ମହାନଦୀରେ ବନ୍ୟା : ହରଭଙ୍ଗା ତହସିଲର ୨୦ରୁ ଅଧିକ ଗାଁ ବାହ୍ୟଜଗତରୁ ବିଛିନ୍ନ

ଜିଲାପାଳଙ୍କ ବନ୍ୟାସ୍ଥିତି ଅନୁଧ୍ୟାନ,୭ଦିନଆ ରିଲିଫ ବଂଟନ ପାଇଁ ନିର୍ଦ୍ଦେଶ

ହରଭଙ୍ଗା :  ଲଘୁଚାପ ପ୍ରଭାବରେ ଉପରମୁଣ୍ଡ ତିନିଦିନ ଧରି ଲଗାଣ ବର୍ଷା ଯୋଗୁଁ ମହାନଦୀରେ ଏକ ବଡଧରଣର ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି।ଉପରମୁଣ୍ଡରେ ଥିବା ତେଲନଦୀର ବନ୍ୟା ସାଙ୍ଗକୁ ହୀରାକୁଦ୍‍ ଡ୍ୟାମ୍‍ର ପର୍ଯ୍ୟାୟକ୍ରମେ ୪୦ଟି ଗେଟ ଖୋଲିବା ଫଳରେ ମହାନଦୀରେ ଏକ ବଡଧରଣର ବନ୍ୟା ଦେଖାଇଦେଇଛି। ଶୁକ୍ରବାର ସକାଳୁ ମହନଦୀ ଜଳସ୍ତର ଅହେତୁକ ପରିମାଣରରେ ବୃଦ୍ଧି ଘଟିଛି। ଯାହାଫଳରେ ଚଳିତବର୍ଷ ପ୍ରଥମଥର ପାଇଁ ମହାନଦୀରେ ଏକ ବଡଧରଣର ବନ୍ୟା ହେବା ଆଶଙ୍କା ପ୍ରକାଶ ପାଇଛି।ଏହାକୁ ଦୃଷ୍ଟିରେ ରଖି ହରଭଙ୍ଗା ତହସିଲ ଅଧିନରେ ରହିଥିବା କୁଶଙ୍ଗ,ହରଭଙ୍ଗା,ଶଙ୍କୁଲେଇ,ଧଳପୁର,ରାମଗଡ,ବୀରନରସିଂହପୁର,ସାମ୍ପୋଚ,ସରସରା, ୯ଟି ପଂଚାୟତର ୫୫ଟି ନଦୀକୂଳିଆ ଗାଁ ବନ୍ୟାରେ ପ୍ରଭାବିତ ହେବା ଜଣାପଡିଛି।

ମହାନଦୀରେ ଏଭଳି ଭୟଙ୍କର ବନ୍ୟା ପରିସ୍ଥିତକୁ ଦୃଷ୍ଟିରେ ରଖି ଆଜି ସକାଳେ ଜିଲ୍ଲା ପ୍ରଶାସନ ପକ୍ଷରୁ ତଳିଆ ଅଂଚଳ ଲୋକଙ୍କୁ ଆଗୁଆ ସର୍ତକ ସୂଚନା ପ୍ରଦାନ କରାଯାଇଛି।ଏହା ସହିତ ତଳିଆ ଅଂଚଳଲୋକଙ୍କୁ ଉଚ୍ଚସ୍ଥାନ,ବନ୍ୟା ଆଶ୍ରୟସ୍ଥଳୀକୁ ଯିବାପାଇଁ ସେମାନଙ୍କୁ ଆଗୁଆ ସର୍ତକ କରାଯାଇଛି।ମହାନଦୀରେ ଆଜି ସକାଳ ଠାରୁ ବନ୍ୟାପାଣି ବୃଦ୍ଧି ପାଇଛି।ଫଳରେ ବର୍ତମାନ ହରଭଙ୍ଗା ତହସିଲର  ମରଡା, ତିରଡ, ଅତଲସରା, କୁମାରୀ,କୋଡାଶିଙ୍ଗା,ସୁରୁଣ୍ଡି,ଭେଜିଗୁଡା,ଡିଆଁଘାଟ,ଖଣ୍ଡିଧଳପୁର,ଶାକୁଶିଙ୍ଗା,ତେନ୍ତୁଳିପଦର,ପାଣିଘରା,ହାଟ ଗାଁ ,କରଡି,କୃଷ୍ଣମୋହନପୁର,ଝରାସାହି ଭଳି ୨୦ରୁ ଅଧିକ ଗାଁକୁ ଯୋଗାଯୋଗ ବିଛିନ୍‍ ହୋଇଛି।ମାରଡା ,ହାଟ ଗାଁ,ପାଣିଘରା,ଖଣ୍ଡିଧଳପୁର ଏବଂ ତିରଡ,କୋଡାଶିଙ୍ଗା ,ଝରାସାହି, କୃଷ୍ଣମୋହନପୁର, ଭଳି ଗାଁଗୁଡିକ ବାହ୍ୟଜଗତରୁ ବିଛିନ୍ନ ହୋଇପଡିଛି।ବନ୍ୟାସ୍ଥିତି ଅନୁଧ୍ୟାନ ପାଇଁ ବୌଦ୍ଧ ଜିଲାପାଳ ଲଲାଟେନ୍ଦୁ ମିଶ୍ର ହରଭଙ୍ଗା ବ୍ଲକର ,କୁଶଙ୍ଗ ,ଅତଲସରା,କୁମାରୀ ଏବଂ ମାରଡା ଅଂଚଳ ପରିଦର୍ଶନ କରିଛନ୍ତି।

ପାଣିଘେରରେଥିବା ମାରଡା,କୋଡାଶିଙ୍ଗା,ଭେଜିଗୁଡା,ହରଭଙ୍ଗା,ସୁରୁଣ୍ଡି,ଡିଆଁଘାଟ ,ହାଟ ଗାଁ, ଖଣ୍ଡିଧଳପୁର, ପାଣିଘରା, ଝରାସାହି, ତେନ୍ତୁଳିପଦର, ଧଳପୁର, ସାକୁଶିଙ୍ଗା ଭଳି ଗ୍ରାମବାସୀକୁ ୭ଦିନଆ ରିଲିଫ ଚାଉଳବଂଟନ ପାଇଁ ବି.ଡି.ଓଙ୍କୁ ନିର୍ଦ୍ଦେଶ ଦିଆଯାଇଛି।ଏହା ସହିତ ବ୍ଲକ ପ୍ରଶାସନ ପକ୍ଷରୁ ୫ଟି ଟିମ ଗଠନ କରାଯାଇ ବନ୍ୟା ପ୍ରଭାବିତ ପଂଚାୟତ ଅଂଚଳରେ ରହି ରାତିରେ ସ୍ଥିତି ଅନୁଧ୍ୟାନ କରାଯିବାକୁ ନିର୍ଦ୍ଦେଶ ଦିଆଯାଇଛି।ଆବଶ୍ୟକ ସ୍ଥଳେ ଫାୟାର ଟିମକୁ ହରଭଙ୍ଗାରେ ମୁତୟନ କରାଯିବା ସହିତ ଆବଶ୍ୟକସ୍ଥଳେ ଉଦ୍ଧାର କାର୍ଯ୍ୟ ତ୍ୱାରାନ୍ୱିତ କରାଯିବା ଭଳି ଆଗୁଆ ପଦ କ୍ଷେପ ପ୍ରଶାସନ ପକ୍ଷରୁ ନିଆଯାଇଥିବା ହରଭଙ୍ଗା ବି.ଡି.ଓ ନୀଳକଣ୍ଠ ବେହେରା ପକ୍ଷରୁ ସୂଚନା ମିଳିଛି। ଏଥିସହିତ ସେ ନିଜେ ଟିମ ସହିତ ଆଜି ରାତିରେ ହରଭଙ୍ଗାରେ ରହି ସ୍ଥିତ ଅନୁଧ୍ୟାନ କରିବେ ବୋଲି କହିଛନ୍ତି।

Comments are closed.