ ଶଙ୍କର ଜାତୀୟ ଗାଈ ଗୋରୁ ରୋଗାକ୍ରାନ୍ତ ହେଲେ ଆବଶ୍ୟକୀୟ ଚିକିତ୍ସାରୁ ବଂଚିତ ହୋଇ ଚାଷୀ କ୍ଷତିଗ୍ରସ୍ତ ହେବା ଜଳ ଜଳ ହୋଇ ଦିଶୁଛି। ଏଥିପ୍ରତି ରାଜ୍ୟ ଏଚଆରଡି କମିଶନର ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ଦାବୀ ହେଉଛି।ସୂଚନା ଥାଉ କି ଜିଲ୍ଲାର କଂଟାମାଳ ଏବଂ ହରଭଙ୍ଗା ଭଳି ଦୁଇଟି ବ୍ଲକରେ ବ୍ଲକ ପ୍ରାଣୀଧନ ଚିକିତ୍ସାଧିକାରୀ ପଦବୀ ଖାଲିପଡିଛି। ଏହା ସହିତ ଜିଲାରେ ରହିଥିବା ୩୭ଟି ପ୍ରାଣୀଧନ ସହାୟକ କେନ୍ଦ୍ରରେ ମାତ୍ର ୧୭ଜଣ ପ୍ରାଣୀଧନ ନୀରିକ୍ଷକ ରହିଥିବା ସୂଚନା ମିଳିଛି। ଏ ସଂର୍ପକରେ ବୌଦ୍ଧ ମୁଖ୍ୟ ପ୍ରାଣୀଧନ ଚିକିତ୍ସା ଅଧିକାରୀ ଡାକ୍ତର ଅମିତାଭ ପଣ୍ଡାଙ୍କୁ ପଚାରିବାରୁ ହରଭଙ୍ଗା ଏବଂ କଂଟାମାଳ ଭଳି ଦୁଇ ବ୍ଲକରେ ପ୍ରାଣୀଧନ ଚିକିତ୍କକ ପଦବୀ ଖାଲିରହିଥିବା ସ୍ୱୀକାର କରିଛନ୍ତି। ଏ ସଂର୍ପକରେ ଆମେ ସରକାରଙ୍କୁ ବାରମ୍ବାର ଜଣାଉଛୁ, ମାତ୍ର ଖାଲିପଡିଥିବା ପ୍ରାଣୀଧନ ଚିକିତ୍ସକ ପଦବୀ ପୂରଣରେ ବିଳମ୍ବ ଯୋଗୁଁ ବହୁ ସମସ୍ୟା ମଧ୍ୟ ଦେଖାଯାଉଛି ବୋଲି ସେ ପ୍ରକାଶ କରିଛନ୍ତି।

Comments are closed.