ମୋଦୀଙ୍କ ୧୦୦ତମ ମନ କି ବାତ୍‌‌ କାର୍ଯ୍ୟକ୍ରମ : ପିପିଲି ଚାନ୍ଦୁଆ ବିଶ୍ୱ ଦରବାରରେ ପହଞ୍ଚିବ

ପିପିଲି : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ୧୦୦ତମ ‘ମନ କି ବାତ୍‌‌’ କାର୍ଯ୍ୟକ୍ରମ ଅବସରରେ ପୁରୀ ଜିଲା ବିଜେପି ପକ୍ଷରୁ ପିପିଲି ନିକଟବର୍ତ୍ତି ଦାଣ୍ଡମୁକୁନ୍ଦପୁର ସ୍ଥିତ ବାଲିପଡ଼ିଆ ଠାରେ ଶିଶୁମାନଙ୍କୁ ନେଇ ‘ମୁଁ ବି ମୋଦୀ’ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ସେଠାରେ ଲାଗିଥିବା ବଡ଼ ଏଲ୍‌‌ଇଡ଼ି ପରଦାରେ ପ୍ରାୟ ୧ହଜାରରୁ ଅଧିକ ପୁରୁଷ ଓ ମହିଳାମାନେ ପ୍ରଧାନମନ୍ତ୍ରୀଙ୍କର ‘ମନ୍‌‌ କି ବାତ୍‌‌’ କାର୍ଯ୍ୟକ୍ରମ ଦେଖିଥିଲେ।
ଏହି ଅବସରରେ ପୁରୀ ଜିଲା ବିଜେପି ସଭାପତି ଆଶ୍ରିତ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ଡା. ସମ୍ବିତ ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଧାନମନ୍ତ୍ରୀଙ୍କର ଆଜିର ମନ୍‌‌ କି ବାତ୍‌‌ କାର୍ଯ୍ୟକ୍ରମକୁ ସହିଦ ଦେବାଶିଷଙ୍କ ପରିବାର ଉଦ୍ଦେଶ୍ୟରେ ସମର୍ପିତ କରାଗଲା ବୋଲି କହିଥିଲେ। ସହିଦ ଦେବାଶିଷଙ୍କ ପାଇଁ ସଭାକାର୍ଯ୍ୟ ପ୍ରାରମ୍ଭରେ ଦୁଇ ମିନିଟ୍‌‌ ନିରବ ପ୍ରାର୍ଥନା କରାଯାଇଥିଲା। ପିପିଲିର ପ୍ରସିଦ୍ଧ ଚାନ୍ଦୁଆ ଶିଳ୍ପ ବିଶ୍ୱ ଦରବାରରେ ପହଞ୍ଚିବ ଓ ଏଥିପାଇଁ କେନ୍ଦ୍ର ସରକାର ବିଭିନ୍ନ ଯୋଜନା ପ୍ରସ୍ତୁତ କରୁଛନ୍ତି ବୋଲି ଶ୍ରୀପାତ୍ର ସୂଚନା ଦେଇଥିଲେ। ଏହି ଅବସରରେ ‘ମୁଁ ବି ମୋଦୀ’ ଶୀର୍ଷକ ବକୃତା ଓ ମୋଦୀ ବେଶ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏଥିରେ ପିପିଲି ଅଞ୍ଚଳର ବିଭିନ୍ନ ବିଦ୍ୟାଳୟର ପ୍ରଥମରୁ ପଞ୍ଚମ ଶ୍ରେଣୀର ମୋଟ୍‌‌ ୫୦ଜଣ ଛାତ୍ରଛାତ୍ରୀ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବେଶରେ ୧ମିନିଟ୍‌‌ ଲେଖାଏଁ ଭାଷଣ ଦେଇଥିଲେ । ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ୫ଜଣ ଲେଖାଏଁ ମୋଟ୍‌‌ ୧୫ଜଣ କୃତି ପ୍ରତିଯୋଗୀଙ୍କୁ ଅର୍ଥରାଶି ସହ ପ୍ରମାଣପତ୍ର ପ୍ରଦାନ କରାଯାଇଥିବା ବେଳେ ଅବଶିଷ୍ଟ ୩୫ ପ୍ରତିଯୋଗୀଙ୍କୁ ସାନ୍ତ୍ୱନାମୂଳକ ପୁରଷ୍କାର ପ୍ରଦାନ କରାଯାଇଥିଲା।

ଅବସରପ୍ରାପ୍ତ ଶିକ୍ଷାବିତ୍‌‌ ବୃନ୍ଦାବନ ଜେନା, ଅବସରପ୍ରାପ୍ତ ସେନା ଅଧିକାରୀ ରମେଶ ଚନ୍ଦ୍ର ମହାପାତ୍ର ଓ ବରିଷ୍ଠ ସାମ୍ବାଦିକ ରାଜକିଶୋର ସ୍ୱାଇଁ ଉକ୍ତ ପ୍ରତିଯୋଗିତାର ବିଚାରକ ଭାବେ ଯୋଗଦେଇଥିଲେ। ପ୍ରତିଯୋଗିତାକୁ ଯୁବନେତା କର୍ପୁର ଚନ୍ଦନ ଜେନା, କାଉନ୍‌‌ସିଲର ବିଭୂତି ଭୂଷଣ ବାରିକ, ପୂର୍ବତନ ସରପଞ୍ଚ ପ୍ରଦୀପ ସାହୁ ପ୍ରମୁଖ ପରିଚାଳନା କରିଥିଲେ। ଅନ୍ୟତମ ଅତିଥି ଭାବେ ବରିଷ୍ଠ ବିଜେପି ନେତା ଓମପ୍ରକାଶ ମିଶ୍ର, ପିପିଲି ଏନଏସିର ପୂର୍ବତନ ପୌର ଉପାଧ୍ୟକ୍ଷ ସୁକାନ୍ତ ଭଟ୍ଟ, ଜିଲା କୃଷକ ମୋର୍ଚ୍ଚା ସଭାପତି ଅଜୟ ପ୍ରଧାନ, ଯୁବନେତା ସନ୍ତୋଷ ବରାଳ, ସମିତିସଭ୍ୟ ଗଦାଧର ପରିଡ଼ା, ସରପଞ୍ଚ ବିଭୂତି ଭୂଷଣ ନାଥ, ସୁବାସ ଚନ୍ଦ୍ର ପଲେଇ, ମଣ୍ଡଳ ସଭାପତି ସୁଧିର ବିଶ୍ୱାଳ, ଶ୍ୱେତ ନାୟକ, ପ୍ରଦୀପ ପାତ୍ର, ସୁଧାଂଶୁ ପରିଡ଼ା, ଶୁଭାଶିଷ ରଥ, ସମାଜସେବୀ ସୁରେନ୍ଦ୍ର ବେହେରା ପ୍ରମୁଖ ଯୋଗଦେଇଥିଲେ।

Comments are closed.