ଅସମ୍ପୂର୍ଣ୍ଣ ଘରକୁ ସମ୍ପୂର୍ଣ୍ଣ ଦର୍ଶାଇବାରୁ ମିଳୁନି ଫାଇନାଲ ବିଲ୍‌, ନ୍ୟାୟ ପାଇଁ ହିତାଧିକାରୀ ବିଡିଓଙ୍କ ଦ୍ୱାରସ୍ଥ

ହରଭଙ୍ଗା: ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକରେ ଗ୍ରାମୀଣ ଆବାସ ଅନିୟମିତତା ଦୁର୍ନୀତି ପିଛା ଛାଡୁନି। କିଛି ଲାଭଖୋର ସରକାରୀ କର୍ମଚାରୀଙ୍କ ବେନିୟମ କାର୍ଯ୍ୟ ଯୋଗୁଁ କେତେବେଳେ ବିନା ଘର ନିର୍ମାଣରେ ହିତାଧିକରୀଙ୍କ ଟଙ୍କା ଆତ୍ମସାତ ହେଉଥିବା ନଜରକୁ ଆସୁଛି। ଆଉ କେତେବେଳେ ଅସମ୍ପୂର୍ଣ୍ଣ ଘରକୁ ସମ୍ପୁର୍ଣ୍ଣ ଦେଖାଇବାରୁ ଗରିବ ହିତାଧିକାରୀ ଜଣଙ୍କ ନ୍ୟାୟ ପାଇଁ ବ୍ଲକ ଅଫିସ ଦୌଡି ଦୌଡି ନୟାନ୍ତ ହେଉଥିବା ଘଟଣା ବ୍ଲକରେ ଗ୍ରାମୀଣ ଆବାସ ଅନୟିମିତତାର ଚରମ ଦୁର୍ନୀତି ଚିତ୍ର ପଦାକୁ ଆସିଛି।
ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ବ୍ଲକର ଛତ୍ରଙ୍ଗ ପଞ୍ଚାୟତ ଅର୍ନ୍ତଗତ ଖରଭୁଇଁ ଗ୍ରାମର ହିତାଧିକାରୀ ଶମ୍ଭୁ ବେହେରାଙ୍କ କ୍ଷେତ୍ରରେ। ଶମ୍ଭୁ ବେହେରାଙ୍କ ଅଭିଯୋଗ ଅୁସାରେ ସେ ଗତ ୨୦୧୭-୧୮ ଆର୍ଥୀକ ବର୍ଷରେ ଗ୍ରାମୀଣ ଆବାସ ଯୋଜନାରେଏକ ପକ୍କାଘର ତାଙ୍କ ନାମରେ ମଞ୍ଜୁର ହୋଇଥିଲା। ଛାତ ଲେବୁଲ ପର୍ଯ୍ୟନ୍ତ ଘର ନିର୍ମାଣ ସରିଥିବାରୁ ସେ ବାବଦକୁ ସେ ୯୦ହଜାରଟଙ୍କା ପାଇଥିଲେ। ମାତ୍ର ତାଙ୍କ ଅସମ୍ପୂର୍ଣ୍ଣ ଘରକୁ ସଂପୁର୍ଣ୍ଣ ଦର୍ଶାଇବାରୁ ସେ ଫାଇନାଲ ବିଲ ପାଇବାରୁ ବଞ୍ଚିତ ହେବା ସହ ମନରେଗା ପଇସା ପାଇବାରୁ ବଞ୍ଚିତ ହୋଇଛନ୍ତି। ୨୦୧୮-୧୯ରେ ତାଙ୍କ ଘର ସଂପୂର୍ଣ୍ଣ ହୋଇଥିବା ଗ୍ରାମୀଣ ଆବାସ ଡାଟାବେସରେ ଦର୍ଶାଯାଇଛି।ଯାହାଫଳରେ ଅସମ୍ପୂର୍ଣ୍ଣ ଘରକୁ ସଂପୂର୍ଣ୍ଣ ଦର୍ଶାଇବା ତାଙ୍କୁ ଆଶ୍ଚର୍ଯ୍ୟ କରିଛି। ତେଣୁ ଏହାର ପ୍ରତ୍ୟକ୍ଷ ତଦନ୍ତ କରାଯାଇ ଦୋଷୀ ବିରୁଦ୍ଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ପାଇଁ ସେ ଦାବୀ କରିଛନ୍ତି। ନଚେତ୍ ଆସନ୍ତା ୨୦ତାରିଖରେ ନ୍ୟାୟ ପାଇଁ ବ୍ଲକ କାର୍ଯ୍ୟାଳୟରେ ଅନଶନ କରିବାକୁ ଅଭିଯୋଗ ପତ୍ରରେ ଦର୍ଶାଇଛନ୍ତି। ଏଥିପ୍ରତି ବୌଦ୍ଧ ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ସ୍ୱତନ୍ତ୍ର ଦୃଷ୍ଟି ଦେବା ସହ ଗରିବ ହିତାଧିକାରୀଙ୍କୁ ନ୍ୟାୟ ଦେବା ପାଇଁ ୯ନଂ ଜିଲ୍ଲାପରିଷଦ ସଭ୍ୟ ଅବକାଶ ସାହୁ ଦାବୀ କରିଛନ୍ତି। ଏ ସଂର୍ପକରେ ହରଭଙ୍ଗା ବି.ଡି.ଓ ନୀଳକଣ୍ଠ ବେହେରାଙ୍କୁ ପଚାରିବାରୁ ସେ କହିଲେ ଅଭିଯୋଗ ଉପରେ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି।

Comments are closed.