ହରଭଙ୍ଗାରେ କରୋନାର ଲମ୍ବଡିଆଁ, ୧୮୬ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ

ଦ୍ରୁତ ଗତିରେ ବ୍ୟାପୁଛି ସଂକ୍ରମଣ, ସଂଖ୍ୟା ଛୁଇଁଲା ୫୮୧

ହରଭଙ୍ଗା: ହରଭଙ୍ଗା ବ୍ଲକରେ କରୋନା ବିସ୍ଫୋରକ ରୂପ ଧାରଣ କରିଛି। ଗୁରୁବାର ବ୍ଲକରୁ ରେକର୍ଡ ସଂଖ୍ୟକ ୧୮୬ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜିର ଆକ୍ରାନ୍ତଙ୍କୁ ମିଶାଇ ବ୍ଲକରେ ସଂକ୍ରମିତ ସଂଖ୍ୟା ୫୮୧ରେ ପହଞ୍ଚିଛି। ଆଜିର ଆକ୍ରାନ୍ତ ତାଲିକାରେ ସାମ୍ପୋଚ ପଂଚାୟତର ଶ୍ୟାମସୁନ୍ଦରପୁରରୁ ସର୍ବାଧିକ ୫୦ଜଣ, ଶଙ୍କୁଲେଇ ପଂଚାୟତ ବିଶିପାଲ୍ଲୀରୁ ୪୧ଜଣ, ଧଳପୁରରୁ ୨୨ଜଣ, ବାମଣ୍ଡା ପଂଚାୟତ ତାଳବାହାଲରୁ ୧୯ଜଣ, ହରଭଙ୍ଗା ପଂଚାୟତ ବୁକେଶିଙ୍ଗାରୁ ୧୭ଜଣ, ଲୁଣିବାହାଲ ପଂଚାୟତ ବଡବନ୍ଧରୁ ୧୫ଜଣ, ମଥୁରା ପଂଚାୟତ ପଙ୍କୁଆଳରୁ ୧୦ଜଣ, ପୁରୁଣାକଟକରୁ ୦୫ଜଣ, ଝାଡ୍ରାଜିଂ, ବଡବଙ୍କାପଡାରୁ ୨ଜଣ ଲେଖାଏଁ ଏବଂ ତିଲେଶ୍ୱର, ଲମ୍ବାକାନୀରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଦିନକୁ ଦିନ ଗାଁରୁ ଗାଁକୁ କରୋନା ମହମାରୀ ଦ୍ରୁତ ଗତିରେ ବ୍ୟାପୁଥିବାବେଳେ ପ୍ରଶାସନିକ ଢିଲା କଟକଣା ଏବଂ ଟିଏମସି ଖୋଲିବାରେ ବିଳମ୍ବ ଗୋଷ୍ଠି ସଂକ୍ରମଣକୁ ନିମନ୍ତ୍ରଣ କରୁଛିି। ଜିଲ୍ଲାର ହରଭଙ୍ଗା ବ୍ଲକରେ ସଂକ୍ରମିତ ସଂଖ୍ୟା ରେକର୍ଡ ପାର କରିସାରିଥିବା ବେଳେ ଏହା ଉପରେ ଅଙ୍କୁଶ ଲଗାଇବା ପାଇଁ ପ୍ରଶାସନ ପକ୍ଷରୁ ସୁଚିନ୍ତିତ ପଦକ୍ଷେପ ଗ୍ରହଣ କରାଯାଉନାହିଁ। ଯାହାଫଳରେ ଗରିବ ଆକ୍ରାନ୍ତ ଭଗବାନ ଭରସାରେ ଘରେ ରହି ଚିକିତ୍ସିତ ହେବାକୁ ବାଧ୍ୟ ହେଉଛନ୍ତି। ଅନ୍ୟପଟେ ପ୍ରତିଦିନ ଏକ ଛୋଟ ଛୋଟ ଗାଁରୁ ୫୦ ଜଣ ସଂକ୍ରମିତ ଏକାବେଳେ ଚିହ୍ନଟ ହେଉଥିବ ଦେଖିବାକୁ ମିଳିଛି। ଏଭଳି ଗାଁ ଗାଁରେ ଦ୍ରୁତ ସଂକ୍ରମଣ ବୃଦ୍ଧି ପାଉଥିବାବେଳେ ଗ୍ରାମାଞ୍ଚଳ ଲୋକଙ୍କ ମୂଲ୍ୟବାନ ଜୀବନ ପ୍ରତି ରାଜନେତା, ଲୋକପ୍ରତିନିଧି ଏବଂ ପ୍ରଶାସନର ନୀରବତା ଆଗକୁ ମହମାରୀ ଆହୁରି ଉଗ୍ରରୂପ ଧାରଣ କରିବ ବୋଲି ଜଳ ଜଳ ହୋଇ ଦିଶୁଛି। ଏଥିପ୍ରତି ରାଜ୍ୟ ରିଲିଫ କମିଶନର ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ଦାବୀ ହେଉଛି।

Comments are closed.