ହରଭଙ୍ଗାରେ ଅଣାୟତ ସ୍ଥିତିରେ କରୋନା, ୮ଟି ସ୍ଥାନ ଆବଦ୍ଧାଚଂଳ ଘୋଷଣା

ହରଭଙ୍ଗା: ହରଭଙ୍ଗା ବ୍ଲକରେ ଅଣାୟତସ୍ଥିତିରେ ପଂହଚିଲାଣି ମହାମାରୀ। ଦୈନିକ ସଂକ୍ରମଣ ଲଗାତାର ବୃଦ୍ଧି ପାଇବାରେ ଲାଗିଛି। ଗାଁରୁ ଗାଁକୁ ସଂକ୍ରମଣ ବୃଦ୍ଧି ଘଟୁଥିବା ବେଳେ ଦେଢଶହ ଜଣ ଏକାବେଳେ ସଂକ୍ରମିତ ଚିହ୍ନଟ ହେବା ଘଟଣା ପ୍ରଶାସନ ଏବଂ ଜନସାଧାରଣଙ୍କୁ ଚିନ୍ତାରେ ପକାଇଛି। ବ୍ଲକରେ କରୋନା ଗ୍ରାଫ ଉପରମୁହାଁ ହୋଇ ଗୁରୁବାର ସୁଦ୍ଧା ସଂକ୍ରମଣ ସଂଖ୍ୟା ୧୦୯୬ରେ ପଂହଚିଛି। ଆଜି ବ୍ଲକରୁ ଏକାବେଳେ ୧୫୦ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ବ୍ଲକର କରୋନା ହଟସ୍ପଟ ଶ୍ୟାମସୁନ୍ଦପୁର ଗାଁରୁ ଏକାବେଳେ ୫୭ଜଣ ଏବଂ ସାମ୍ପୋଚରୁ ୫୫ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।ଗ୍ରାମଚଂଳରେ ସଂକ୍ରମଣ ଲଗାତାର ବୃଦ୍ଧି ପାଉଥିବା ଅତ୍ୟନ୍ତ ଚିନ୍ତାଜନକ ବିଷୟ।ମାତ୍ର ପ୍ରାରମ୍ଭରୁ ସଂକ୍ରମିତ ଗାଁରେ କରୋନାର ଢିଲା କଟକଣା ସାଙ୍ଗକୁ ଆକ୍ରାନ୍ତ ବ୍ୟକ୍ତିଙ୍କୁ କ୍ଲଷ୍ଟର ଟି.ଏମ.ସିରେ ଥଇଥାନ କରାନଯିବା ଗ୍ରାମଚଂଳ ସଂକ୍ରମଣ ବୃଦ୍ଧିର ପ୍ରମୁଖ କାରଣ ବୋଲି ମତପ୍ରକାଶ ପାଉଛି।

ସ୍ୱେଛାସେବୀ ଓ ସାମାଜିକ ସଂଗଠନଙ୍କ ସହାୟତା ଲୋଡିଲା ପ୍ରଶାସନ
ଜିଲ୍ଲାରେ କରୋନା ଦ୍ରୁତ ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ଗୁରୁବାର ଜିଲ୍ଲାପ୍ରଶାସନ ପକ୍ଷରୁ ସ୍ୱେଛାସେବୀ ଓ ସାମାଜିକ ସଂଗଠନଗୁଡିକଙ୍କ ସହାୟତା ପାଇଁ ଏକ ସ୍ୱତନ୍ତ୍ର ଗାଇଡଲାଇନ ଜାରି କରିଛି। ପ୍ରଶାସନ ପକ୍ଷରୁ ଜାରି ହୋଇଥିବା ୭ଦଫା ଗାଇଡଲାଇନରେ ସ୍ୱେଛାସେବୀ ଏବଂ ସାମାଜିକ ସଂଗଠନ ଗୁଡିକର ସହାୟତା ଲୋଡିଛି। ଏହା ସହିତ ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ସହିତ ମାସ୍କ ପରିଧାନ ଓ ସାମାଜିକ ଦୂରତ୍ୱକୁ ବଜାୟ ରଖିବା, ନିଜ ଅଂଚଳକୁ ଫେରୁଥିବା ପ୍ରବାସୀଙ୍କ ସଂର୍ପକରେ ସ୍ଥାନୀୟ ବି.ଡି.ଓ ଏବଂ ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ସୂଚନା ଦେବା ସହିତ ନିକଟସ୍ଥ କ୍ଲଷ୍ଟର ଟି.ଏମ.ସିରେ ଥଇଥାନ ବ୍ୟବସ୍ଥା କରିବା, ଗ୍ରାମ୍ୟ କମିଟି ମାଧ୍ୟମରେ ଗୃହପୃଥକାବାସରେ ରହୁଥିବା ରୋଗୀଙ୍କ ଅନୁଧ୍ୟାନ କରି ସେମାନଙ୍କୁ ସଠିକ ପରାମର୍ଶ ଓ ଚିକିତ୍ସା ସୁନିଶ୍ଚିତ କରିବା, ଅଂଚଳରେ ଅନୁଷ୍ଟିତ ହେଉଥିବା ବିବାହ ଭଳି ଅନ୍ୟାନ୍ୟ ସାମାଜିକ କାର୍ଯ୍ୟକ୍ରମରେ କୋଭିଡ ନିୟମର ଅନୁପାଳନର ତଦାରଖ ସହିତ ଏହାର ବ୍ୟତିକ୍ରମ ଦିଗରେ ପ୍ରଶାସନକୁ ସୂଚନା ଦେବା, ଗରିବ, ଦୁଃସ୍ଥ ଓ ଅସହାୟ ଲୋକଙ୍କୁ ଅତ୍ୟାବଶ୍ୟକ ସେବା ଯୋଗାଇବାରେ ବନ୍ଦୋବସ୍ତ କରିବା, କୌଣସି କୋଭିଡ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଲେ ତାହାର ଶବ ସତ୍କାର ଦିଗରେ ସହଯୋଗ କରିବା ଏବଂ ଆମ୍ବୁଲାନ୍ସ ସେବା ଗ୍ରାମାଚଂଳରେ ଠିକ ଭାବରେ ପଂହଚୁଛି ନାଁ ନାହିଁ ସେ ଦିଗରେ ପ୍ରଶାସନକୁ ଅବଗତ କରାଇବା ପାଇଁ ତିନୋଟି ଜରୁରୀ କାଳୀନ ନମ୍ବର ୦୬୮୪୧-୨୨୨୦୨୩, ୨୨୨୨୧୭/୧୮ ଏବଂ ୨୨୨୨୨୫ ଭଳି ଫୋନ ନମ୍ବର ଜାରି କରାଯାଇଛି।

୮ଟିସ୍ଥାନକୁ ଆବଦ୍ଧାଚଂଳ ଘୋଷଣା
ହରଭଙ୍ଗା ବ୍ଲକରେ କୋଭିଡର ଦ୍ରୁତ ସଂକ୍ରମଣକୁ ଦୃଷ୍ଟିରେ ରଖି ଜିଲ୍ଲାପ୍ରଶାସନ ପକ୍ଷରୁ ୮ଟିସ୍ଥାନକୁ ଆବଦ୍ଧାଚଂଳ ଭାବେ ଘୋଷଣା କରାଯାଇଛି। ହରଭଙ୍ଗା ପଂଚାୟତର ଭେଜିଗୁଡା, କଂରଜକଟା ପଂଚାୟତର କଂରଜକଟା, ତୁକୁଲୁଣ୍ଡା, ସମ୍ପୋଚ ପଂଚାୟତର ସାମ୍ପୋଚକୁ ଚଳିତ ମାସ ୧୩ରୁ ୨୦ପର୍ଯ୍ୟନ୍ତ ଆବଦ୍ଧାଚଂଳ ଘୋଷଣା କରାଯାଇଛି। ସେହିପରି ବାଣିଭୁଷଣପୁର ପଂଚାୟତର ଚାରିଛକ, ପୁରୁଣାକଟକ ପଂଚାୟତର ପୁରୁଣାକଟକ, ଶଙ୍କୁଲେଇ ପଂଚାୟତର ମଲ୍ଲିକପଡା, ସାମ୍ପୋଚ ପଂଚାୟତର ଶ୍ୟାମସୁନ୍ଦରପୁରକୁ ଆସନ୍ତା ୧୪ମଇରୁ ୨୧ମଇ ପର୍ଯ୍ୟନ୍ତ ଆବଦ୍ଧାଚଂଳ ଘୋଷଣା କରାଯାଇଛି। ଆବଦ୍ଧାଚଂଳକୁ ବାହାର ଲୋକଙ୍କ ପ୍ରବେଶ ବାରଣ କରାଯାଇଥିବା ବେଳେ ସ୍ଥାନୀୟ ଲୋକଙ୍କୁ ବାହାରକୁ ଯିବା ଆସିବାରେ ପ୍ରତିବନ୍ଧକ ଲଗାଯାଇଛି।

Comments are closed.