ହରଭଙ୍ଗାରେ ସାଉଥ-କୋ ବିଦ୍ୟୁତ୍‍ ସେବା ବିପର୍ଯ୍ୟସ୍ତ : ୪ମାସହେଲା ଆସୁନି ବିଦ୍ୟୁତ୍‍ ବିଲ୍‍, ଉପଭୋକ୍ତା ମହଲରେ ଅସନ୍ତୋଷ

ହରଭଙ୍ଗା : ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକର ଧଳପୁର ଏବଂ ରାମଗଡ ଭଳି ଦୁଇ ପଞ୍ଚାୟତରେ ସାଉଥ-କୋ ବିଦ୍ୟୁତ୍‍ ସେବା ବିପର୍ଯ୍ୟସ୍ତ ହୋଇପଡିଛି। ଦୁଇ ପଞ୍ଚାୟତର ୧୮ଟି ଗାଁର ଉପଭୋକ୍ତାଙ୍କୁ ଦୀର୍ଘ ୪ମାସ ହେଲା ବିଦ୍ୟୁତ୍‍ ବିଲ ମିଳୁନଥିବାରୁ ଗରିବ ଉପଭୋକ୍ତାଙ୍କ ମହଲରେ ସଂପ୍ରତି ଅସନ୍ତୋଷ ବୃଦ୍ଧି ପାଇଛି। ସୂଚନା ଅନୁସାରେ ପୁରୁଣାକଟକ ସାଉଥ-କୋ ବିଦ୍ୟୁତ୍‍ ବିଭାଗ ଅଧିନରେ ରହିଛି ଧଳପୁର ପଞ୍ଚାୟତର ସାକୁଶିଙ୍ଗା,ଧଳପୁର,ଖରଶଙ୍କୁଲେଇ,ଖଣ୍ଡହତା,କଙ୍କଲା,ସମ୍ବରକଟା,ଭଳି ୧୫ ଟି ଗ୍ରାମ। ସେହିପରି ରାମଗଡ ପଞ୍ଚାୟତ ଅଧିନରେ ରହିଥିବା ଉଆଁଳ,ବୈକୁଣ୍ଠପୁର ଭଳି ୩ଟି ଗାଁକୁ ମିଶାଇ ମୋଟ ୧୮ଟି ଗାଁର ବିଦ୍ୟୁତ୍‍ ଉପଭୋକ୍ତାଙ୍କ ମିଟର ରିଡିଙ୍ଗ ନଆଯାଇପାରୁନାହିଁ। ଫଳରେ ଦୀର୍ଘ ୪ ମାସ ହେଲା ଉପଭୋକ୍ତାଙ୍କୁ ବିଲ ମିଳୁନାହିଁ। ଯେଉଁଥି ପାଇଁ  ୧୮ଟି ଗ୍ରାମର ପାଖାପାଖି ୧୯ଶହ ଉପଭୋକ୍ତା ପ୍ରତିମାସରେ ବିଦ୍ୟୁତ୍‍ ବିଲ ପୈଠ କରିବାରୁ ବଞ୍ଚିତ ହେଉଛନ୍ତି।

ମିଟର ରିଡିର୍‍ କର୍ମଚାରୀଙ୍କୁ ଫୋନ କଲେ କମ୍ପାନୀ ମୋବାଇଲ ଫୋନ ଖରାଫ ହୋଇଥିବାରୁ ରିଡିଙ୍ଗ ନେଇହେଉନାହିଁ ବୋଲି କହୁଛନ୍ତି। ଯାହା ଫଳରେ ଗରିବ ଉପଭୋକ୍ତାମାନେ ଏକକାଳୀନ ୪ ମାସର ବିଦ୍ୟୁତ୍‍ ବିଲ ଦେବାରେ ଅସର୍ମଥ ପ୍ରକାଶ କରିଥିବା ଉପଭୋକ୍ତା ମହାଦେବ ପ୍ରଧାନ,ପଙ୍କଜ ବେହେରା,ପ୍ରବୀଣ ବାରିକ,ସତ୍ୟ କହଁର,ପବିତ୍ର ବେହେରା ପ୍ରମୁଖ ଅଭିଯୋଗ କରିଛନ୍ତି। ଅନ୍ୟପଟେ ମିଟର ରିଡର କର୍ମଚାରୀ ଦୀର୍ଘ ୪ ମାସ କାର୍ଯ୍ୟରୁ ଅନ୍ତର ହୋଇ ଜୀବିକା ହରାଇବା ଭଳି ପରିସ୍ଥିତି ସୃଷ୍ଟି ହୋଇଛି। ଏ ଦିଗରେ ସାଉଥ-କୋ ବିଦ୍ୟୁତ୍‍ ବିଭା୍‍ଗ ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ଦାବୀ ହେଉଛି। ଏ ସଂର୍ପକରେ ପୁରୁଣାକଟକ ସେକ୍ସନ ଦାୟିତ୍ୱରେଥିବା ସାଉଥ-କୋ ଯନ୍ତ୍ରୀ ରଂଜନ ବାରିକଙ୍କୁ ପଚାରିବାରୁ ସେ କହିଲେ ମିଟର ରିଡିଙ୍ଗ ଦାୟିତ୍ୱ ସାଇ କଂପ୍ୟୁଟର ନାମକ ଏଜେନ୍ସିକୁ ପ୍ରଦାନ କରାଯାଇଛି। ଉକ୍ତ ପଞ୍ଚାୟତ ଦାୟିତ୍ୱରେ ଥିବା ମିଟର ରିଡରର ମେସିନ ,ମୋବାଇଲ ଖରାପ ଯୋଗୁଁ ରିଡିଙ୍ଗ ନିଆଯାଇପାରୁନାହିଁ। ଯାହାଫଳରେ ବିଲ ଦେବାରେ ବ୍ୟତିକ୍ରମ ଦେଖାଦେଇଛି। ଦିନେ ଦୁଇଦିନ ମଧ୍ୟରେ ସମସ୍ୟା ସମାଧାନ ହୋଇଯିବ ବୋଲି କହିଛନ୍ତି।

 

Comments are closed.