ୟୁପି ଗଣ ବଳାତ୍କାର ଓ ଆତ୍ମଦାହ: ସରକାର ଓ ପୁଲିସ ଡିଜିଙ୍କୁ ମାନବାଧିକାର କମିଶନଙ୍କ ନୋଟିସ

ନୂଆଦିଲ୍ଲୀ: ଚାକରାଣୀ ସହ ବଳାତ୍କାର ଓ ପରେ ପୀଡିତା ନିଜଦେହରେ ନିଆଁ ଲଗେଇବା ଘଟଣାରେ ଜାତୀୟ ମାନବାଧିକାର କମିଶନ ଉତ୍ତର ପ୍ରଦେଶ ସରକାର ଓ ସେଠାକାର ପୁଲିସ ମହାନିର୍ଦ୍ଦେଶକଙ୍କୁ ସୋମବାର ନୋଟିସ ଜାରି କରିଛନ୍ତି। କମିଶନ କହିଛନ୍ତି ଯେ ଯଦି ଏହି ଖବର ସତ୍ୟ ହୋଇଥାଏ ତେବେ ମହିଳାଙ୍କ ମାନବାଧିକାରର ଘୋର ଉଲ୍ଲଙ୍ଘନ। ଗଣମାଧ୍ୟମରେ ପ୍ରସାରିତ ଏହି ଖବରକୁ କମିଶନ ନିଜ ଆଡୁ ଗ୍ରହଣ କରି ନୋଟିସ ଜାରି କରିଛନ୍ତି।

ସୂଚନା ଅନୁଯାୟୀ ଜଣେ ୨୫ ବର୍ଷୀୟ ବିଧବା ମହିଳାଙ୍କୁ ତାଙ୍କ ପିତା ଓ ସମ୍ପର୍କୀୟ ୧୦ ହଜାର ଟଙ୍କାରେ ବିକ୍ରି କରିଦେଇ ଥିଲେ ଓ ତାଙ୍କୁ କିଣିଥିବା ବ୍ୟକ୍ତି ଓ ତାର ବନ୍ଧୁମାନେ ସେହି ମହିଳାଙ୍କ ସହ ଗଣ ବଳାତ୍କାର କରିଥିଲେ। ପୀଡିତା ପୁଲିସ ପାଖକୁ ଯାଇଥିଲେ ମଧ୍ୟ ପୁଲିସ ତାଙ୍କ କଥା ଶୁଣି ନ ଥିଲା। ପୀଡିତା ଜଣଙ୍କ ମାନସିକ ଦୁଶ୍ଚିନ୍ତାରେ ନିଜ ଦେହରେ ନିଆଁ ଲଗାଇ ଦେବା ପରେ ତାଙ୍କୁ ଗାଜିଆବାଦର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ପ୍ରାୟ ୮୦ ପ୍ରତିଶତ ପୋଡ଼ିଯାଇଥିବା ସମ୍ପୃକ୍ତ ମହିଳା ଏବେ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି।

କମିଶନ ଉତ୍ତର ପ୍ରଦେଶ ମୁଖ୍ୟ ଶାସନ ସଚିବ ଏବଂ ପୁଲିସ ମହାନିର୍ଦ୍ଦେଶକଙ୍କୁ ନୋଟିସ ଜାରି କରି ପୀଡ଼ିତାଙ୍କ ଚିକିତ୍ସା, ସୁରକ୍ଷା ଏବଂ ଥଇଥାନ ପାଇଁ କଣ ପଦକ୍ଷେପ ନିଆଯାଇଛି ସେ ସମ୍ପର୍କରେ ବିସ୍ତୃତ ଭାବେ ଜଣେଇବାକୁ କହିଛନ୍ତି।

Comments are closed.