ହରଭଙ୍ଗାରେ ବୃହତ ପାଇପ୍‍ ଜଳ ଯୋଗାଣ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ

ହରଭଙ୍ଗା: ଦୀର୍ଘ ଦିନର ଦାବୀ ପରେ ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକବାସୀଙ୍କ ପିଈବା ପାଣି ସମସ୍ୟା ଦୂରହେବାର ଆଶା ସଂଚାର ହୋଇଛି। ଏଲଏଣ୍ଡଟି କମ୍ପାନୀ ପକ୍ଷରୁ ହରଭଙ୍ଗାରେ ବୃହତ ପାଈପ ଜଳ ଯୋଗାଣ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହୋଇଛି। ଏଥିପାଇଁ ଠିକାସଂସ୍ଥା ପକ୍ଷରୁ ଲେବର ରୁମ, ଷ୍ଟାଫ କ୍ୱାର୍ଟର ଭଳି ଆନୁସାଙ୍ଗିକ କାର୍ଯ୍ୟ ଆରମ୍ଭ ହୋଇଯାଇଛି। ଅନ୍ୟପଟେ ପାଣିଘରା ମହାନଦୀ ଘାଟରେ ଠିକାସଂସ୍ଥା ପକ୍ଷରୁ ପ୍ରାକ୍‍ କାର୍ଯ୍ୟ ମଧ୍ୟ ଆରମ୍ଭ କରିଛି। ପ୍ରକାଶ ଯେ ହରଭଙ୍ଗା ବ୍ଲକରେ ବୃହତ ପାଈପ୍‍ ଜଳ ଯୋଗାଣ ପ୍ରକଳ୍ପ ନିର୍ମାଣ ପାଇଁ ୭୩୦ କୋଟି ଟଙ୍କା ମଞୁର ହୋଇଛି। ସେଥିରୁ ୨୭୦ କୋଟି ଟଙ୍କା ହରଭଙ୍ଗା ବ୍ଲକ ପାଇଁ ବ୍ୟୟବରାଦ ହେବ। ଆଉ ବାକି ୪୬୦ କୋଟି ଟଙ୍କା କନ୍ଧମାଳ ଜିଲ୍ଲାର ୪ଟି ବ୍ଲକ ପାଇଁ ବ୍ୟୟବରାଦ କରାଯିବା ପାଇଁ ସ୍ଥିର ହୋଇଛି।

ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ଦୈନିକ ଗୋଟିଏ ପରିବାରକୁ ୭୦ଲିଟର ପିଈବା ପାଣି ମିଳିବ। ଏଥିପାଇଁ ଦୁଇରୁ ତିନୋଟି ବଡ ବଡ ଓଭରହ୍ୟାଡ ଟ୍ୟାଙ୍କ ସହିତ ଟ୍ରିଟମେଂଟ ପ୍ଲାଂଟ ମଧ୍ୟ ନିର୍ମାଣ କରାଯିବ। ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ହରଭଙ୍ଗା ବ୍ଲକର ୨୨ପଂଚାୟତର ୩୬୨ଟି ରାଜସ୍ୱ ଗାଁ ଲୋକ ଉପକୃତ ହେବେ। ଏହା ସହିତ କନ୍ଧମାଳ ଜିଲ୍ଲାର ଫୁଲବାଣୀ, ଫିରିଙ୍ଗିଆ, ଖଜୁରୀପଡା ଏବଂ ଚକାପାଦ ଭଳି ୪ଟି ବ୍ଲକର ହଜାର ହଜାର ଜନସାଧାରଣଙ୍କୁ ମହାନଦୀର ମଧୁର ଜଳ ପିଈବା ପାଇଁ ସୁବିଧା ମିଳିପାରିବା। ସୂଚନା ଥାଉକି ମହାନଦୀକୂଳରେ ଅବସ୍ଥିତ ହରଭଙ୍ଗା ବ୍ଲକରେ ବର୍ଷତମାମ ପିଇବା ପାଣି ସମସ୍ୟା ଦେଖା ଦେଇଥାଏ। ଏହାକୁ ଦୃଷ୍ଟିରେ ରଖି ଗତ ଅଗଷ୍ଟ ୨୦୧୯ରେ ଏକ ବୃହତ ପାଈପ୍‍ ଜଳ ଯୋଗାଣ ପ୍ରକଳ୍ପ ନିର୍ମାଣ ପାଇଁ ସର୍ଭେ କାର୍ଯ୍ୟ ଆରମ୍ଭ ହୋଇଥିଲା।

Comments are closed.