ବୋଉ ପାଇଁ ସବୁଦିନ…

ଆଜି ମା’ ପାଇଁ ଦିନଟିଏ। ମା’ ପାଇଁ ତ ସବୁଦିନ, ହେଲେ ଆଜିର ଦିନଟିକୁ ବିଶେଷ ଭାବେ ମମତାର ଏହି ଦେବୀମାନଙ୍କ ଲାଗି ସମର୍ପଣ କରାଯାଇଛି। ମା’ର ପଣତକାନି ଯେଉଁଠି ଶିଶୁ ପାଇଁ ଅଭେଦ୍ୟ ଦୁର୍ଗ ପରି ସୁରକ୍ଷା ଦେଇଆସିଛି, ଏବେ ଅଦୃଶ୍ୟ ଶତ୍ରୁ ମହାମାରୀ କରୋନାର କରାଳ ଛାୟାରେ ବା ନିଜ କର୍ତ୍ତବ୍ୟ ସେ ଭୁଲନ୍ତା କେମିତି? ମାତୃହୃଦୟର ମଣିଷଟି ନିଜ-ପର ପାର୍ଥକ୍ୟ ଦେଖିପାରେ ନାହିଁ। ନିଜ ସଂସାର ହେଉ କି ସମାଜର ଆହ୍ୱାନ- ସବୁଠି ଅଗ୍ରଣୀ ହୋଇ ନିଜ ମହନୀୟତା ପ୍ରତିପାଦନ କରେ। ମାତୃ ଦିବସର ପବିତ୍ର ଅବସରରେ କରୋନା ଯୋଦ୍ଧା ସାଜିଥିବା ମା’ମାନଙ୍କ ମଧ୍ୟରୁ କେତେଜଣଙ୍କ ସମ୍ପର୍କରେ…

ଓଡ଼ିଶାର ବୋଉ – ବିଜୟଲକ୍ଷ୍ମୀ ପ୍ରହରାଜ

ହଁ, ସେ ଏବେ ପାଲଟି ଯାଇଛନ୍ତି ସାରା ରାଜ୍ୟର ‘ବୋଉ’। କରୋନା ମାଉସୀ, ଜେଜେମା ଆଦି ତାଙ୍କର ନୂଆ ପରିଚୟ ପାଲଟିଛି। ସେ ହେଉଛନ୍ତି ବିଜୟଲକ୍ଷ୍ମୀ ପ୍ରହରାଜ। ଜଣେ ଶିକ୍ଷୟିତ୍ରୀ ଭାବେ ଅବସର ନେଇସାରିଥିଲେ ବି ଅଭିନୟ କ୍ଷେତ୍ରରେ ପ୍ରାୟ ସକ୍ରିୟ ରହିଛନ୍ତି। ଏବେ ସାଢେ ଚାରିକୋଟି ଓଡ଼ିଆଙ୍କ ପାଇଁ ‘ବୋଉ’ ବୋଲି ସମ୍ବୋଧିତ ହେବାରେ ସେ ଖୁବ୍‍ ଖୁସି ଏବଂ ଗୌରବ ଅନୁଭବ କରୁଛନ୍ତି ବୋଲି କହନ୍ତି ବିଜୟଲକ୍ଷ୍ମୀ। ପରିବାର ବାଦ୍‍ ସେ ମଧ୍ୟ ୬୦-୭୦ଜଣ ପିଲାଙ୍କୁ ନିଜ ତତ୍ତ୍ୱାବଧାନରେ ଖୁଆଇପିଆଇ, ପାଠ ପଢାଇ ମଣିଷ କରିଛନ୍ତି। କେବଳ ପରଦାରେ ନୁହେଁ, ନିଜ ବାସ୍ତବ ଜୀବନରେ କରୋନା କଟକଣା ଅମାନ୍ୟ କରୁଥିବା ପିଲାଙ୍କୁ ସଚେତନ କରାଇଥାନ୍ତି ସେ। ଘର ପାଖରେ ଥିବା ଦୋକାନୀମାନଙ୍କୁ ସାମାଜିକ ଦୂରତ୍ୱ ରକ୍ଷା କରି ଗ୍ରାହକଙ୍କୁ ଛିଡା କରିବାର ପରାମର୍ଶ ଦେଇଥାନ୍ତି। ଦୁର୍ଗା, ବୋହୂ, ରାନୀ ଆଦି ଧାରାବାହିକ ସହିତ କ୍ରାନ୍ତିଧାରା, କୃଷ୍ଣସୁଦାମା, ଭଉଁରୀ ଆଦି ଚଳଚ୍ଚିତ୍ରରେ ତାଙ୍କର ଅଭିନୟ ଦର୍ଶକଙ୍କୁ ପ୍ରଭାବିତ କରିଛି। ଲେଖାଲେଖି କରିବାରେ ବିଜୟଲକ୍ଷ୍ମୀଙ୍କର ରୁଚି ରହିଛି। ଅନୁବାଦ କରିବା ସହ ପିଲାଙ୍କ ପାଇଁ ଆସ ଆମେ କୋଣାର୍କ ଗଢିବା ଏବଂ ଭଗବାନ ସତ୍ୟସାଇଙ୍କ ଆରାଧନାର ଅନୁଭୂତିକୁ ନେଇ ସେ ଏକାଧିକ ବହି ମଧ୍ୟ ଲେଖିଛନ୍ତି। କରୋନା ସଂକ୍ରମଣରୁ ସମଗ୍ର ବିଶ୍ୱକୁ ଯଥାଶୀଘ୍ର ମୁକ୍ତି ମିଳୁ ବୋଲି ପ୍ରାର୍ଥନା କରନ୍ତି ସେ।

ଏସ୍‍.ଆଇ ମମତା ମିଶ୍ର

ମୟୂରଭଞ୍ଜ ଜିଲା ବେତନଟୀ ପୁଲିସ୍‍ ଥାନାରେ ନିୟୋଜିତ ଏସ୍‍.ଆଇ ମମତା ମିଶ୍ର। ମାତୃତ୍ୱ ଲାଭର ଶେଷ ପର୍ଯ୍ୟାୟରେ ଥାଇ ବି କରୋନା ଯୁଦ୍ଧରୁ ନିଜକୁ ଦୂରେଇ ରଖିପାରିଲେନି ସେ। କରୋନା ସଂକ୍ରମଣରୁ ସୁରକ୍ଷା ଲାଗି ସାରା ଦେଶରେ ତାଲାବନ୍ଦ କରି ଲୋକଙ୍କୁ ଘରେ ରହିବାକୁ କୁହାଯାଇଥିବାରୁ ଏହି ବ୍ୟବସ୍ଥା କିପରି କଡାକଡି ଭାବେ ପାଳନ ହେବ ସେଥିପାଇଁ କର୍ମକ୍ଷେତ୍ରକୁ ବାହାରି ଆସିଲେ ସେ। କଟକ ଜିଲାର ଝିଅ ମମତା ଆଠମାସର ଗର୍ଭବତୀ ଥିଲେ ମଧ୍ୟ ନିଜର କିମ୍ବା ନିଜ ସନ୍ତାନର ସୁରକ୍ଷାକୁ ଅଗ୍ରାଧିକାର ଦେଇନଥିଲେ। ବରଂ ସାଧାରଣ ଲୋକଙ୍କୁ ସଚେତନ କରି ତାଲାବନ୍ଦରେ ରଖାଇବା ଲାଗି ଡ୍ୟୁଟିକୁ ଆପଣାଇ ନେଇଥିଲେ। ନିହାତି ଜରୁରୀ ହେଲେ ସେ ଛୁଟି ନେବା କଥା ଭାବିବେ ବୋଲି କହିଥିଲେ ମମତା। ଡିଜିପି ଅଭୟ ମମତାଙ୍କ ସମ୍ପର୍କରେ ଜାଣିବା ପରେ ତାଙ୍କୁ ଖୁବ୍‍ ପ୍ରଶଂସା କରିଥିଲେ ଏବଂ ନିଜ ଟ୍ୱିଟରରେ ମଧ୍ୟ ଏହା ଲେଖିଛନ୍ତି।

ମା’କୁ ପ୍ରମାଣ…
ମା’ ହେଉଛି ମଣିଷର ଆଦ୍ୟ ଉଚ୍ଚାରଣ। ମା’ର ମମତା ଆଗରେ ଧନ ସମ୍ପତ୍ତି ତୁଚ୍ଛ। ସବୁ ସମୟରେ ସନ୍ତାନର ସୁଖ ଓ ସୁରକ୍ଷା ଚିନ୍ତା କରିଥାଏ ମା’। ନିଜର ସନ୍ତାନ ପାଇଁ ମା’ ତାର ସମ୍ମାନକୁ ମଧ୍ୟ ବାଜିଲଗାଇଦେଇଥାଏ। ଭିକ୍ଷାବୃତ୍ତି କରିବା ପାଇଁ ମଧ୍ୟ ମା’ ପଛଘୁଞ୍ଚା ଦିଏନାହିଁ।

ଏମିତି ଏକ ମା’ ଏଜି ଛକଠାରେ ଏକ ଜରି ପାଲ ତଳେ ରୁହନ୍ତିି। ଯିଏ ନିଜ ଛୁଆଙ୍କ ମଣିଷ କରିବା ପାଇଁ ଜୀବନକୁ ବାଜି ଲଗେଇ ଦେଇଛି। ମୋ ଫଟା କପାଳକୁ ସ୍ୱାମୀ ମତେ ଅଧା ବାଟରେ ଛାଡି ଚାଲିଗଲେ। କୋଳରେ ଦୁଇଟି ଛୋଟ ଛୁଆ। କେମିତି ସେମାନଙ୍କୁ ମଣିଷ କରିବି ବୋଲି ଚିନ୍ତା ମାଡିଆସିଲା। ବାରଦୂଆର ବୁଲି ବୁଲି କାମ କରି ଛୁଆଙ୍କୁ ମଣିଷ କରିବାକୁ ଲାଗିଲି। ଛୁଆ ଦୁଇ ବଡ ହେଲେ ସବୁ ଦୁଃଖ ଦୂର ହୋଇଯିବ ବୋଲି ଭାବିଥିଲି। ଜନ୍ମରୁ ଛୁଆ ଦୁଇ ଜଣ ଭିନ୍ନକ୍ଷମ ବୋଲି ମା’ କେ. ଭାଗ୍ୟ କାନ୍ଦି କାନ୍ଦି କୁହନ୍ତି। ଝିଅ ପାଗିଳୀକୁ ପୁଅ ପାଗଳ। କଥା କହିବା ପାଇଁ ଦୁଇଜଣଙ୍କର ପାଟି ଫିଟୁନାହିଁ। ମା’ ବୋଲି ଡାକିବାକୁ ମଧ୍ୟ ସେମାନେ ଅକ୍ଷମ। ସେମାନେ ଶାରିରୀକ ଓ ମାନସିକ ବିକାରଗ୍ରସ୍ତ ହୋଇପଡ଼ିଛନ୍ତି। ଝିଅକୁ ୨୩ବର୍ଷ ଓ ପୁଅଙ୍କୁ ୨୧ବର୍ଷ ବୋଲି ଜଣାପଡେନାହିଁ। ଯିଏ ଯାହା କହିଲେ ବି ମା’ର ମନ ଜମା ବୁଝୁନଥିଲା। ଯେତେ ଯନ୍ତ୍ରଣା ଓ ବାଧାବିଘ୍ନ ଅସିଲେ ମଧ୍ୟ ଛୁଆଙ୍କୁ ନିଜ ପଣତକାନୀରେ ଘୋଡାଇ ରଖିଛନ୍ତି ଏହି ମା।

ଆଇଏଏସ୍‍ ସୃଜନା

କରୋନା ପରି ମାରାତ୍ମକ ସଂକ୍ରମଣ ସ୍ଥିତିରେ ହାତରେ ୨୨ଦିନର ଶିଶୁକୁ ଧରି କାର୍ଯ୍ୟାଳୟରେ ପହଞ୍ଚି ଯାଇଥିଲେ ଆଇଏଏସ୍‍ ଅଧିକାରୀ ସୃଜନା ଗୁମ୍ମଲା। ସେ ଗ୍ରେଟର ବିଶାଖାପାଟଣା ନଗର ନିଗମରେ କମିଶନର ଭାବେ କାର୍ଯ୍ୟରତ। କରୋନା ଯୋଗୁ ସହରର ପରିମଳ ଏବଂ ଅନ୍ୟାନ୍ୟ ବ୍ୟବସ୍ଥା ପ୍ରତି ଦୃଷ୍ଟି ଦେବା ଖୁବ୍‍ ଜରୁରୀ ହୋଇପଡିଥିଲା। ପୂର୍ବରୁ ମାତୃତ୍ୱ ଅବକାଶ ଭାବେ ୬ମାସର ଛୁଟି ମଞ୍ଜୁର ହୋଇଥିଲେ ବି ସମୟର ଆହ୍ୱାନରେ ନିଜ ଛୁଟି ବାତିଲ୍‍ କରାଇଦେଇଥିଲେ ସୃଜନା। କିଛିଦିନ ପରେ ସେ ଶିଶୁଟିକୁ ଘରେ ଛାଡି ଆସିବାର ଅଭ୍ୟାସ କଲେ। ତେବେ ସ୍ତନ୍ୟପାନ କରାଇବା ଜରୁରୀ ଥିବାରୁ ପ୍ରତି ଚାରିଘଣ୍ଟାରେ ଘରକୁ ଯାଇ ପୁଣି ଅଫିସ୍‍ ଆସୁଛନ୍ତି ସୃଜନା। ତାଙ୍କ ଅନୁପସ୍ଥିତିରେ ସ୍ୱାମୀ ଏବଂ ଶାଶୂ ଶିଶୁର ଯତ୍ନ ନେଉଛନ୍ତି। ୨୦୧୩ ବ୍ୟାଚ୍‍ର ଏହି ଆଇଏଏସ୍‍ ଅଫିସରଙ୍କ କର୍ତ୍ତବ୍ୟପରାୟଣତାକୁ ଖୁବ୍‍ ପ୍ରଶଂସା କରାଯାଉଛି।

ହୋମ୍‍ଗାର୍ଡ ଗୌରୀ ବେହେରା

ପୁରୀ ଜିଲା ପିପିଲି ଥାନାରେ କାର୍ଯ୍ୟରତ ହୋମ୍‍ଗାର୍ଡ ଗୌରୀ ବେହେରା। ଆର୍ଥିକ ଅବସ୍ଥା ସେତେ ସ୍ୱଚ୍ଛଳ ନୁହେଁ। ଦାମ୍ପତ୍ୟ ଜୀବନରେ ସମସ୍ୟା ହେବା ପରେ ଗୌରୀ ନିଜର ଏକମାତ୍ର ଝିଅକୁ ଧରି ବାପଘର ସମ୍ପୂରଠାରେ ରହୁଛନ୍ତି। ତେବେ ବର୍ଷକ ତଳେ ଝିଅଟି ଲିଭର କ୍ୟାନ୍‍ସରରେ ଆକ୍ରାନ୍ତ ଥିବା ଜଣାପଡିଲା। ନିଜ ସାଧ୍ୟମତେ ଝିଅର ଚିକିତ୍ସା ଚଳାଇଥିଲେ ଗୌରୀ। କରୋନା ଯୁଦ୍ଧରେ ବି ଅନ୍ୟ ପୁଲିସ୍‍ କର୍ମଚାରୀମାନଙ୍କ ପରି ସ୍ପେଶାଲ ଡ୍ୟୁଟିରେ ନିଜକୁ ସାମିଲ କରିଥିଲେ ସେ। ଦିନେ ଡ୍ୟୁଟିରେ ଥିବାବେଳେ ଖବର ପାଇଲେ ଯେ ଝିଅ ହଠାତ୍‍ ଗୁରୁତର ହୋଇପଡିଛି। ସାଇକଲ ଚଳାଇ ଡ୍ୟୁଟି ସ୍ଥାନ ପିପିଲି ପଣ୍ଡାବଜାରରୁ ୭-୮କିଲୋମିଟର ଦୂରରେ ଥିବା ଘରକୁ ପହଞ୍ଚି ଗୌରୀ ଦେଖନ୍ତି ତ ତାଙ୍କ ଆଦରର ଗୋଟିଏ ବୋଲି ଧନ ଆଉ ନାହିଁ। ୧୩ବର୍ଷ ବୟସର ଝିଅକୁ ହରାଇ ଗୌରୀ ଭାଙ୍ଗିପଡିଲେ। ହେଲେ ତା’ର ଶେଷକୃତ୍ୟ ସାରି ଦୁଇଦିନ ପରେ ପୁଣି କରୋନା ଯୁଦ୍ଧରେ ସାମିଲ ହୋଇଥିଲେ। ତାଙ୍କର ଏ ଦୁର୍ଦିନରେ ପୁଲିସ୍‍ ବିଭାଗର ଅଧିକାରୀ ଏବଂ ଅନ୍ୟ ବ୍ୟକ୍ତିବିଶେଷଙ୍କଠାରୁ ସହାୟତା ରାଶି ସହ ପ୍ରଶଂସା ବି ମିଳିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଏହି ଯୋଦ୍ଧା ମା’ଙ୍କୁ ସମବେଦନା ଜଣାଇବା ସହ ତାଙ୍କ କର୍ତ୍ତବ୍ୟପରାୟଣତାକୁ ପ୍ରଶଂସା କରି ଟ୍ୱିଟ୍‍ କରିଛନ୍ତି। ଗୌରୀ ନିଜକୁ ଡ୍ୟୁଟିରେ ହଜାଇ ଦେଇଥିବା ବେଳେ ଝିଅକଥା ମନେପଡିଗଲେ ଆପେ ତାଙ୍କ ଆଖିରୁ ଲୁହ ଝରି ଆସୁଛି।

ବିଦ୍ୟୁତ୍‌ କର୍ମଚାରୀ ପ୍ରଗତି
ସାରା ଦେଶରେ କରୋନା ଯୋଦ୍ଧାମାନଙ୍କ ମଧ୍ୟରେ ଡାକ୍ତର ଏବଂ ପୁଲିସ୍‍ କର୍ମଚାରୀଙ୍କୁ ଅଗ୍ରଣୀ ବୋଲି ଧରାଯାଇଥିବା ବେଳେ ବିଦ୍ୟୁତ ବିଭାଗରେ କାର୍ଯ୍ୟ କରୁଥିବା ଜଣେ ମା’ଙ୍କ କାହାଣୀ ମଧ୍ୟ ଚର୍ଚ୍ଚାକୁ ଆସିଛି। ମଧ୍ୟପ୍ରଦେଶର ଭୋପାଳ ଅନ୍ତର୍ଗତ ନୟାପୁରା ସବ୍‍ଷ୍ଟେସନ୍‍ରେ ଟେଷ୍ଟିଙ୍ଗ ଆସିଷ୍ଟାଣ୍ଟ ଭାବେ କାର୍ଯ୍ୟ କରୁଛନ୍ତି ପ୍ରଗତି ତାୟଡେ ଶେଣ୍ଡେ। ନିକଟରେ ମାତୃତ୍ୱ ଲାଭ କରିଥିବା ପ୍ରଗତି କୋଳରେ ଛ’ମାସର କୁନିଝିଅକୁ ଧରି ମାସ୍କ ପିନ୍ଧି ଡ୍ୟୁଟି କରିବାକୁ ଆସିଥିବାର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। କରୋନା ସଂକ୍ରମଣ ସାଙ୍ଗକୁ ଖରାଦିନେ ଲୋକେ ଯେପରି ବିଦ୍ୟୁତ ଅଭାବରେ ଗରମରେ ଛଟପଟ ନହୁଅନ୍ତି, ସେଥିପାଇଁ ପ୍ରଗତି ଖୁବ୍‍ ଯତ୍ନଶୀଳ। ସେ ଚାହିଁଥିଲେ ତାଙ୍କ ମାତୃତ୍ୱ ଅବକାଶ ଆଉ ବଢାଇ ପାରିଥାନ୍ତେ। ହେଲେ କର୍ତ୍ତବ୍ୟବୋଧ ତାଙ୍କୁ ବାଧା ଦେଇଥିଲା। ସକାଳ ଆଠଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଦିନସାରା ମେସିନ୍‍ରେ ଆସୁଥିବା ରିଡିଙ୍ଗ ଏବଂ ସମସ୍ୟାକୁ ତଦାରଖ କରିଥାନ୍ତି ପ୍ରଗତି।

ସନ୍ତାନ ଆଗରେ ସମ୍ମାନ ତୁଚ୍ଛ
ରେଳଷ୍ଟେସନ ହେଉଛି ମନୋରମା ମେକାପଙ୍କର ଠିକଣା। ସ୍ୱାମୀ ଘରୁ ବାହାର କରି ଦେବା ପରେ ବାପ ଘରକୁ ଚାଲି ଯାଇଥିଲେ। ସେଠାରେ ତାଙ୍କର ଗୋଟିଏ ପୁଅ ଜନ୍ମ ହୋଇଥିଲା। ବାପଘରେ ତାଙ୍କୁ ନେଇ ଅସନ୍ତୋଷ ବଢ଼ିବାରୁ ସେ ଘରଛାଡି ରାଜଧାନୀକୁ ଚାଲିଆସିଥିଲେ। ଏଠାରେ କାମ କରି ଛୁଆଙ୍କୁ ଭଲ ମଣିଷ କରିବାର ଲକ୍ଷ୍ୟ ରଖିଛନ୍ତି। କାମ କରିବା ପାଇଁ ବିଭିନ୍ନ ଜାଗାରେ ଘୂରିବୁଲିବା ପରେ ଅସଫଳ ହୋଇଥିଲେ। ଏତେ ଛୋଟ ଛୁଆଙ୍କୁ କାହାରି ପାଖରେ ଛାଡି ଯିବା ସମ୍ଭବ ହୋଇନଥିଲା। ନିଜ ଛୁଆଙ୍କୁ ସମାଜର ମୁଖ୍ୟ ସ୍ରୋତରେ ଆଣିବା ପାଇଁ ରାଜଧାନୀର ବିଭିନ୍ନ ମନ୍ଦିର ବୁଲି ବୁଲି ଭିକ୍ଷା ମାଗନ୍ତି। ଯିଏ ଯାହା ଦେଲା ସେଥିରେ ପୁଅକୁ ଭଲ ପାଠ ପଢ଼ାଇବାକୁ ଲକ୍ଷ୍ୟ ରଖିଛନ୍ତି। ୧୨ ବର୍ଷର ପୁଅକୁ ସ୍କୁଲରେ ଛାଡି ଦେଇ ମନୋରମା ଭିକ୍ଷା ମାଗିବାକୁ ଯାଆନ୍ତି। ପୁଅ ସ୍କୁଲରୁ ଆସିବା ପରେ ସେ ପୁଅଙ୍କୁ ଧରି ମନ୍ଦିର ସାମ୍ନାରେ ସେମିତି ବସିଥାଆନ୍ତି। ଲୋକଙ୍କ ସହାୟତାରେ ଯାହା ମିଳିଲା ନିଜେ ନ ଖାଇ ପୁଅକୁ ଦିଅନ୍ତି। ପୁଅ କେମିତି ପାଠ ପଢ଼ିବ ବୋଲି ସେ ସାଙ୍ଗରେ ବହି ଖାତା ଧରି ବୁଲୁଥାଆନ୍ତି। ଯେଉଁଠି ସମୟ ମିଳିଲେ ପାଠ ପଢ଼ିବା ପାଇଁ ଆକଟ ମଧ୍ୟ କରନ୍ତି। ପୁଅକୁ ଭଲ ମଣିଷ କରିବା ପାଇଁ ମା’ ତାର ସମ୍ମାନକୁ ମଧ୍ୟ ଖାତିର କରିନାହିଁ। ନିଜ ଛୁଆର ଭବିଷ୍ୟତ ପାଖରେ ସବୁ କିଛି ତୁଚ୍ଛ ବୋଲି ସେ କହିଛନ୍ତି।

ମା’ ପାଇଁ ସବୁଦିନ ସମର୍ପିତ ହେବା ଜରୁରୀ
ନିଜ ପିଲାକୁ ବଡ଼ମଣିଷ କରିବାରେ ସହାୟକ ହୋଇଥାଏ। ମା’ର ଅବଦାନ ସଦାସର୍ବଦା ଅତୁଳନୀୟ। ମା’ର ଆସନ ସବୁଠାରୁ ଊର୍ଦ୍ଧ୍ବରେ। ସେ ସ୍ନେହ ପ୍ରେମର କୋମଳ ଗାନ୍ଧାର। ତା’ର ତୁଳନା କାହା ସହିତ ବି କରାଯାଇପାରେନା। ମା’ର ଆର୍ଶିବାଦ ଥିଲେ ପୃଥିବୀର କୌଣସି କୌଣସି ଝଡ଼ ଆମକୁ ଛୁଇଁପାରେନା।

ହେଲେ ଆମ ସମାଜ କିନ୍ତୁ ତା’ର ବଳିଦାନକୁ ଏବେ ବି ସମ୍ପୂର୍ଣ୍ଣ ଭାବେ ବୁଝିପାରିନି। ଏପରିକି କେତେକ ପୁଅ ବିଧବା ମା’କୁ ଗାଁରେ ଛାଡ଼ି ସହରରେ ପିଲା ଛୁଆ ଧରି ବସବାସ କରୁଥିଲେ ମଧ୍ୟ ମା’ର ଖବର କେବେବି ପଚାରି ନଥାଏ। ଆବଶ୍ୟକ ପଡ଼ିଲେ ମା’ କୁ ଜରାଶ୍ରୟରେ ଛାଡ଼ି ଭିଟାମାଟି ଖଣ୍ଡକ ବିକ୍ରି କରି ଟଙ୍କା ନେଇ ଯାଉଥିବା ନଜିର ରହିଛି। ଆଧୁନିକତାର ବଶବର୍ତ୍ତି ହୋଇ ଏବେ ମା’ଙ୍କୁ ଜରାଶ୍ରୟରେ ଛାଡ଼ିବା ପୁଅଙ୍କର ଫେସନ ହୋଇଯାଇଛି। ଆଜି ବିଶ୍ବମାତୃତ୍ବ ଦିବସରେ ଅନେକ ମା’ ଅବହେଳିତ। ଯାଜପୁର ଜିଲା ଦଶରଥପୁର ବ୍ଲକ ଅହିହାସ ସ୍ଥିତ ଲକ୍ଷ୍ମୀନାରାୟଣ ସେବା ପ୍ରତିଷ୍ଠାନ ଜରାଶ୍ରୟରେ ବହୁ ମା’ମାନେ ରହିଛନ୍ତି। ପୁଅଙ୍କ ଅବହେଳା ଯୋଗୁଁ ଏହି ମା’ ମାନେ ଜରାଶ୍ରୟରେ ନିଜ ଜୀବନ ବିତାଉଛନ୍ତି। କମଳା ଦାସ(ଯାଜପୁର), ସରସ୍ୱତୀ ସାହୁ(ବଇଁଶୀପୁର), ବାସନ୍ତୀ ମୁଦୁଲି(ଖୋସାଲପୁର), ବାସନ୍ତୀ ଦାସ(ଜରି), କ୍ଷୀରମଣିି ବେହେରା(କଣ୍ଟିବାଙ୍କ) ସମେତ ବହୁ ମହିଳା ପୁଅ ବହୁର ନିର୍ଯ୍ୟାତନା ସହି ନ ପାରି ଜରାଶ୍ରୟରେ ରହିବାକୁ ବାଧ୍ୟ ହୋଇଛନ୍ତି। ସରକାର ଓ ଉଚ୍ଚ ନ୍ୟାୟାଳୟ ଯେତେ ଆଇନ ପ୍ରଣୟନ କଲେ ମଧ୍ୟ ଏହି ଅମାନିଆ ପୁଅଙ୍କ ଉପରେ କୌଣସି ପ୍ରଭାବ ପଡୁନାହିଁ। କେବଳ ହାଟ ବଜାରରେ ବଡ଼ ବଡ଼ କଥା ମାଧ୍ୟମରେ ମା’ର ଗୁଣକୁ ବଖାଣୁଥିବା ବେଳେ ବାସ୍ତବରେ ତାହା କରାଯାଉନାହିଁ। ଯାହାକି ଆଗାମୀ ପିଢ଼ି ପାଇଁ ଶୁଭଙ୍କର ନୁହେଁ।

Comments are closed.