ପ୍ରଧାନମନ୍ତ୍ରୀ ଆବାସ ଓ ନଳକୂପ ଯନ୍ତ୍ରାଂଶ ପରିବହନ ଖର୍ଚ୍ଚ କଳେଙ୍କାରୀ; ତଦନ୍ତ କରୁଛି ଲୋକାୟୁକ୍ତ ଟିମ୍

ହରଭଙ୍ଗା: ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ କଂରଜକଟା ଗ୍ରାମପଞ୍ଚାୟତରେ ହୋଇଥିବା ପ୍ରଧାନମନ୍ତ୍ରୀ ଆବାସ ସାଙ୍ଗକୁ ନଳକୂପ ଯନ୍ତ୍ରାଂଶ ପରିବହନ ଖର୍ଚ୍ଚରେ ଅନିୟମିତତା ଉପରେ ଲୋକାୟୁକ୍ତ ଟିମ ସରଜମିନ ତଦନ୍ତ କରିଥିବା ଜଣାପଡିଛି । ବ୍ଲକରେ ପ୍ରଥମଥର ପାଇଁ ଲୋକାୟୁକ୍ତ ଟିମ ଦ୍ୱାରା ତଦନ୍ତ ପରେ ଦୁର୍ନୀତିଗ୍ରସ୍ତ କର୍ମଚାରୀଙ୍କ ମଧ୍ୟରେ ଭାଳେଣି ପଡିଛି । ଅଭିଯୋଗ ଅନୁସାରେ କଂରଜକଟା ଗ୍ରାମର ଜନୈକ ଧନୀବ୍ୟକ୍ତି ବୀରେନ୍ଦ୍ର ସାହୁଙ୍କ ନାମରେ ଦୁଇ ବଖରା ଛାତଘର, ଦୁଇଟି ଦୋକାନ ଘର, ଦୁଇଟି ଟ୍ରାକ୍ଟର ସହିତ ଲକ୍ଷାଧିକ ଟଙ୍କା ସମ୍ପତ୍ତି ଥିବା ସତ୍ୱେ ତାଙ୍କୁ ବେନିୟମଭାବେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗୋଟିଏ ପକ୍କା ଘର ପ୍ରଦାନ କରାଯାଇଥିବା ନେଇ ବୃନ୍ଦାବନ ବେହେରା ଲୋକାୟୁକ୍ତର ଦ୍ୱାରସ୍ଥ ହୋଇଥିଲେ ।

ସେହିପରି ପଞ୍ଚାୟତ ପକ୍ଷରୁ ନଳକୂପ ‌ମରାମତି ପାଇଁ ଯନ୍ତ୍ରାଂଶ ପରିବହନ ପାଇଁ  ଦୈନିକ ୪ଶହ ଟଙ୍କା ଭଡାସୂତ୍ରରେ ଏକ ଗାଡି ୧୩ଦିନ ଲାଗିଥିଲା । ସେ ବାବଦରେ ୫ହଜାର୨ଶହ ଟଙ୍କା ଖର୍ଚ୍ଚ ହୋଇଥିବାବେଳେ ୮୪ହଜାର ଟଙ୍କାର ମିଥ୍ୟା ବିଲ ଭାଉଚର କରି ପୂର୍ବତନ ସରପଞ୍ଚ ମିନତି ସେଠୀ ଏବଂ ପୂର୍ବତନ ପିଇଓ ଜ୍ଞାନରଞ୍ଜନ ମିଶ୍ର ପଇସା ହଡପ କରିଥିବା ସର୍ମ୍ପକରେ ବୃନ୍ଦାବନ ବେହେରା ଲୋକାୟୁକ୍ତର ଦ୍ୱାରସ୍ଥ ହୋଇଥିଲେ । ଏହା ପରେ ଲୋକାୟୁକ୍ତଙ୍କ ପକ୍ଷରୁ ପୂର୍ବତନ ସରପଞ୍ଚ ଏବଂ ପିଇଓ ସହିତ ଗାଡି ମାଲ୍ଲିକ ଭାସ୍କର ସାହୁ, ପ୍ରଧାନମନ୍ତ୍ରୀ ଆବାସ ପାଇଥିବା ହିତାଧିକାରୀ ବୀରେନ୍ଦ୍ର ସାହୁ ଏବଂ ସ୍ଥାନୀୟ ବି.ଡି.ଓଙ୍କୁ ନୋଟିସ କରାଯାଇ ଜବାବତଲବ କରାଯାଇଥିଲା ।

ଏ ବାବଦରେ ନୋଟିସଧାରୀ ଉତ୍ତର ଦେଇଥିଲେ ମଧ୍ୟ ଅଭିଯୋଗକାରୀ ଏହା ମିଥ୍ୟା ବୋଲି ଦର୍ଶାଇ ଲୋକାୟୁକ୍ତ ପାଖରେ ରି- କନସିଡରେସନ ପିଟିସନ ଦାଖଲ କରି ଏହାର ସରଜମିନ ତଦନ୍ତ ପାଇଁ ପ୍ରାର୍ଥନା କରିଥିଲେ । ଅଭିଯୋଗକାରୀଙ୍କ ପ୍ରାର୍ଥନାକୁ ଲୋକାୟୁକ୍ତ ବିଚାର କରି ଏହାର ତଦନ୍ତ ପାଇଁ ଏକ ଟିମ୍‌ ପଠାଇଥିଲେ । ଲୋକାୟୁକ୍ତ ଟିମ ଦ୍ୱାରା ଅନିୟମିତତା ଥିବା ପ୍ରଧାନମନ୍ତ୍ରୀ ଆବାସ ଘରର ସରଜମିନ ତଦନ୍ତ  କରି ଘର ମାଲ୍ଲିକଙ୍କ ଠାରୁ ଷ୍ଟେଟମେଂଟ ରେକର୍ଡ କରିଥିଲେ । ପରେ  ଯନ୍ତ୍ରାଂଶ ପରିବହନ ପାଇଁ ଲାଗିଥିବା ଗାଡି ମାଲ୍ଲିକଙ୍କ ପାଖରେ ପହଞ୍ଚି ତାଙ୍କ ଷ୍ଟେଟମେଂଟ ରେକର୍ଡ କରିଥିବା ଜଣାପଡିଛି ।ପ୍ରାଥମିକ ତଦନ୍ତରୁ ଅଭିଯୋଗର ସତ୍ୟତା ରହିଥିବା ଲୋକାୟୁକ୍ତ ଟିମ ଜାଣିବାକୁ ପାଇଛନ୍ତି ।ଏଭଳି ଘଟଣା ବ୍ଲକରେ ଚର୍ଚ୍ଚାର ବିଷୟ ହୋଇଛି ।

Comments are closed.