ବୌଦ୍ଧ ବିଧାୟକ ପ୍ରଦୀପ ଅମାତ୍‌ଙ୍କ ବନ୍ୟାକ୍ଷତିଗ୍ରସ୍ତ ଅଞ୍ଚଳ ପରିଦର୍ଶନ, ଆଡିବନ୍ଧ ନିର୍ମାଣ ପାଇଁ ଦାବୀ ଜଣାଇଲେ ଗ୍ରାମବାସୀ

ହରଭଙ୍ଗା: ମଙ୍ଗଳବାର ବୌଦ୍ଧ ବିଧାୟକ ପ୍ରଦୀପ କୁମାର ଅମାତ୍ ହରଭଙ୍ଗା ତହସିଲର ବିଭିନ୍ନ ବନ୍ୟାକ୍ଷତିଗ୍ରସ୍ତ ଅଞ୍ଚଳ ପରିଦର୍ଶନ କରିଛନ୍ତି। ପ୍ରଥମେ କୁଶଙ୍ଗ ପଞ୍ଚାୟତର ଅତଲସରା ଏବଂ କୁମାରୀ ଭଳି ଦୁଇ ବନ୍ୟାପ୍ରଭାବିତ ଗାଁକୁ ପହଞ୍ଚି ବନ୍ୟାରେ କ୍ଷତିଗ୍ରସ୍ତ ହୋଇଥିବା ଧାନ ଚାଷ ସାଙ୍ଗକୁ ବର୍ଷାରେ ଧୋଇ ନେଇଥିବା ରାସ୍ତା ଘାଟ ଏବଂ ଘରଭଙ୍ଗା ସମ୍ପର୍କରେ ସ୍ଥାନୀୟ ଲୋକଙ୍କ ସହିତ ଆଲୋଚନା କରିଥିଲେ। ସେଠାରୁ ଫେରି ହରଭଙ୍ଗା ପଞ୍ଚାୟତର ମହାନଦୀ କୂଳରେ ଅବସ୍ଥିତି କୋଡାଶିଙ୍ଗା ଗାଁକୁ ପରିଦର୍ଶନ ପାଇଁ ପହଞ୍ଚିଥିଲେ। ବନ୍ୟାରେ ଧାନ ଫସଲ ସମ୍ପୂର୍ଣ୍ଣ ଉଜୁଡିଯାଇଥିବା ବେଳେ ଲୋକଙ୍କୁ କିଭଳି ତୁରନ୍ତ କ୍ଷତିପୂରଣ ମିଳିବ ସେ ଦିଗରେ ସ୍ଥାନୀୟ ଜନସାଧାରଣ ବିଧାୟକଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ବନ୍ୟାରେ କ୍ଷତିଗ୍ରସ୍ତ ହୋଇଥିବା ରାସ୍ତା ଘାଟ ଏବଂ ବର୍ଷାରେ ଭାଙ୍ଗି ଯାଇଥିବା ଘରଗୁଡିକର ଗାଁ ବୁଲି ଦେଖିଥିଲେ। ମହାନଦୀ କୂଳ ଖାଉଥିବା ବେଳେ ବନ୍ୟା ଦାଉରୁ ସୁରକ୍ଷା ପାଇଁ ଆଡିବନ୍ଧ ନିର୍ମାଣ ପାଇଁ ଗାଁଲୋକେ ଦାବୀ କରିଥିଲେ।
କୋଡାଶିଙ୍ଗା ଗ୍ରାମର ଚକ୍ରଧରଙ୍କ ପୁଅ ଆକାଶ ପ୍ଲାଷ୍ଟିକ ଖାଦ୍ୟ ନଳୀରେ ୧୧ବର୍ଷ ହେଲା ଜୀବନ କାଟୁଥିବା ଘଟଣା ସଂର୍ପକରେ ସ୍ଥାନୀୟ ଓାର୍ଡସଭ୍ୟ କୃପାସିନ୍ଧୁ ବେହେରାଙ୍କୁ ପଚାରି ବୁଝିଥିଲେ। ଆକାଶଙ୍କ ଘରକୁ ଯାଇ ତାଙ୍କର ସ୍ୱାସ୍ଥ୍ୟବସ୍ଥା ଦେଖିବା ସହିତ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ସମସ୍ତ ଚିକିତ୍ସା ଖର୍ଚ୍ଚ ବହନ ପାଇଁ ପ୍ରତିଶ୍ରୁତି ଦେଇଥିଲେ ଏବଂ ଆଶୁ ଆରୋଗ୍ୟ କାମନା କରିଥିଲେ। ବିଧାୟକଙ୍କ ଏହି ଗସ୍ତ ସମୟରେ ସ୍ଥାନୀୟ ଆଇଆଇସି ସୁବାଷ ରାୟଗୁରୁ, ପ୍ରଦୀପ ସାହୁ, ସଞ୍ଜୀବ ଦେହୁରୀ ପ୍ରମୁଖ ତାଙ୍କ ସହିତ ଉପସ୍ଥିତି ଥିଲେ।

Comments are closed.