ନାହାନ୍ତି ଡାକ୍ତର, ରାତ୍ରି ଜଗୁଆଳି ଭରସାରେ ହରଭଙ୍ଗା ପଶୁ ଚିକିତ୍ସା କେନ୍ଦ୍ର

ହରଭଙ୍ଗା: ହରଭଙ୍ଗା ପଶୁଚିକିତ୍ସା କେନ୍ଦ୍ରଟି ଦୀର୍ଘଦିନ ହେଲା ଅବହେଳିତ ଅବସ୍ଥାରେ ପଡି ରହିଛି। ନାମକୁ ମାତ୍ର ପଶୁ ଚିକିତ୍ସା କେନ୍ଦ୍ର ରହିଥିବା ବେଳେ ଏହି କେନ୍ଦ୍ରରେ ୧୦ ବର୍ଷ ହେଲା ଜଣେ ପଶୁ ଡାକ୍ତର ଓ ଜଣେ ଅତିରିକ୍ତ ପଶୁ ଡାକ୍ତର ପଦବୀ ଖାଲିପଡିଛି। ଏପରିକି ଜଣେ ସ୍ଥାୟୀ ପ୍ରାଣିଧନ ନିରୀକ୍ଷକ ନଥିବାରୁ ଦୀର୍ଘ ବର୍ଷ ହେଲା ପଶୁ ଚିକିତ୍ସା କେନ୍ଦ୍ରଟି ଜଣେ ରାତ୍ରି ଜଗୁଆଳି ଭରସାରେ ଚାଲିଥିବା ଜଣାପଡିଛି। ଫଳରେ ଏହି ଚିକିତ୍ସା କେନ୍ଦ୍ର ଉପରେ ନିର୍ଭର କରୁଥିବା ହରଭଙ୍ଗା, ଶଙ୍କୁଲେଇ, ଛତ୍ରଙ୍ଗ, କୁଶଙ୍ଗ, ମହାଲ୍ଲିକପଡା ଭଳି ୫ଟି ପଂଚାୟତର ହଜାର ହଜାର ଜନସାଧାରଣ ପଶୁସେବାରୁ ବଂଚିତ ହେଉଛନ୍ତି।

ପଶୁ ଚିକିତ୍ସା କେନ୍ଦ୍ରର ଏଭଳି ଦୂରାବସ୍ଥା ଯୋଗୁଁ ସଠିକ ସମୟରେ ଗାଈ, ଗୋରୁ, ଛେଳି, ମେଣ୍ଢ, ପୋଢ, ମଇଁଷିଙ୍କୁ ପ୍ରତିଷେଧକ ଟୀକାକରଣ କରିବାରେ ବ୍ୟତିକ୍ରମ ଘଟୁଛି। ଫଳରେ ଅଂଚଳରେ ପଶୁ ପାଳନ ପାଇଁ ଚାଷୀଙ୍କ ଆଗ୍ରହ କମୁଛି। ବର୍ତମାନ ଅଂଚଳରେ ଫାଟୁଆ ରୋଗ ବ୍ୟାପୁଥିବା ବେଳେ ପଶୁ ଡାକ୍ତରଖାନାର ଏଭଳି ଦୂରାବସ୍ଥା ପଶୁ ପାଳକଙ୍କ ଦୁଃଖ ଦୂରକରିପାରୁନି।ପଂଚାୟତରେ ଥିବା ଜଣେ ଜଣେ ଗୋମିତ୍ର ସହାୟତାରେ ପଶୁ ସେବା ଚାଲିଥିବା ଭଲି ବିକଳ ଚିତ୍ର ହରଭଙ୍ଗାରେ ଦେଖିବାକୁ ମିଳିଛି। ଏଥିପ୍ରତି ରାଜ୍ୟ ପ୍ରାଣୀ ସମ୍ପଦ ସଚିବ ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ସମାଜସେବୀ ବିଶିକେଶନ ପ୍ରଧାନ ଦାବୀ କରିଛନ୍ତି। ସୂଚନା ଥାଉ କି ହରଭଙ୍ଗା ବ୍ଲକରେ ଜଣେ ବ୍ଲକ ପଶୁ ଚିକିତ୍ସା ଅଧିକାରୀ ଭଳି ୩ଟି ଡାକ୍ତର ପଦବୀ ଖାଲିପଡିଛି।ସେହିପରି ପଶୁଧନ ନିରୀକ୍ଷକ ପଦବୀ ଖାଲିପଡିଥିବାରୁ ପଶୁ ଡାକ୍ତରଖାନା ନାମକୁ ମାତ୍ର ରହିଛି। ଫଳରେ ଚାଷୀ ପୁରାତନ ଯୁଗରେ ଚେରମୂଳି ଭରସାରେ ପଶୁ ସେବା ଚଳାଇଥିବା ମଧ୍ୟ ଦେଖିବାକୁ ମିଳୁଛି।

Comments are closed.