ବିକାଶର ବାଟ ଓଗାଳିଛି ଘାଟିରାସ୍ତା

ହରଭଙ୍ଗା:ଦେଶ ସ୍ୱାଧୀନତାର ବହୁ ବର୍ଷ ବିତିଯାଇଛି। ଏଠାରେ ବିକାଶର ବାଟ ଓଗାଳିଛି ଘାଟିରାସ୍ତା। ଗ୍ରାମଞ୍ଚଳ ବିକାଶ ପାଇଁ ସରକାରଙ୍କ ମାଳ ମାଳ ଯୋଜନା ରହିଛି, କିନ୍ତୁ ତାହା ଦୁର୍ଗମ ଗାଁରେ ଅପହଞ୍ଚ ରହିଛି। ଏଭଳି ଏକ ଗାଁ ହେଉଛି ହରଭଙ୍ଗା ବ୍ଲକ ମହାଲ୍ଲିକପଡା ପଞ୍ଚାୟତର ଦୁର୍ଗମ ଗାଁ କୁଟୀବାରୀ। ପଞ୍ଚାୟତର ୮ନଂ ଓାର୍ଡ ଅର୍ନ୍ତଗତ କୁଟୀବାରୀ ଗାଁରେ ୬୦ଟି ପରିବାରରେ ପାଖାପାଖି ୪ଶହ ଲୋକ ବସବାସ କରନ୍ତି। ୨୦୧୭ରେ କୁଶଙ୍ଗ ପଞ୍ଚାୟତରୁ କୁଟୀବରୀ ଗ୍ରାମ ବିଭାଜିତ ହୋଇ ମହାଲ୍ଲିକପଡା ପଞ୍ଚାୟତରେ ସାମିଲ ହୋଇଛି। ପଞ୍ଚାୟତ ସଦର ମହକୁମାଠାରୁ ୧୨କିମି ଦୂରରେ ରହିଥିବା ଏହି ଦୁର୍ଗମ ଗାଁ ଲୋକଙ୍କ ପାଇଁ ଆଜି ବି ଅପହଞ୍ଚ ହୋଇଛି। ଏହି ଗାଁକୁ ନିତିଦିନିଆ ରାସ୍ତା ନ ଥିବାବେଳେ ଏଠାରେ ପିଇବା ପାଣି ଏବଂ ସ୍ୱାସ୍ଥ୍ୟସେବା ଅପହଞ୍ଚ ହୋଇ ରହିଛି। ରାସ୍ତା ଅଭାବରୁ ଜରୁରୀ କାଳୀନ ପରିସ୍ଥିତିରେ ଗାଁକୁ ଆମ୍ବୁଲାନ୍ସ ବି ପହଞ୍ଚି ପାରୁନାହିଁ। ଫଳରେ ପ୍ରସୂତି ଏବଂ ରୋଗୀକୁ ମେଡିକାଲ ନେବା କଷ୍ଟକର ହୋଇପଡୁଛି। କୁଟୀବାରୀ ଗାଁରେ ଧାନଚାଷ ଭଲ ହେଉଛି, କିନ୍ତୁ ରାସ୍ତାର ଦୟନୀୟ ଅବସ୍ଥା ଯୋଗୁଁ ଲୋକେ ଏହାର ଉପକାରିତା ପାଇପାରୁନାହାନ୍ତି। ସେମାନଙ୍କୁ ଧାନ ବିକ୍ରି ପାଇଁ ୧୭କିଲୋମିଟର ଦୂରରେ ଥିବା ଧାନମଣ୍ଡିକୁ ଯିବାକୁ ପଡୁଛି। ସରକାରୀ ଯୋଜନାରେ ବିଭିନ୍ନ ଭତ୍ତା ଓ ଚାଉଳ ପାଇଁ ଜଙ୍ଗଲି ଘାଟିରାସ୍ତାରେ ଜୀବନକୁ ବାଜିଲଗାଇ ୧୨ କିଲୋମିଟର ଦୂରରେ ଥିବା ପଞ୍ଚାୟତକୁ ଯିବାକୁ ପଡିଥାଏ।

 

ରାସ୍ତା ଅଭାବରୁ ଏସବୁ ସରକାରୀ ସାମଗ୍ରୀ ସଂଗ୍ରହ ପାଇଁ ଗୋଟିଏ ଦିନ ଲୋକଙ୍କୁ ଲାଗିଥାଏ। ପିଇବା ପାଣି ପାଇଁ ଗାଁରେ ହାତଗଣତି ୨ରୁ୩ଟି ନଳକୂପ ରହିଥିଲେ ସୁଦ୍ଧା ସେଥିରୁ ୨ଟି ଅଚଳାବସ୍ଥାରେ ରହିଥିବା ଜଣାପଡିଛି। ଫଳରେ ଲୋକେ ବର୍ଷସାରା କୂଅ ଏବଂ ଦୂଷିତ ଚୂଆ ପାଣି ବ୍ୟବହାର କରୁଛନ୍ତି। ଗାଁରେ ପ୍ରାଥମିକ ଶିକ୍ଷା ପାଇଁ ଏକମାତ୍ର ପ୍ରାଇମେରୀ ସ୍କୁଲ ପ୍ରଥମରୁ ପଞ୍ଚମ ପର୍ଯ୍ୟନ୍ତ ରହିଛି। ଫଳରେ ଅଧିକ ପାଠପଢିବାକୁ ଚାହୁଁଥିବା ପିଲାଏ ୩୪ କିଲୋମିଟର ଦୂର ପର୍ଯ୍ୟନ୍ତ ଯିବା ଆସିବା କରିବାକୁ ପଡୁଛି। ଏହି କୁଟୀବାରୀ ଗାଁର ପିଲାମାନେ କୁଶଙ୍ଗ ହାଇସ୍କୁଲରେ ପାଠପଢିବା ପାଇଁ ଯିବା ସମୟରେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଗାଁରେ ମୋବାଇଲ ଟାଓାର ନଥିବାରୁ ଅନଲାଇନ ପାଠପଢା ସେଠାକାର ପିଲାଙ୍କ ପାଇଁ ସାତସପନ ହୋଇରହିଛି। ସର୍ବନିମ୍ନ ମୌଳିକ ସୁବିଧାରୁ ବଞ୍ଚିତ କୁଟୀବାରୀ ଗାଁର ବିକାଶ ପାଇଁ ରାସ୍ତାଘାଟ, ପିଇବା ପାଣି, ସ୍ୱାସ୍ଥ୍ୟସେବା ଦିଗରେ ଜିଲା ପ୍ରଶାସନ ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ଗ୍ରାମର ରାମଚନ୍ଦ୍ର ସାହୁ, କିଶୋରୀ ବିଶ୍ୱାଳ, ସୁଜନ ସାହୁ, ସନାତନ ପ୍ରଧାନ ପ୍ରମୁଖ ଦାବି କରିଛନ୍ତି।

କୁଟୀବାରୀ ଗାଁ ଲୋକଙ୍କ ମତାମତ

ଶ୍ରୀଧର ସାହୁ: ମୋତେ ବୟସ ୭୫ବର୍ଷ ହେଲାଣି। ଏଠାରେ ବାପା ଜେଜେବାପା ଅମଳରୁ ରହିଆସୁଛୁ। ମାତ୍ର ଆମର ଦୁର୍ଭାଗ୍ୟ ଯୋଗୁଁ ଆମେ ଆଜି ପର୍ଯ୍ୟନ୍ତ ନିତିଦିନିଆ ରାସ୍ତା ଖଣ୍ଡିଏ ଦେଖିପାରିଲୁନାହିଁ। ରାସ୍ତା ଅଭାବରୁ ପିଲାଏ ବର୍ଷାଦିନେ ସ୍କୁଲ ଯିବା, ରୋଗୀକୁ ମେଡିକାଲ ନେବା ଭଳି ବହୁବିଧି ସମସ୍ୟା ଭୋଗୁଛୁ। ସରକାର ଗାଁ ରାସ୍ତା ନିର୍ମାଣ ଦିଗରେ ଦୃଷ୍ଟି ଦେବା ଆବଶ୍ୟକ।

ନାରାୟଣ ପ୍ରଧାନ: ଗାଁରେ ରାସ୍ତା ଅଭାବରୁ ପଞ୍ଚାୟତକୁ ଚାଉଳ, ଭତ୍ତା ଆଣିବା ପାଇଁ ବହୁବିଧି ସମସ୍ୟା ଭୋଗୁଛୁ। ଖାଲି ସେତକି ନୁହେଁ ଧାନ ଚାଷ ଭଲ ହେଉଥିଲେ ମଧ୍ୟ ୧୭କିଲୋମିଟର ଦୂର କୁଶଙ୍ଗରେ ମଣ୍ଡି ରହିଥିବାବେଳେ ବର୍ଷକର କଷ୍ଟ ଉପାର୍ଜ୍ଜୀତ ଧାନ ବିକ୍ରିରେ ବହୁବିଧି ସମସ୍ୟା ଉପୁଜୁଛି। ପିଇବା ପାଣି ପାଇଁ ନଳକୂପ ୨ରୁ୩ଟି ରହିଥିଲେ ସୁଦ୍ଧା ସେଥିରୁ ୨ଟି ଅଚଳାବସ୍ଥା ଯୋଗୁଁ ବର୍ଷସାରା କୂଅ, ଦୂଷିତ ପିଇବା ପାଣି ବ୍ୟବହାର କରୁଛନ୍ତି। ଏହି ଗାଁ ରସମସ୍ୟା ଦିଗରେ ସରକାର ଦୃଷ୍ଟି ଦେବା ଜରୁରୀ।

Comments are closed.