ସାମ୍ବାଦିକଙ୍କ ବିୟୋଗରେ ଶୋକସଭା

ହରଭଙ୍ଗା: ବୌଦ୍ଧ ଜିଲ୍ଲା ପ୍ରେସ କ୍ଲବ ତରଫରୁ ଓ ଟିଭିର ବରିଷ୍ଠ ସାମ୍ବାଦିକ ଅରିନ୍ଦମ ଦାସଙ୍କ ବିୟୋଗରେ ଏକ ସ୍ମୃତିଚାରଣ ସଭା କ୍ଳବର ସଭାପତି ବରୋଜ କୁମାର ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ପ୍ରାରମ୍ଭରେ ସମ୍ପାଦକ ରଘୁନାଥ ଷଡ଼ଙ୍ଗୀ ସମ୍ୟକ ସୂଚନା ପ୍ରଦାନ କରିବା ପରେ ସଭାପତି ସଭାକୁ ପରିଚାଳନା କରିଥିଲେ। ଅରିନ୍ଦମ ଦାସ ଜଣେ ନିର୍ଭୀକ, ଦୁଃସାହସିକ ତଥା ନିର୍ବିବାଦୀୟ ସାମ୍ବାଦିକ ରହିବା ସହ ବିଭିନ୍ନ ସମୟରେ ସମ୍ବାଦ ସଂଗ୍ରହ କରି ରାଜ୍ୟ ତଥା ଦେଶ ଭିତରେ ଚହଳ ପକାଇବା ସହ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବାରେ ଅଗ୍ରଣୀ ଭୂମିକା ନିର୍ବାହ କରି ଆସୁଥିଲେ। ବନ୍ୟା, ବାତ୍ୟା ତଥା ମାଓବାଦୀ ସମ୍ପର୍କିତ ତଥ୍ୟ ସମୂହ ଜନମାନସରେ ପରିବେଷଣ କରାଇ ନିଜର ଏକ ଦୁଃସାହାସିକତା ପ୍ରତିପାଦନ କରାଇ ପାରୁଥିଲେ।

ଏଭଳି ଜଣେ ସାମ୍ବାଦିକ ବନ୍ଧୁଙ୍କୁ ହରାଇ ଉପସ୍ଥିତ ସଦସ୍ୟମାନେ ମର୍ମାହତ ବୋଲି ଶୋକ ବାର୍ତ୍ତାରେ ପ୍ରକାଶ କରିଥିଲେ। ସଭା ପ୍ରାରମ୍ଭରେ ଅମ୍ଳାନ ଆତ୍ମାର ସଦ୍ଗତି କାମନା କରି ଉପସ୍ଥିତ ସଦସ୍ୟମାନେ ୨ ମିନିଟ ନୀରବ ପାର୍ଥନା କରିଥିଲେ। କ୍ଳବର ସମ୍ପାଦକ ଦୁର୍ୟୋଧନ ବିଶି ସଭାଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ।

Comments are closed.