ଲକଡାଉନରେ ମହଙ୍ଗା ମାଡ, ଗରିବ ଖାଉଟି ହନ୍ତସନ୍ତ

ରିଫାଇନ ତେଲ ୨ଶହ, ସୋରିଷ ତେଲ ୧୮୦, ହରଡ ଡାଲି ୧୫୦

ହରଭଙ୍ଗା: ଲକଡାଉନ ସମୟରେ ଖାଇବା ତେଲ ଓ ଡାଲି ଭଳି ଅତ୍ୟାବଶ୍ୟକ ସାମଗ୍ରୀର ଅହେତୁକ ଦରବୃଦ୍ଧି ଗରିବ ମଧ୍ୟବିତ ଖାଉଟିଙ୍କୁ ହନ୍ତସନ୍ତ କରିଛି। ଗୋଟିଏ ପଟେ ଲକଡାଉନ ଯୋଗୁଁ ଖଟିଖିଆ ଦିନ ମଜୁରୀଆ କାମଧନ୍ଦା ବନ୍ଦରୁ ରୋଜଗାର ହରାଇ ବସିଛି। ଅନ୍ୟପଟେ ପ୍ରତିଦିନ ଚା, ଗୁପଚୁପ୍‍, ଚାଟ ବିକ୍ରୀ କରି ତେଲ ଲୁଣ ଯୋଗାଡ କରୁଥିବା କ୍ଷୁ୍‍ଦ୍ର ବ୍ୟବସାୟୀ ଏବଂ ମଧ୍ୟବିତ ପରିବାର ଉପରେ ତେଲ, ଡାଲି ଭଳି ଅତ୍ୟାବଶ୍ୟକ ସାମଗ୍ରୀର ମହଙ୍ଗାମାଡ ଖାଉଟିଙ୍କ ପାଇଁ ବୋଝ ଉପରେ ନଳିତା ବିଡା ସଦୃଶ ହୋଇଛି। ଦୁଇମାସ ତଳେ ଶେହେ ଟଙ୍କା ଥିବା ରିଫାଇନ ତେଲ ବର୍ତମାନ ଦରବୃଦ୍ଧି ଘଟି ୨ଶହ ଟଙ୍କାରେ ବିକ୍ରୀ ହେଉଛି।ସେହିପରି ୭୦ଟଙ୍କା ଥିବା ପାମୋଲିନ ଲିଟର ଥିବା ବେଳେ ବର୍ତମାନ ଦରବୃଦ୍ଧି ଘଟି ୧୫୦ଟଙ୍କାରେ ଲିଟର ପଂହଚିଛି।

ସେହିପରି ନିତ୍ୟ ବ୍ୟବହାର ସୋରିଷ ତେଲ ଲିଟର ୧୮୦ଟଙ୍କାରେ ପଂହଚିଲାଣି ଏହା ସହିତ ଭଲ ହରଡ ଡାଲି କିଲୋ ୧୫୦ ଟଙ୍କା ଦର ବୃଦ୍ଧି ଗରିବଙ୍କ ହାଣ୍ଡିଶାଳରେ ମହଙ୍ଗାମାଡ କରିଛି। ମହାମାରୀ ମହାବିପତି ସମୟରେ ଦୋକାନୀମାନେ ଚଢା ଦରରେ ତେଲ ବିକ୍ରୀକରିଥିବାରୁ ଗରିବ, ମଧ୍ୟବିତ ଖାଉଟି ଶୋଷଣର ଶୀକାର ହେଉଛନ୍ତି। ଏ ଦିଗରେ ଖାଉଟି କଲ୍ୟାଣ ବିଭାଗ ସ୍ୱତନ୍ତ୍ର ଦୃଷ୍ଟି ଦେବା ସହ ଦୋକାନୀଙ୍କୁ ଅତ୍ୟାବଶ୍ୟକ ସାମଗ୍ରୀର ଦର ତାଲିକା ଝୁଲାଇବା ପାଇଁ ନିର୍ଦ୍ଦେଶ ଦେବା ଦିଗରେ ଆଇନଗତ ପଦକ୍ଷେପ ନେବାକୁ ଖାଉଟି ମହଲରୁ ଦାବୀ ହେଉଛି।

Comments are closed.