ହରଭଙ୍ଗା ବ୍ଲକ ଦୁଗ୍ଧଚାଷୀଙ୍କ ପାଇଁ ଖୁସିଖବର; କାର୍ଯ୍ୟକ୍ଷମହେବ ଚାରିଛକ ଦୁଗ୍ଧଶୀତଳୀକରଣ ପ୍ଲାଣ୍ଟ

ଗଠନ ହେବ ୧୨ଦୁଗ୍ଧ ସମବାୟ ସମିତି, ଉପକୃତ ହେବେ ୫ଶହ ଚାଷୀ।

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ସଦରମହକୁମା ଚାରିଛକଠାରେ ଥିବା ଦୁଗ୍ଧଶୀତଳିକରଣ ପ୍ଲାଣ୍ଟ ଦୀର୍ଘ ୫ବର୍ଷ ପରେ ପୁନଃ କାର୍ଯ୍ୟକ୍ଷମ ହେବାକୁ ଯାଉଛି।ଏ ନେଇ ଗତ ୫ତାରିଖରେ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ରଙ୍କ ଅଧ୍ୟକ୍ଷତାରେ ଦୁଗ୍ଧ ସମବାୟ ସମିତି ପୁର୍ନଗଠନ ଏବଂ ସଂମ୍ପ୍ରସାରଣ ବୈଠକ ଅନୁଷ୍ଠିତ ପରେ ବନ୍ଦ ହୋଇପଡିଥିବା ଦୁଗ୍ଧଶିତଳିକରଣ ପ୍ଲାଣ୍ଟ ପୁନଃ ଶୁଭାରମ୍ଭ ପାଇଁ ବାଟ ଖୋଲିଛି।ଯାହାକି ଜିଲ୍ଲାର ୩ବ୍ଲକର ଶହ ଶହ ଦୁଗ୍ଧଚାଷୀଙ୍କ ପାଇଁ କରୋନା ଭଳି କଠିନ ସମୟରେ ଏକ ଖୁସି ଖବର ଆଣିଛି।ଦୁଗ୍ଧ ପ୍ଲାଣ୍ଟ ବନ୍ଦ ସଂର୍ପକୀତ ଖବର ସମାଜରେ ଲଗାତାର ଅନୁସନ୍ଧାନ ମୂଳକ ରିପୋର୍ଟ ବାରମ୍ବାର ପ୍ରକାଶ ପାଇବା ପରେ ଜିଲ୍ଲାପ୍ରଶାସନ ଏହା ଉପରେ ଗୁରୁତ୍ୱ ପ୍ରଦାନ କରିଛନ୍ତି।ଜିଲ୍ଲାରେ ରହିଥିବା ୪ପ୍ଲାଣ୍ଟରୁ ବନ୍ଦ ହୋଇପଡିଥିବା ୩ପ୍ଲାଣ୍ଟଗୁଡିକ ପୁନଃ କାର୍ଯ୍ୟକ୍ଷମ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି।ପ୍ରକାଶ ଯୋଗ୍ୟ, ବୌଦ୍ଧ ଭଳି କୃଷିପ୍ରଧାନ ଜିଲ୍ଲାରେ ଦୁଗ୍ଧ ଉତ୍ପାଦନ ପାଇଁ ଆବଶ୍ୟକୀୟ ଭିତିଭୂମି ରହିଛି।ଏହାକୁ ଦୃଷ୍ଟିରେ ରଖି ଗତ ୧୫ବର୍ଷ ତଳେ ଅର୍ଥାତ୍‍ ଡିସେମ୍ବର ୧୯୯୫ରେ ଜିଲ୍ଲାରେ ହରଭଙ୍ଗା ବ୍ଲକ ଚାରିଛକଠାରେ ପ୍ରଥମ କରି ଏକ ଦୁଗ୍ଧଶିତଳୀକରଣ ପ୍ଲାଣ୍ଟ ଆରମ୍ଭ ହୋଇଥିଲା।ଏହାଦ୍ୱାରା ବ୍ଲକର ବିଭିନ୍ନ ଗ୍ରାମରୁ ସୋସାଇଟି ଜରିଆରେ କଞ୍ଚା କ୍ଷୀର କିଣା ଯାଇ ତାକୁ ଶିତଳୀକରଣ କରାଯାଇ ବାହାର ଜିଲ୍ଲାକୁ ପଠାଯାଉଥିଲା।ଫଳରେ କ୍ଷୀର ବିକ୍ରି କରି ଚାଷୀ ଦୁଇ ପଇସା ରୋଜଗାର କରିବା ସହିତ ଗାଈ, ମଇଁଷି ପାଳନ ପାଇଁ ଚାଷୀଙ୍କ ଆଗ୍ରହ ବୃଦ୍ଧି ଘଟୁଥିଲା। ପରବର୍ତ୍ତି ସମୟରେ ପର୍ଯ୍ୟାୟକ୍ରମେ ୨୦୦୫ରେ ମନମୁଣ୍ଡା ପରେ କଂଟାମାଳ ଶେଷରେ ବୌଦ୍ଧରେ ମଧ୍ୟ ଆଉ ୩ଟି ପ୍ଲାଣ୍ଟ ନିର୍ମାଣ କରାଯାଇ ଦୁଗ୍ଧ ଉତ୍ପାଦନରେ ଗୁରୁତ୍ୱ ପ୍ରଦାନ କରାଯାଇଥିଲା।ମାତ୍ର ଚାରିଛକ ପ୍ଲାଣ୍ଟ ଦୀର୍ଘ ଆଠରୁ ଦଶବର୍ଷ ଚାଲିବାପରେ କଞ୍ଚା କ୍ଷୀର ଚାହିଦା ଅନୁସାରେ ନ ମିଳିବାରୁ ଦୀର୍ଘ ୫ବର୍ଷ ହେଲା ପ୍ଲାଂଟରେ ତାଲା ଝୁଲୁଥିଲା।ସେହିପରି କଂଟାମାଳ, ବୌଦ୍ଧ ପ୍ଲାଣ୍ଟ ବନ୍ଦ ହୋଇପଡିଥିବାବେଳେ ଜିଲ୍ଲାର ଏକମାତ୍ର ମନମୁଣ୍ଡା ପ୍ଲାଣ୍ଟ କେବଳ କାର୍ଯ୍ୟକାରୀ ହେଉଥିଲା।ସେ ଯାହା ହେଉନା କାହିଁକି ବିଳମ୍ବରେ ହେଉ ପଛେ ଜିଲ୍ଲାପାଳ ଏହା ଉପରେ ଗୁରତ୍ୱ ଆରୋପ କରିବା ସହିତ ପୁନଃ ସମସ୍ତ ପ୍ଲାଣ୍ଟ କାର୍ଯ୍ୟକ୍ଷମ ପାଇଁ ୨୯ଟି ଦୁଗ୍ଧ ସମବାୟ ସମିତି ଗଠନ କରାଯିବାକୁ ଖସଡା ପ୍ରସ୍ତୁତ ହୋଇଛି।ହରଭଙ୍ଗା ବ୍ଲକ ପାଇଁ ୧୨ଟି ଦୁଗ୍ଧ ସମବାୟ ସମିତି ଗଠନ କରାଯିବାକୁ ସ୍ଥିରିକୃତ ହୋଇଛି ।ଫଳରେ ବ୍ଲକରେ ୫ଶହ ଦୁଗ୍ଧଚାଷୀ ଏଥିରୁ ଉପକୃତ ହେବେ ବୋଲି ସୂଚନା ମିଳିଛି।

Comments are closed.