ଶ୍ରାବଣରେ ନିଅଣ୍ଟିଆ ବର୍ଷା; ଆଗେଇ ପାରୁନି ଚାଷ କାମ

୪୦ ପ୍ରତିଶତ ଜମି ପଡ଼ିଛି ପଡିଆ

ହରଭଙ୍ଗା: ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକରେ ଚଳିତବର୍ଷ ଧାରା ଶ୍ରାବଣରେ ନିଅଣ୍ଟିଆ ବର୍ଷା ଯୋଗୁଁ ଚାଷକାର୍ଯ୍ୟ ଅଧାରେ ଅଟକିଛି । ଲଗାତର ୧୩ଦିନ ହେଲା ବର୍ଷା ହେଉନଥିବା ଫଳରେ ଟାଣ ଖରାରେ ତଳି ଘାରି ,ଧାନ ତଳି ଲଗାଯାଇଥିବା ଜମିରେ ପାଣି ଅଭାବ ଯୋଗୁଁ ମାଟି ଫାଟି ଆଁ କଲାଣି । ବର୍ତ୍ତମାନ ସୁଦ୍ଧା ୬୪.୭୫ ପ୍ରତିଶତ କମ୍‌ ବର୍ଷା ହୋଇଥିବା ରିପୋର୍ଟରୁ ଜଣାପଡିଛି । ଆସନ୍ତା ଦୁଇ ଚାରିଦିନ ମଧ୍ୟରେ ଭଲ ବର୍ଷା ନହେଲେ ଧାନ ଚାଷ ସଂପୂର୍ଣ୍ଣ ଉଜୁଡିଯିବା ସହିତ ନିଶ୍ଚିତି ମରୁଡି ଦେଖାଦେବ ବୋଲି କୃଷିବିଭାଗ ପକ୍ଷରୁ ଆକଳନ କରାଯାଉଛି ।

ସୂଚନା ଅନୁଯାୟୀ ବ୍ଲକରେ ଧାନଚାଷ ପାଇଁ ୧୫ହଜାର ୪୫୦ହେକ୍ଟର, ଅଣଧାନ ଚାଷପାଇଁ ୯ହଜାର ୭୮୫ହେକ୍ଟର ଚାଷ ଜମି ରହିଛି । ସେଥିରୁ ୧୮ହଜାର ୧୨୪ହେକ୍ଟର ଚାଷଜମିରେ ଜଳସେଚନ ପାଇଁ ସୁବିଧା ରହିଛି । ଚଳିତ ବର୍ଷ ବ୍ଲକରେ ଜୁନ୍‌ ମାସରେ ଧାର୍ଯ୍ୟ ପରିମାଣ ୨୩୩.୮୦ମି.ମି ବର୍ଷାରୁ ୩୬୦ ମି.ମି ବର୍ଷା ହୋଇଛି । ଯାହାକି ଜୁନ୍‌ ମାସରେ ୧୨୭ମି.ମି ଅଧିକ ବର୍ଷା ହୋଇଛି । ଜୁଲାଇରେ ୪୧୮.୫୦ ମି.ମି ବର୍ଷା ହେବା ଯାଗାରେ ୬୪୬ ମି.ମି ବର୍ଷା ହୋଇଛି । ଯାହାକି ଜୁଲାଇରେ  ୨୨୮ମି.ମି ଅଧିକ ବର୍ଷା ହୋଇଛି । ଅଗଷ୍ଟ ମାସରେ ସର୍ବାଧିକ ୪୮୮ ମି.ମି ବର୍ଷା ଆବଶ୍ୟକ ଥିବାବେଳେ ୪ତାରିଖ ସୁଦ୍ଧା ମାତ୍ର ୫୯ ମି.ମି  ବର୍ଷା ହୋଇଥିବା ରେକର୍ଡରୁ ଜଣାପଡିଛି ।

ଜୁନ୍‌, ଜୁଲାଇ ମାସରେ ଭଲବର୍ଷା ହୋଇଥିବା ବେଳେ ଅଗଷ୍ଟ ମାସରେ ବର୍ଷାର ଅନୁପାତ କମ୍‌ ଯୋଗୁଁ ବର୍ତ୍ତମାନ ୪୦ ପ୍ରତିଶତ ଜମିରେ ଧାନଚାଷ ହୋଇପାରିନଥିବା ଜଣାପଡିଛି । ଲଗାତାର ୧୩ଦିନ ହେଲା ବର୍ଷାଭାବ ସାଙ୍ଗକୁ ପ୍ରଚଣ୍ଡ ଖରା ଯୋଗୁଁ ତଳିଘାରି, ଧାନ ଲଗାଯାଇଥିବା ଜମି ପାଣି ଅଭାବରୁ ଫାଟି ଆଁ କଲାଣି । ଅନ୍ୟପଟେ ବର୍ଷାଭାବ ଯୋଗୁଁ ଖେଳୁଆ କାମ ସହିତ ଅଳିଆ ବଛା କାର୍ଯ୍ୟ ପଛେଇ ଯିବାରୁ ଧାନ ବିଲ ଘାସ, ବାଳୁଙ୍ଗା ମୟ ହେବାକୁ ବସିଲାଣି । ଦିନେ ଦୁଇଦିନ ମଧ୍ୟରେ ଭଲ ବର୍ଷା ନହେଲେ ବ୍ଲକରେ ଧାନ ଚାଷ ଉଜୁଡିଯିବା ମଧ୍ୟ ଆଶଙ୍କା ଦେଖାଦେଲାଣି ।

Comments are closed.