ହରଭଙ୍ଗାରେ କରୋନା ଆକ୍ରାନ୍ତ ସଂଖ୍ୟା ଦ୍ୱିଶତକ ପାର୍, ୮ଟି ସ୍ଥାନକୁ ଆବଦ୍ଧାଞ୍ଚଳ ଘୋଷଣା

ଗ୍ରାମାଞ୍ଚାୟରେ ସଂକ୍ରମଣ ହ୍ରାସ ପାଇଁ ଟିଏମସି ଖୋଲିବା ଜରୁରୀ

ହରଭଙ୍ଗା: ହରଭଙ୍ଗା ବ୍ଲକରେ କରୋନା ବେକାବୁ ସ୍ଥିତିରେ ପହଞ୍ଚିଲାଣି। ଗତ ୨୪ଘଣ୍ଟା ମଧ୍ୟରେ ବ୍ଲକର ବିଭିନ୍ନ ପଞ୍ଚାୟତରୁ ୩୬ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜିର ଆକ୍ରାନ୍ତଙ୍କୁ ମିଶାଇ ବ୍ଲକରେ ମୋଟ ୨୦୫ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇସାରିଲେଣି। ଆଜିର ତାଲିକାରେ ହରଭଙ୍ଗା ପଞ୍ଚାୟତରୁ ୧୪, ଆଡେଣିଗଡ ୫, ବୀରନରସିଂହପୁର ୩, ବାମଣ୍ଡା, ବାଣୀଭୁଷଣପୁର, ସାମ୍ପୋଚରୁ ୨, ବନ୍ଧାପଥର , ଧଳପୁର, କୁଶଙ୍ଗ, ମଥୁରା, ପୁରୁଣାକଟକ,ରାମଗଡ, ଶଙ୍କୁଲେଇ, ସରସରାରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ଶନିବାର ରିପୋର୍ଟ ଅନୁସାରେ ବ୍ଲକର ବିଭିନ୍ନ ପଞ୍ଚାୟତରୁ ୨୬ଜଣ ଚିହ୍ନଟ ହୋଇଥିବା ଜଣାପଡିଛି। ହରଭଙ୍ଗା ବ୍ଲକରେ ବିଭିନ୍ନ ପଞ୍ଚାୟତରେ କରୋନାର ଦ୍ରୁତ ସଂକ୍ରମଣକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ବ୍ଲକର ଆଠଟି ସ୍ଥାନକୁ ମେ’ ୨ରୁ ୮ ପର୍ଯ୍ୟନ୍ତ ଆବଦ୍ଧାଞ୍ଚଳ ଭାବେ ଘୋଷଣା କରାଯାଇଛି। ଆବଦ୍ଧାଞ୍ଚଳ ଭାବେ ହରଭଙ୍ଗା ପଞ୍ଚାୟତର କୋଡାଶିଙ୍ଗା, ସମ୍ବଲପୁର, ଆଡେଣିଗଡ ପଞ୍ଚାୟତର ଆଡେଣିଗଡ, ବାଣୀଭୁଷଣପୁର ପଞ୍ଚାୟତର ଚାରିଛକ, ଲୁଣିବାହାଲ ପଞ୍ଚାୟତର ବଡବନ୍ଧ, ପୁରୁଣାକଟକ ପଞ୍ଚାୟତର ପୁରୁଣାକଟକ, ରାମଗଡ ପଞ୍ଚାୟତର ରାମଗଡ ଏବଂ ଧଳପୁର ପଞ୍ଚାୟତର ବେତେରାସାହିକୁ ଏଥିରେ ସାମିଲ କରାଯାଇଥିବା ହରଭଙ୍ଗା ବିଡିଓ ନୀଳକଣ୍ଠ ବେହେରା ସୂଚନା ଦେଇଛନ୍ତି। ଆବଦ୍ଧାଞ୍ଚଳକୁ ବାହାର ଲୋକଙ୍କ ପ୍ରବେଶ ଏବଂ ସ୍ଥାନୀୟ ଲୋକ ବାହାରକୁ ଯିବାଆସିବାରେ କଟକଣା ଲଗାଇଯାଇଛି।

ବିଶେଷକରି ଗ୍ରାମାଞ୍ଚଳରେ ଦିନକୁ ଦିନ ସଂକ୍ରମଣ ହୁ ହୁ ହୋଇ ବଢୁଥିବାବେଳେ ଏଥିରେ ବ୍ରେକ ଲଗାଇବା ପାଇଁ ପ୍ରଶାସନ ଆଦୌଚିନ୍ତା ପ୍ରକଟ କରୁନାହିଁ। ବ୍ଲକରେ ଅବସ୍ଥା ସଙ୍ଗୀନ ହେବାକୁ ବସିଥିବାବେଳେ ଆକ୍ରାନ୍ତଙ୍କ ସୁବିଧା ପାଇଁ କ୍ଲଷ୍ଟର ଟିଏମସିରେ ରହିବା ପ୍ରାଥମିକତା ସୁବିଧା ପ୍ରଦାନ କରାଯିବାରେ ବ୍ୟତିକ୍ରମ ପରିଲିକ୍ଷିତ ହୋଇଛି। ଯାହାଫଳରେ ସୁବିଧା ନଥାଇ ମଧ୍ୟ କରୋନା ଆକ୍ରାନ୍ତ ରୋଗୀ ଘରୋଇ ସଙ୍ଗରୋଧରେ ରହି ବିଶେଷ ଅସୁବିଧାରେ ସମ୍ମୁଖୀନ ହେବା ସହିତ ସଂକ୍ରମଣ ବୃଦ୍ଧିର ଅନ୍ୟକାରଣ ବୋଲି ମତପ୍ରକାଶ ପାଉଛି। ତୁରନ୍ତ କ୍ଲଷ୍ଟର ଟିଏମସିଗୁଡିକୁ କାର୍ଯ୍ୟକ୍ଷମ କରାଯାଇ ଆକ୍ରାନ୍ତଙ୍କୁ ସେଠାରେ ରହିବା ସୁବିଧା ପ୍ରଦାନ କଲେ ଗ୍ରାମଚଂଳ ସଂକ୍ରମଣରେ ବ୍ରେକ ଲାଗିପାରନ୍ତା ବୋଲି କୁହାଯାଉଛି। ଏଥିପ୍ରତି ଜିଲ୍ଲାପାଳ ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ଦାବୀ ହେଉଛି।

Comments are closed.