ହରଭଙ୍ଗା ବ୍ଲକ ପଂଚାୟତ ସମିତି ବୈଠକ; ବନ୍ୟା କ୍ଷୟକ୍ଷତି ଆକଳନ, କ୍ରସର ବନ୍ଦ ଓ ବିଦ୍ୟାଳୟ ବନ୍ଦକୁ ନେଇ ଉଦ୍‍ବେଗ

ହରଭଙ୍ଗା : ହରଭଙ୍ଗା ବ୍ଲକ ସଭାଗୃହ ପ୍ରାଙ୍ଗଣରେ ଶୁକ୍ରବାର ବ୍ଲକ ଅଧ୍ୟକ୍ଷ ବିଶ୍ୱଜିତ ମିଶ୍ରଙ୍କ ଅଧ୍ୟକ୍ଷତାରେ ପଂଚଦଶତମ ପଂଚାୟତ ସମିତି ସାଧାରଣ ବୈଠକ ଅନୁଷ୍ଠିତ ହୋଇଥିଲା। ପ୍ରଥମେ ବ୍ଲକ ଚେୟାରମ୍ୟାନ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ। ପରେ ପରେ ବୈଠକରେ ପୂର୍ବ ବୈଠକର ବୀବରଣି ପଠନ ଓ ଅନୁମୋଦନ ବିଷୟରେ ଆଲୋଚନା କରାଯାଇଥିଲା। ବ୍ଲକରେ ବନ୍ୟାଜନିତ କ୍ଷୟକ୍ଷତି ଆକଳନକୁ ନେଇ ଜନପ୍ରତିନିଧିମାନେ ଅସନ୍ତୁଷ୍ଟ ପ୍ରକାଶ କରିଥିଲେ। ପୁନଃ ସଠିକ୍ ଆକଳନ କରାଯିବା ସହିତ ଜନପ୍ରତିନିଧିଙ୍କୁ ଏଥିରେ ସାମିଲ କରିବାକୁ ନିଷ୍ପତ୍ତି ନିଆଯାଇଥିଲା। ଛତ୍ରଙ୍ଗ ପଂଚାୟତରେ ଚାଲିଥିବା ବେଆଇନ ୫ଟି କ୍ରସର ବନ୍ଦ ପାଇଁ ସମିତି ସଭ୍ୟା କମଳିନୀ ବଘାର ଦରଖାସ୍ତ କରିବା ସହିତ ବନ୍ଦପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। କମ ସଂଖ୍ୟକ ପିଲାରେ ଚାଲିଥିବା ୩୫ଟି ପ୍ରାଥମିକ ସ୍କୁଲ ବନ୍ଦ ପ୍ରସ୍ତାବକୁ ସମିତିରେ ବିରୋଧ କରାଯିବା ସହିତ ମାରଡା, ବାରିଙ୍ଗ ସ୍କୁଲ ଚାଲୁ ରଖିବାକୁ ପ୍ରସ୍ତାବ ଗ୍ରହଣ କରାଯାଇଥିଲା। ଖାଦ୍ୟ ଯୋଗାଣ ସାଧାରଣ ବଣ୍ଟନ ବିଭାଗରେ ତଳିଆ କର୍ମଚାରୀଙ୍କୁ ହାତ କରି ଅଯୋଗ୍ୟ ହିତାଧିକାରୀଙ୍କୁ ବେନିୟମ କାର୍ଡ ପ୍ରଦାନ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଦାବୀ ହୋଇଥିଲା।ପଂଚାୟତଗୁଡିକରେ କାର୍ଯ୍ୟକାରୀ ହେଉଥିବା ଗ୍ରାମ୍ୟ ପାଇପ୍‍ ଜଳ ଯୋଗାଣ ବିଦ୍ୟୁତ୍‍ ବିଲ ପୈଠ ନହେବାରୁ ପଂଚାୟତରେ ଜଳ ଯୋଗାଣ ବନ୍ଦ ହୋଇପଡିଥିବା ଉଦବେଗ ଦେଖାଦେଇଥିଲା। ତୁରନ୍ତ ବିଦ୍ୟୁତ୍‍ ବିଲ ପୈଠ କରିବାକୁ ପଂଚାୟତ କତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା। ମୃତିକା ସଂରକ୍ଷଣ ବିଭାଗ ଦ୍ୱାରା ବର୍ଷା ଦିନେ ମନରେଗା କାର୍ଯ୍ୟ ମେସିନ ସାହାଯ୍ୟରେ କରାଯିବାକୁ ନେଇ ଜନପ୍ରତିନିଧି ଆପତ୍ତି ଉଠାଇଥିଲେ। ଖାଲିପଡିଥିବା ଯୋଗ୍ୟ ହିତାଧିକାରୀଙ୍କୁ ଭତା ପ୍ରଦାନ, ଗ୍ରାମୀଣ ଆବାସ ଯୋଜନାରେ ମନରେଗା ପଇସାରେ ବିଳମ୍ବ , ନୂତନ ଅଙ୍ଗନୱାଡ଼ି ଘର ନିର୍ମାଣ ଉପରେ ଗୁରତ୍ୱାରୋପ କରାଯାଇଥିଲା। ଆଜିର ବୈଠକରେ ଚେୟାରମ୍ୟାନଙ୍କ ସହିତ ହରଭଙ୍ଗା ବି.ଡି.ଓ ନୀଳକ୍‍ଣ୍ଠ ବେହେରା, ବ୍ଲକ ଉପାଧ୍ୟକ୍ଷ ରଶ୍ମିତା ମହାକୁଡ, ବୌଦ୍ଧଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଅକ୍ରୁର ସେଠୀ, ୯ନଂ ଜିଲ୍ଲାପରିଷଦ ସଭ୍ୟ ଅବକାଶ ସାହୁଙ୍କ ସମେତ ସମସ୍ତ ପଂଚାୟତ ସଂରପଚ , ସମିତ ସଭ୍ୟ, ବ୍ଲକସ୍ତରୀୟ କର୍ମଚାରୀ ଉପସ୍ଥିତ ଥିଲେ।

Comments are closed.