ନାଳରେ ଗାଧୋଇବା ହେଲା କାଳ; ପଥର ସନ୍ଧିରେ ଫସିଲା ଶିଶୁର ଗୋଡ

ଅଗ୍ନିଶମ ବିଭାଗର ୪ଘଂଟା ଅପରେସନ ପରେ ଶିଶୁ ସୁରକ୍ଷିତ ଉଦ୍ଧାର

ହରଭଙ୍ଗା : ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅର୍ନ୍ତଗତ ତିଲେଶ୍ୱର ପଂଚାୟତର ବୁରୁବୁଡା ଗ୍ରାମର ସାରଶ୍ୱତ ନାଏକଙ୍କ ୧୦ ବର୍ଷର ପୁଅ ନୀଳମଣି ନାଏକ ବୁଧୁବାର ସକାଳେ ସାଙ୍ଗସାଥିଙ୍କ ସହ ନିକଟସ୍ଥ ଲକ୍ଷ୍ମୀନାଳକୁ ଗାଧୋଇବାକୁ ଯାଇଥିଲା। ନାଳର ଗୋଳିଆ ପାଣିରେ ଗାଧୋଇବା ସମୟରେ ଶିଶୁର ଗୋଡଟି ଅସାବଧାନତାବଶତଃ ଖସିଯିବାରୁ ଏକ ପଥର ସନ୍ଦିରେ ଫସିଯାଇଥିଲା। ଫଳରେ ପିଲାଟି ସେଠୁ ବାହାରି ନପାରି ଚିତ୍କାର କରିଥିଲା।ପିଲାର ପାଟି ଶୁଣି ଆଖପାଖରେ ଗାଧୋଉଥିବା ଲୋକେ ଘଟଣା ସ୍ଥଳରେ ପଂହଚି ତାକୁ ଉଦ୍ଧାର କରିବାକୁ ଆପ୍ରାଣ ଚେଷ୍ଟା କରି ଶେଷରେ ବିଫଳ ହୋଇଥିଲେ। ପରେ ଖବର ପାଇ ହରଭଙ୍ଗା ଅଗ୍ନିଶମ ଟିମ୍ ଶିଶୁକୁ ଉଦ୍ଧାର ପାଇଁ ଘଟଣାସ୍ଥଳରେ ପଂହଚିଥିଲେ। ପରେ ହରଭଙ୍ଗା ତହସିଲଦାର ହରିଓମ ଭୋଇ, ହରଭଙ୍ଗା ବି.ଡି.ଓ ନୀଳକ୍‍ଣ୍ଠ ବେହେରା ପ୍ରମୁଖ ଘଟଣାସ୍ଥଳରେ ପଂହଚିଥିଲେ। ଅଗ୍ନିଶମ ବିଭାଗର ୪ଘଂଟା ପରିଶ୍ରମ ସହିତ ଜେ.ସି.ବି ମେସିନ ସାହାଯ୍ୟରେ ନାଳ ପାଣିକୁ ଡାଇଭର୍ଟ କଲା ପରେ ଶିଶୁକୁ ପଥର ସନ୍ଧିରୁ ସୁରକ୍ଷିତ ଉଦ୍ଧାର କରାଯାଇଥିଲା। ତାକୁ ସଙ୍ଗେ ସଙ୍ଗେ ପୁରୁଣାକଟକ ମେଡିକାଲକୁ ଚିକିତ୍ସା ପାଇଁ ନିଆଯାଇଥିଲା। ଶିଶୁର ସ୍ୱାସ୍ଥ୍ୟବସ୍ଥା ଠିକଥିବା ଜଣାପଡିଛି। ଶିଶୁଟି ପଂଚମ ଶ୍ରେଣୀର ପାଠପଢୁଥିବାବେଳେ ତାର ଅସୀମ ଧୈଯ୍ୟ ଏବଂ ସାହସକୁ ତହସିଲଦାର ଶ୍ରୀ ଭୋଇ ପ୍ରଂଶସା କରିବା ସହିତ ଅଗ୍ନିଶମ ବିଭାଗର ସୁରକ୍ଷିତ ଉଦ୍ଧାର କାର୍ଯ୍ୟକୁ ମଧ୍ୟ ପ୍ରଂଶସା କରିଛନ୍ତି।

Comments are closed.