ସମିତି ସଭ୍ୟ ପ୍ରାର୍ଥୀ ଚୟନ ପାଇଁ ଚାଲିଛି ରାଜନୈତିକ ପ୍ରତିଦ୍ୱନ୍ଦିତା, ଅଧ୍ୟକ୍ଷ ପଦ ଉପରେ ନଜର

ହରଭଙ୍ଗା: ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଆଉ ଦୁଇଦିନପରେ ଆରମ୍ଭହେବ ନାମାଙ୍କନ ପତ୍ର ଦାଖଲ। ନିର୍ବାଚନ ରଣାଙ୍ଗନକୁ ଓହ୍ଲେଇବା ପାଇଁ ଆଶାୟୀ ପ୍ରାର୍ଥୀମାନେ ପ୍ରାର୍ଥୀପତ୍ର ଦାଖଲ ପାଇଁ କାଗଜପତ୍ର ଯୋଗାଡରେ ଲାଗିପଡିଛନ୍ତି। ଅନ୍ୟପଟେ ବିଜେଡି, ବିଜେପି, କଂଗ୍ରେସ ଭଳି ରାଜନୈତିକ ଦଳ ହରଭଙ୍ଗା ବ୍ଲକ ଅଧ୍ୟକ୍ଷ ଆସନ କିଭଳି ହାସଲ କରିବେ ତା’ ଉପରେ ନଜର ରଖିଛନ୍ତି। ଗତଥର ପରି ଶାସକ ବିଜେଡି ହରଭଙ୍ଗା ବ୍ଲକ ଅଧ୍ୟକ୍ଷ ଆସନ ହାତେଇବା ପାଇଁ ରାଜନୈତିକ ଗୋଟିଚାଳନା ଆରମ୍ଭ କରିଛି। ଏହାକୁ ଦୃଷ୍ଟିରେ ରଖି ବିଜେଡି ସବୁ ପଂଚାୟତରେ ବାଜିମାତ୍ କଲାଭଳି ସମିତିସଭ୍ୟ ପ୍ରାର୍ଥୀ ଯୋଗାଡରେ ଲାଗିପଡିଛି। ଠିକ୍ ସେହିପରି ବିଜେଡିର ରାଜନୈତିକ ପ୍ରତିଦ୍ୱନ୍ଦୀ ବିଜେପି ଏବଂ କଂଗ୍ରେସ ମଧ୍ୟ ଏହି ଆସନ ହାତେଇବା ପାଇଁ ଯୋଜନା ଚଳାଇଛନ୍ତି। ଯଦ୍ୱାରା ସମିତିସଭ୍ୟ ଆସନ ଉପରେ ଏବେ ସବୁଦଳର ତୀକ୍ଷ୍ଣ ନଜର ରହିଛି। ଚଳିତବର୍ଷ ହରଭଙ୍ଗା ବ୍ଲକ ଅଧ୍ୟକ୍ଷ ଆସନ ମହିଳା ପାଇଁ ସଂରକ୍ଷିତ ରହିଛି।

 

ବ୍ଲକର ୨୨ ପଞ୍ଚାୟତ ମଧ୍ୟରୁ ଆଡେଣିଗଡ ସମିତି ଆସନ ମହିଳା, କରଞ୍ଜକଟା ଅଣସଂରକ୍ଷିତ, କୁଶଙ୍ଗ ଅଣସଂରକ୍ଷିତ, ଛତ୍ରଙ୍ଗ ମହିଳା, ତଳଗାଁ ଅଣସଂରକ୍ଷିତ, ତିଲେଶ୍ୱର ଅନୁସୂଚିତ ଜାତି (ମହିଳା), ଧଳପୁର ଅନୁସୂଚିତଜନଜାତି(ମହିଳା), ପିତାମ୍ବରପୁର ଅନୁସୂଚିତଜନଜାତି, ପୁରୁଣାକଟକ ଅଣସଂରକ୍ଷିତ, ବନ୍ଧାପଥର ମହିଳା, ବାଣିଭୁଷଣପୁର ଅଣସଂରକ୍ଷିତ, ବାମଣ୍ଡା ଅନୁସୂଚିତ ଜାତି(ମହିଳା),ବୀରନରସିଂହପୁର ଅନୁସୂଚିତ ଜାତି(ମହିଳା),ମଥୁରା ଅନୁସୂଚିତ ଜାତି, ମହାଲ୍ଲିକପଡା ମହିଳା ,ରାଧାନଗର ଅଣସଂରକ୍ଷିତ,ରାମଗଡ ଅନୁସୂଚିତଜନଜାତି(ମହିଳା),ଶଙ୍କୁଲେଇ ଅଣସଂରକ୍ଷିତ, ସରସରା ଅନୁସୂଚିତ ଜାତି, ସାମ୍ପୋଚ ମହିଳା, ହରଭଙ୍ଗା ଅନୁସୂଚିତ ଜାତି ଏବଂ ଲୁଣିବାହାଲ ମହିଳା ଆସନ ପାଇଁ ସଂରକ୍ଷିତ ଥିବାବେଳେ ଆଡେଣିଗଡ, ଛତ୍ରଙ୍ଗ, ବନ୍ଧାପଥର ,ମହାଲ୍ଲିକପଡା, ସାମ୍ପୋଚ, ଲୁଣିବାହାଲ ସମିତି ଆସନ କେବଳ ମହିଳାଙ୍କ ପାଇଁ ସଂରକ୍ଷିତ ରହିଛି।ସେହିପରି ଧଳପୁର ଅନୁସୂଚିତଜନଜାତି (ମହିଳା), ତିଲେଶ୍ୱର ଅନୁସୂଚିତଜାତି(ମହିଳା), ରାମଗଡ ଅନୁସୂଚିତଜନଜାତି(ମହିଳା),ବାମଣ୍ଡା ଅନୁସୂଚିତଜାତି(ମହିଳା), ବୀରନରସିଂହପୁର ଅନୁସୂଚିତ ଜାତି(ମହିଳା)ଙ୍କ ପାଇଁ ସମିତି ଆସନ ସଂରକ୍ଷିତ ରହିଛି। ବ୍ଲକର ୧୧ ପଞ୍ଚାୟତରେ ସମିତି ଆସନ ମହିଳା ପାଇଁ ସଂରକ୍ଷିତ ରହିଛି। ଫଳରେ ଏହି ୧୧ଟି ମହିଳା ଆସନ ଉପରେ ସମସ୍ତଙ୍କ ନଜର ପଡିଛି। ପ୍ରାର୍ଥପତ୍ର ଦାଖଲପରେ କିଏ କେଉଁ ଦଳରୁ ପ୍ରାର୍ଥୀ ହେଉଛି ତାକୁ ନେଇ ରାଜନୈତିକ ଛକାପଞ୍ଝା ଲାଗରହିଛି।

Comments are closed.