ବୌଦ୍ଧ ଜିଲ୍ଲାରେ ସ୍ୱାସ୍ଥ୍ୟସେବା, ଜରାଜୀର୍ଣ୍ଣ କୋଠରୀରେ ଚାଲିଛି କୁଶଙ୍ଗ ହୋମିଓପାଥି ମେଡିକାଲ

ହରଭଙ୍ଗା: ସରକାର ଗ୍ରାମାଚଂଳ ଲୋକଙ୍କୁ ନିରବିଛିନ୍ନ ସ୍ୱାସ୍ଥ୍ୟସେବା ଯୋଗାଇବା ଲକ୍ଷ୍ୟରେ ହୋମିଓପାଥି ମେଡିକାଲ ଠାରୁ ଆରମ୍ଭ କରି ବିଭିନ୍ନ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଖୋଲିବା ଦିଗରେ ଗୁରୁତ୍ୱାରୋପ କରୁଛନ୍ତି। ମାତ୍ର ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକର କୁଶଙ୍ଗ ହୋମିଓପାଥି ମେଡିକାଲର ନଗ୍ନଚିତ୍ର ସ୍ୱାସ୍ଥ୍ୟସେବାର ଅସଲ ଚେହେରାକୁ ପଦାରେ ପକାଇଛି। ଜରାଜୀର୍ଣ୍ଣ ଭିତିଭୂମି ଏବଂ ଅସ୍ୱାସ୍ଥ୍ୟକର ପରିବେଶ ମଧ୍ୟରେ ରହିଥିବା ଉକ୍ତ ଡାକ୍ତର ଖାନାରେ ବିଜୁଳି, ପାଣି ଭଳି ସର୍ବନିମ୍ନ ସୁବିଧା ନଥିବାବେଳେ ଡାକ୍ତର ବାବୁ ବସିବାକୁ ଭଲ ଯାଗା ଖଣ୍ଡିଏ ନଥିବା ଜଣାପଡିଛି। ସ୍ୱାସ୍ଥ୍ୟ କେନ୍ଦ୍ରର ଏଭଳି ନାହିଁ ନାହିଁ ଅବସ୍ଥା ଯୋଗୁଁ ସପ୍ତାହକୁ ମାତ୍ର ଦୁଈଦିନ ମେଡିକାଲ ଖୋଲା ହେଉଥିବା ବେଳେ ଆଉ ପାଂଚ ଦିନ ସଂପୂର୍ଣ୍ଣ ବନ୍ଦ ରହୁଛି। ଫଳରେ ଅପହଂଚଇଲାକା ଗରିବ ଜନସାଧାରଣ ହୋମିଓପାଥି ଚିକିତ୍ସା ସୁବିଧାରୁ ବଂଚିତ ହେଉଥିବା ଜଣାପଡିଛି।

ପ୍ରକାଶ ଯେ ବ୍ଲକର ଆଭ୍ୟନ୍ତରୀଣ ଆଦିବାସୀ ହରିଜନ ବହୁଳ କୁଶଙ୍ଗ ଏବଂ ମହାଲ୍ଲିକପଡା ଭଳି ଦୁଇ ପଂଚାୟତ ଜନସାଧାରଣଙ୍କ ପାଇଁ କୁଶଙ୍ଗଠାରେ ଏକ ହୋମିଓପାଥି ମେଡିକାଲ ରହିଛି। ଦୀର୍ଘ ଦଶବର୍ଷ ହେଲା ମେଡିକାଲରେ ତାଲା ଝୁଲିବା ପରେ ଗତ ବର୍ଷେହେଲା ଏହା ପୁର୍ନବାର କାର୍ଯ୍ୟକ୍ଷମ ହୋଇଛି। ଏହି ମେଡିକାଲ ଉପରେ ମହାଲ୍ଲିକପଡା ଏବଂ କୁଶଙ୍ଗ ଭଳି ଦୁଇ ପଂଚାୟତର ଯାବର, ଭାବପୁର, ମହାଲ୍ଲିକପଡା, ବୁଢାଆମ୍ବ, ନୂଆପଡା, ମାରଡା, ଅତଲସରା, ତିରଡ, କୁମାରୀ, କୁଶାସିଙ୍ଗା, ଭଗାମୁଣ୍ଡା, ସାତଖଣ୍ଡ, ହିଞଲ, ଗେରେଡିସାହି, ହାତୀଗଡ ଭଳି ୨୯ଟି ଗ୍ରାମର ପଖାପାଖି ୧୦ହଜାରରୁ ଊର୍ଦ୍ଧ୍ବ ଜନସାଧାରଣ ନିର୍ଭର କରନ୍ତି।ମାତ୍ର ଜରାଜୀର୍ଣ୍ଣ ଅବସ୍ଥାରେ ରହିଥିବା ମେଡିକାଲରେ ବିଜୁଳି, ପାଣି ଭଳି ଅତ୍ୟାବଶ୍ୟକ ସୁବିଧା ଟିକିଏ ନାହିଁ। ମେଡିକାଲ ଘର ଅବସ୍ଥା ଅତ୍ୟନ୍ତ ଦୟନୀୟ। ଏପରିକି ଡାକ୍ତର ବସିବାକୁ ଯାଗା ଖଣ୍ଡିଏ ନଥିବାବେଳେ ଔଷଧ ମଧ୍ୟ ସୁରକ୍ଷିତ ହୋଇ ରହିପାରୁ ନାହିଁ।

ଡାକ୍ତର ବାବୁଙ୍କ ରହିବାକୁ ଘର ନଥିବାରୁ ସପ୍ତାହରେ ମେଡିକାଲ କେବଳ ସୋମବାର/ମଙ୍ଗଳବାର ଦିନ ଖୋଲା ହେଉଥିବା ଜଣାପଡିଛି। ମେଡିକାଲର ଏଭଳି ଜରାଜୀର୍ଣ୍ଣ ଅବସ୍ଥା ଦୁର୍ଗମ ପଂଚାୟତ ଲୋକଙ୍କୁ ନିରବିଛିନ୍ନ ରୋଗୀ ସେବା ମିଳିବାରେ ବ୍ୟତିକ୍ରମ ଦେଖାଦେଇଛି। ଏଭଳି ଅବସ୍ଥାରେ ରହିଥିବା କୁଶଙ୍ଗ ହୋମିଓପାଥି ମେଡିକାଲର ଭିତିଭୂମି ଦିଗରେ ଜିଲ୍ଲାପାଳ ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ସମାଜସେବୀ ଭୀକାରୀ ଚରଣ ବାଈଙ୍କ ସମେତ କ୍ଷୀରୋଦ ଧଳ, ହରିହର ସାହୁ, ରମେଶ ଡାଳୁଆ, ସଂଜୟ କୁମାର ନାୟକ, ଗଦାଧର ଜେନା, ମନୋଜ ଲେଙ୍କା, ବିଦେସୀ ନାଏକ, ବିନୋଦ ବେହେରା ପ୍ରମୁଖ ଦୁଇ ପଂଚାୟତର ଜନସାଧାରଣ ଦାବୀ କରିଛନ୍ତି। ଏଥିପ୍ରତି ହୋମିଓପାଥି ମେଡିକାଲ କତୃପକ୍ଷ ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ଦାବୀ ହେଉଛି।

Comments are closed.