ହରଭଙ୍ଗାର ଗୌରବ ଫେରାଇଆଣିବା ପାଇଁ ଅଂଟାଭିଡିଲେ ଯୁବଗୋଷ୍ଠୀ

ହରଭଙ୍ଗା; ଦିନେ ନୌବାଣିଜ୍ୟ ,ରାଜନୈତିକ,ଆଧ୍ୟାତ୍ମିକ କ୍ଷେତ୍ରରେ ସୁନାମ ଅର୍ଜ୍ଜନ କରିଥିଲା ହରଭଙ୍ଗା ଗ୍ରାମ । ହେଲେ ଆଜି ପ୍ରଶାସନର ଅଣଦେଖା ମନୋଭାବ ଯୋଗୁଁ ନିଜର ପରିଚୟ ହଜାଇବାକୁ ବସିଛି । ଯାହାଫଳରେ ହରଭଙ୍ଗା ନାମରେ ବ୍ଲକ ଠାରୁ ଆରମ୍ଭ କରି ତହସିଲ କାର୍ୟ୍ୟାଳୟ, କୋର୍ଟ, ଭଳି ସବୁ ଦପ୍ତର ରହିଥିଲେ ସୁଦ୍ଧା ଏହାର ଠିକଣା ବଦଳିବା ଯୋଗୁଁ ଆଜି ହରଭଙ୍ଗା ସବୁ କ୍ଷେତ୍ରରେ ଅବହେଳିତ ହୋଇପଡିଛି । ନିଜ ଗାଁର ଗୌରବ ପରିଚୟ ଫେରାଇ ଆଣିବା ପାଇଁ ସ୍ଥାନୀୟ ସଚେତନ ଯୁବଗୋଷ୍ଠୀଙ୍କ ପକ୍ଷରୁ ପ୍ରତାପ ପ୍ରଧାନଙ୍କ ନେତୃତ୍ୱରେ ବୌଦ୍ଧ ଜିଲ୍ଲାପାଳଙ୍କୁ ଭେଟି ଏକ ୬ଦଫା ଦାବିପତ୍ର ପ୍ରଦାନ କରାଯାଇଛି ।

ଦାବିପତ୍ରରେ ହରଭଙ୍ଗା ନାମରେଥିବା ସମସ୍ତ ସରକାରୀ କାର୍ୟ୍ୟାଳୟ ହରଭଙ୍ଗାକୁ ସ୍ଥାନାନ୍ତରଣ,ରାଜୁଡା ସମୟରୁଥିବା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରକୁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ମାନ୍ୟତା,ହରଭଙ୍ଗାରେ ଭିଲେଜ କୋର୍ଟ ସ୍ଥାପନ ,ଶଗଡିଆ କ୍ଷୁଦ୍ରଜଳସେଚନ ପ୍ରକଳ୍ପର କେନାଲ କାର୍ୟ୍ୟ ସମ୍ପୂର୍ଣ୍ଣ,ହରଭଙ୍ଗାରେ ଯୁକ୍ତ ଦୁଇ ବିଜ୍ଞାନ ସାଙ୍ଗକୁ ଡିଗ୍ରୀ କଲେଜ ସ୍ଥାପନ ଏବଂ ହରଭଙ୍ଗାରେ ଏକ ମଡେଲ ବସଷ୍ଟାଣ୍ଡ ନିର୍ମାଣ ଭଳି ଦାବୀ ପ୍ରଦାନ କରାଯାଇଛି । ସୂଚନା ଥାଉ କି ବୌଦ୍ଧ ଜିଲ୍ଲା ,କନ୍ଧମାଳ ଜିଲ୍ଲା ଅଧିନରେ ଥିବା ସମୟରେ ୧୯୬୨ ମସିହାରେ ହରଭଙ୍ଗାରୁ ବ୍ଲକ କାର୍ୟ୍ୟାଳୟକୁ ବନ୍ୟା ଆଳ ଦେଖାଇ ସ୍ଥାନାନ୍ତରିତ କରାଯିବା ଭଳି ଏକ ଭୁଲ ନିଷ୍ପତି ଗ୍ରହଣ ପରେ ହରଭଙ୍ଗା ବିକାଶରେ ପୂର୍ଣ୍ଣଛେଦ ପଡିଥିଲା।ହରଭଙ୍ଗାର ଗୌରବ ଫେରାଇବା ପାଇଁ ଯୁବ ଗୋଷ୍ଠୀଙ୍କ ଏଭଳି ଉଦ୍ୟମ ସାଧାରଣରେ ପ୍ରଂଶସା କରାଯାଇଛି।ଏହାକୁ ଆଗାମୀ ଦିନରେ ଜିଲ୍ଲାପ୍ରଶାସନ କେଉଁ ପଦକ୍ଷେପ ଗ୍ରହଣ କରୁଛନ୍ତି ତାକୁ କେବଳ ସମସ୍ତଙ୍କ ଅପେକ୍ଷା ରହିଛି।

Comments are closed.