୩୦ଦିନରେ ଖରଭୂଇଁ କ୍ରସର ବିରୋଧୀ ଆନ୍ଦୋଳନ
ହାଇଓ୍ଵା ଧଷେଇ ପଶିବାକୁ ନେଇ ଉତ୍ତେଜନା !

ହରଭଙ୍ଗା: ହରଭଙ୍ଗା ତହସିଲ ଅନ୍ତର୍ଗତ ଖରଭୂଇଁ ଠାରେ ଚାଲିଥିବା କ୍ରସର ବିରୋଧୀ ଆନ୍ଦୋଳନ ବୁଧବାର ୩୦ ଦିନରେ ପହଞ୍ଚିଛି । ତଥାପି ସମାଧାନର କୌଣସି ଖିଅ ବାହାରିପାରିନି । ଅନ୍ୟପଟେ ମଙ୍ଗଳବାର କ୍ରସର ଓ କୁଆଁରୀ ରାସ୍ତାରେ ଏ. ଆର. ଏସ. କମ୍ପାନୀର ଦୁଇଟି ହାଇଓ୍ଵା ଧଷେଇ ପଶିବାକୁ ଉଦ୍ୟମ କରିବାବେଳେ ଆନ୍ଦୋଳନକାରୀ ଏହାର ପ୍ରତିବାଦ କରିଥିଲେ ।
ଏହାକୁ ନେଇ ଘଟଣାସ୍ଥଳରେ ପୁଲିସ, ଆନ୍ଦୋଳନକାରୀ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହେବା ସାଙ୍ଗକୁ ଚାପାଉତ୍ତେଜନା ପ୍ରକାଶ ପାଇଥିଲା । ଆନ୍ଦୋଳନକାରୀଙ୍କ କହିବା ଅନୁଯାୟୀ, କୌଣସି କ୍ରସର କି କୁଆଁରୀର (ଇ ସି )ନାହିଁ କି (ସି. ଟି. ଓ ) ନାହିଁ । ବେଆଇନ୍ ଭାବରେ ବ୍ଲାଷ୍ଟିଂ କରି ଅତ୍ୟଧିକ ପଥର ଉତ୍ତୋଳନ କରିଥିବା ୩ଟି ଲିଜଧାରୀ ସଂସ୍ଥାକୁ ପାଖାପାଖି ୧୬ କୋଟି ଟଙ୍କା ଜୋରିମାନା ପାଇଁ ନୋଟିସ କରଯାଇଛି ।
ଏହା ପରେ ବି ଜିଲ୍ଲା ପ୍ରଶାସନ କାହା ଚାପରେ କ୍ରସର ଏବଂ କୁଆଁରୀ ଚଲେଇବା ପାଇଁ ଅନୁମତି ଦେଇଛନ୍ତି ବୋଲି ଆନ୍ଦୋଳନକାରୀ ଓଲଟା ପ୍ରଶ୍ନ କରିଛନ୍ତି । ଯଦି କ୍ରସର ଚଲେଇବା ପାଇଁ ଜିଲ୍ଲା ପ୍ରଶାସନ ଚାହୁଛନ୍ତି ତାହେଲେ ସମସ୍ତ ଗ୍ରାମବାସୀଙ୍କୁ ମାରି ଦେଇ କ୍ରସର ଚଲାନ୍ତୁ ବୋଲି ଗ୍ରାମବାସୀ କହିଛନ୍ତି । ଏଥି ସହିତ ଜିଲ୍ଲା ପ୍ରଶାସନଙ୍କ ଏହିପରି ନିଷ୍ପତ୍ତିକୁ ଗ୍ରାମବାସୀ ନିନ୍ଦା କରିଛନ୍ତି ।
Comments are closed.