ହରଭଙ୍ଗା ତହସିଲର ୧୦ରୁ ଅଧିକ ଗାଁ ପାଣିଘେରରେ

୪୧ ନଦୀକୂଳିଆ ଗାଁକୁ ସତର୍କ ସୂଚନା, ଶହ ଶହ ହେକ୍ଟର ଚାଷ ଜମି ଜଳମଗ୍ନ, ଜଗନ୍ନାଥ ସଡକରେ ଯୋଗା ଯୋଗ ବିଛିନ୍ନ

ହରଭଙ୍ଗା : ଉପରମୁଣ୍ଡରେ ଲଗାଣ ବର୍ଷା ଯୋଗୁଁ ମହାନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ହୀରାକୁଦ ଜଳଭଣ୍ଡାରର ୩୪ଟି ଗେଟରେ ଜଳ ନିଷ୍କାସନ ସାଙ୍ଗକୁ ମହାନଦୀରେ ଦୁଇଦିନ ହେଲା ବନ୍ୟାଜଳ ବୃଦ୍ଧି ପାଇବାରେ ଲାଗିଛି। ଫଳରେ ବୌଦ୍ଧ ଜିଲ୍ଲାରେ ବନ୍ୟା ପରିସ୍ଥିତି ଦେଖାଦେଇଛି। ସାମ୍ଭାବ୍ୟ ବନ୍ୟାକୁ ଦୃଷ୍ଟିରେ ରଖି ହରଭଙ୍ଗା ତହସିଲର ୪୧ଟି ବନ୍ୟା ପ୍ଲାବିତ ଅଞ୍ଚଳ ଲୋକଙ୍କୁ ସତର୍କ କରାଯାଇଛି। ବଡଧରଣର ବନ୍ୟାହେଲେ ହରଭଙ୍ଗା ବ୍ଲକର ୦୯ଟି ପଂଚାୟତର ୬୫ଟି ନଦୀକୂଳିଆ ଗ୍ରାମ ପ୍ରଭାବିତ ହେବା ପ୍ରଶାସନ ପକ୍ଷରୁ ଆକଳନ କରାଯାଇଛି। ରବିବାର ସୁଦ୍ଧା ହରଭଙ୍ଗା-ଧଳପୁର-ରାମଗଡ-ହାଟ ଗାଁ ଭଳି ଜଗନ୍ନାଥ ସଡକର ବିଭିନ୍ନ ସ୍ଥାନରେ ୫ଫୁଟ ଉଚ୍ଚରେ ବନ୍ୟାପାଣି ଯୋଗୁଁ ଏହି ରାସ୍ତାରେ ଯୋଗା ଯୋଗ ବିଛିନ୍ନ ରହିଛି। ସେହିପରି ଉଦଣ୍ଡୀ ନାଳରେ ୧୦ଫୁଟ୍ ଉଚ୍ଚରେ ବନ୍ୟାପାଣି ଯୋଗୁଁ କୁଶଙ୍ଗ ପଂଚାୟତର ଆଦିବାସୀ ବହୁଳ ମାରଡା ଗ୍ରାମର ୩୦ଟି ପରିବାର ଲୋକେ ୫ଦିନ ହେଲା ପାଣିଘେରରେ ଭୋକଉପାସରେ ରହିଥିବା ଜଣାପଡିଛି।ହରଭଙ୍ଗା ତହସିଲହର ୫ହଜାର ଧାନଚାଷ ଜମି ବନ୍ୟାପାଣିରେ ନଷ୍ଟ ହେବା ଆଶଙ୍କା କରାଯାଉଛି।

ବର୍ତ୍ତମାନ ୫ଶହ ହେକ୍ଟର ଚାଷଜମି ଜଳମଗ୍ନ ଥିବା ସୂଚନା ମିଳିଛି । ସେହିପରି ମାରଡା,ଖଣ୍ଡିଧଳପୁର, ପାଣିଘରା, କରଡି, କୋଡାଶିଙ୍ଗା, ଅତଲସରା, ତିରଡ, କୃଷ୍ଣମୋହନପୁର, ଭଳି ଅନେକ ଗାଁ ପାଣି ଘେରରେ ଥିବା ଜଣାପଡିଛି। ସାମ୍ଭାବ୍ୟ ବନ୍ୟାକୁ ଦୃଷ୍ଟିରେ ରଖି ହରଭଙ୍ଗା ଅତିରିକ୍ତ ତହସିଲଦାର ହରିଓମ ଭୋଇ ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିଛନ୍ତି। ଏହା ସହିତ ବନ୍ୟା ଆଶଙ୍କା ଥିବା ହରଭଙ୍ଗା, ଶଙ୍କୁଲେଇ, କୁଶଙ୍ଗ, ଧଳପୁର, ରାମଗଡ, ବୀରନରସିଂହପୁର, ରାଧାନଗର, ସାମ୍ପୋଚ୍ ପଂଚାୟତର ସମସ୍ତ ସଂରପଚ, ପିଇଓ, ଜିଆରଏସ ଏବଂ ରାଜସ୍ୱ ନୀରିକ୍ଷକମାନଙ୍କୁ ପଂଚାୟତ ମୁଖ୍ୟାଳୟରେ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ଆବଶ୍ୟକ ସ୍ଥଳେ ଓଡ୍ରାଫ ଟିମ ଦ୍ୱାରା ତଳି ଅଞ୍ଚଳ ଲୋକଙ୍କୁ ଉଚ୍ଚସ୍ଥାନକୁ ସ୍ଥାନାନ୍ତରିତ କରିବା ସହିତ ରନ୍ଧାଖାଦ୍ୟ ପାଇଁ ପ୍ରଶାସନ ପକ୍ଷରୁ ଆଗୁଆ ପଦକ୍ଷେପ ଗ୍ରହଣ କରାଯାଇଥିବା ଅତରିକ୍ତ ତହସିଲଦାର ସୂଚନା ଦେଇଛନ୍ତି।

Comments are closed.