ସ୍ପିରିଟ କାରାଖାନା ପାଇଁ ବଢିଲାଅଡୁଆ:ଗାଁ ଲୋକଙ୍କ ଜିଦ୍, ମରିବୁ ପଛେ ଜଙ୍ଗଲ ଜମି ଛାଡିବୁନି

ହରଭଙ୍ଗା: ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ ସାମ୍ପୋଚ୍ ପଞ୍ଚାୟତ ଅର୍ନ୍ତଗତ ତିତିରି କଟାଠାରେ ଗଢିଉଠିଛି ବିଡିପିଏଲର ଏକ ସ୍ପିରିଟ କାରଖାନା। ମାତ୍ର ଜଙ୍ଗଲ ଜମି ବିବାଦ ଯୋଗୁଁ ମହାନଦୀ ପାଣି କାରଖାନାକୁ ମିଳିବାରେ କଣ୍ଟାସାଜିଛି। ଫକୀରପୁର ଏବଂ ବିଷ୍ଣୁପୁର ଭଳି ଦୁଇ ଗ୍ରାମର ଲୋକେ ଜଙ୍ଗଲ ଜମି ଉପରେ ପ୍ରକଳ୍ପ ଅନୁମତିକୁ ଦୃଢ ପ୍ରତିବାଦ ଯୋଗୁଁ କାରଖାନା ପାଇଁ ଦିନକୁ ଦିନ ଅଡୁଆ ବଢିଛି। ଏହାର ସମାଧାନ ପାଇଁ ଗତ ଶୁକ୍ରବାର ଜିଲାପାଳଙ୍କ ମଧ୍ୟସ୍ଥତାରେ ଏକ ତ୍ରୀପାକ୍ଷୀକ ବୈଠକ ବୌଦ୍ଧରେ ଅନୁଷ୍ଠିତ ହୋଇଥିଲା। ଏଥିରେ ଫକୀରପୁର ଏବଂ ବିଷ୍ଣୁପୁର ଦୁଇ ଗାଁ ଲୋକଙ୍କ ପ୍ରତିନିଧି ସହିତ କାରାଖାନା କର୍ତ୍ତୃପକ୍ଷ ଏବଂ ବୌଦ୍ଧ ଜିଲା ପ୍ରଶାସନ ମଧ୍ୟରେ ଏକ ଆଲୋଚନା ହୋଇଥିଲା। ମାତ୍ର ଗାଁ ଲୋକେ ଜଙ୍ଗଲଜମି ଛାଡିବା ନିଷ୍ପତ୍ତି ଗାଁ ସମୂହର ବୋଲି ବୈଠକରେ ଶୁଣାଇଥିଲେ। ଏହାପରେ ଜିଲାପାଳ ଗାଁରେ ବସି ନିଷ୍ପତ୍ତି ନେବାକୁ ଗାଁ ଲୋକଙ୍କୁ ପରାମର୍ଶ ଦେଇଥିଲେ। ତ୍ରୀପାକ୍ଷିକ ଆଲୋଚନା ପରେ ବି ଗାଁ ଲୋକେ ଜଙ୍ଗଲ ଜମି ଛାଡିବା ପାଇଁ ନାରାଜ ଥିବା ଜଣାପଡିଛି। ଏ ନେଇ ରବିବାର ଦୁଇ ଗାଁ ଲୋକଙ୍କୁ ନେଇ ବସିଥିବା ବୈଠକରେ ମଧ୍ୟ ସମାନ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଯେକୌଣସି ପରିସ୍ଥିତିରେ ମରିବୁ ପଛେ ଗ୍ରାମ୍ୟ ଜଙ୍ଗଲ ଜମି ଉପରେ ପ୍ରକଳ୍ପ କରାଇ ଦେବୁନାହିଁ ବୋଲି ଗ୍ରାମର ସନ୍ତୋଷ ବଘାର,ବାବୁଲା ମାହାର, ରତ୍ନାକର ଘିବିଲା, ତୋଫାନ ବାରିକ, ତ୍ରୀନାଥ ବାରିକ ପ୍ରମୁଖ କହିଛନ୍ତି। ଏ ସଂର୍ପକରେ ବୌଦ୍ଧ ଜିଲାପାଳ ଲଲାଟେନ୍ଦୁ ମିଶ୍ରଙ୍କୁ ପଚାରିବାରୁ ବୈଠକ ବସିବା କଥା ସତ। ମାତ୍ର ଏ ସଂର୍ପକରେ ଗାଁ ଲୋକଙ୍କୁ ପଚାରିଲେ ସେମାନେ କହିପାରିବେ ବୋଲି କହିଥିଲେ।

Comments are closed.