ଅନଲାଇନ ଶିକ୍ଷାଦାନର ବିକଳଚିତ୍ର: ପାଉନି ନେଟଓ୍ବାର୍କ, ପାହାଡ ଉପରେ ଚାଲିଛି ପିଲାଙ୍କ ପାଠପଢା

ହରଭଙ୍ଗା: କୋରୋନା ଯୋଗୁଁ ସ୍କୁଲ, କଲେଜ ଭଳି ଶିକ୍ଷାନୁଷ୍ଠାନ ଖୋଲିବାରେ ପ୍ରତିବନ୍ଧକ ଲାଗିଛି। କୋରୋନା କଟକଣା ଯୋଗୁଁ ଦୀର୍ଘ ୭ମାସ ହେଲା ସମସ୍ତ ସରକାରୀ ଏବଂ ବେସରକାରୀ ଶିକ୍ଷାନୁଷ୍ଠାନ ଗୁଡିକ ବନ୍ଦ ଯୋଗୁଁ ପିଲାଙ୍କ ପାଠପଢାରେ ବଡଧରଣର ବ୍ୟାଘାତ ସୃଷ୍ଟି ହୋଇଛି। ଏହାକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ଅନଲାଇନ ଶିକ୍ଷାଦାନ ଉପରେ ଗୁରୁତ୍ୱଦିଆଯାଉଛି। ମାତ୍ର ବୌଦ୍ଧ ଜିଲାର ଆଦିବାସୀ ଅଧ୍ୟୁଷିତ ହରଭଙ୍ଗା ବ୍ଲକରେ ଅନେକ ଗାଁରେ ମୋବାଇଲ ନେଟଓ୍ବାର୍କ ସୁବିଧା ନ ଥିବାରୁ ଏବଂ ଗରିବ ଛାତ୍ରଛାତ୍ରୀଙ୍କ ପାଖରେ ଏଣ୍ଡ୍ରଅଏଡ ମୋବାଇଲ ନ ଥିବା ଜଣାପଡ଼ିଛି।। ଯାହାଫଳରେ ଅନେକ ଛାତ୍ରଛାତ୍ରୀ ଅନଲାଇନ ପାଠପଢାରୁ ସଂପୂର୍ଣ୍ଣ ବଞ୍ଚିତ ହେଉଛନ୍ତି। ଆଉ କେତେକ ଛାତ୍ରଛାତ୍ରୀଙ୍କ ଘରଭିତରେ ଏବଂ ଗାଁରେ ନେଟ ନେଟଓ୍ବାର୍କ ପାଉ ନ ଥିବାରୁ ଗାଁ ବାହାରକୁ ଯାଇ ଜଙ୍ଗଲ ପହାଡର ପଥର ଚଟାଣ ଉପରେ ବସି ଅସୁରକ୍ଷିତଭାବେ ଅନଲାଇନ ପାଠପଢୁଥିବା ଭଳି ଆଉ ଏକ ବିକଳଚିତ୍ର ବ୍ଲକର ଧଳପୁର ପଞ୍ଚାୟତ ପଲଶାକୁଟୁଣୀ ଗ୍ରାମରେ ଦେଖିବାକୁ ମିଳିଛି।

ପ୍ରକାଶ ଯେ , ଜଙ୍ଗଲ ପାହାଡଘେରା ପଳଶାକୁଟୁଣୀ ଗ୍ରାମରେ ମୋବାଇଲ ନେଟଓ୍ବାର୍କ ସୁବିଧା ନାହିଁ। ଫଳରେ ସେହି ଗ୍ରାମର ପ୍ରଥମରୁ ପଞ୍ଚମ ଶ୍ରେଣୀ ଛାତ୍ରଛାତ୍ରୀମାନେ ସକାଳ ପାଇଲେ ଗାଁ ପାଖ ପାହାଡର ପଥରଚଟାଣରେ ବସି ଅନଲାଇନ ପାଠପଢୁଥିବା ଦେଖିବାକୁ ମିଳୁଛି। ଅନେକ ପିଲାଙ୍କ ପାଖରେ ଏଣ୍ଡ୍ରଅଏଡ ମୋବାଇଲ ସୁବିଧା ନ ଥିବାରୁ ଗୋଟିଏ ମୋବାଇଲରୁ ଦୁଇ ତିନିଜଣ ପିଲା ଶିକ୍ଷାଦାନ କରୁଥିବା ସଂର୍ପକରେ ଗ୍ରାମର ଅଭି ଦନ୍ତା ,ସଞ୍ଜୟ ପଲ୍ଲୀଆ, ସାନୁଜ ପ୍ରଧାନ ପ୍ରମୁଖ ଅଭିଭାବକ କହିଛନ୍ତି। ଏଭଳି ପ୍ରତିକୂଳ ପରିସ୍ଥିତିରେ ନେଟଓାର୍କ ଥିଲେ ମୋବାଇଲ ନାହିଁ ଭିତରେ ଅନଲାଇନ ଶିକ୍ଷାଦାନ ଛାତ୍ରଛାତ୍ରୀଙ୍କ ଉଜ୍ଜ୍ୱଳ ଭବିଷ୍ୟତ ଉପରେ ଏକ ବଡପ୍ରଶ୍ନବାଚୀ ସୃଷ୍ଟି କରିଛି।ରାଜ୍ୟସରକାର ଗ୍ରାମାଚଂଳ ଭିତିଭୂମିକୁ ଦୃଷ୍ଟିରେ ରଖି ମହାମାରୀ ସମୟରେ କିଭଳି ପିଲାଏ ସୁବିଧାରେ ଶିକ୍ଷାଦାନ ପାଇପାରିବେ ସେଥିପ୍ରତି ଯତ୍ନବାନ ହେବା ଅଭିଭାବକ ମହଲରୁ ଦାବି ଉଠୁଛି।

Comments are closed.