ବାପା: ସନ୍ତାନ ପାଇଁ ବିଶ୍ଵାସ ଓ ଦମ୍ଭ; ଅନ୍ଧାର ରାତିରେ ଚଲାପଥର ଆଲୋକ

ଭୁବନେଶ୍ୱର: ବାପା…। ଏହି ଛୋଟିଆ ଶବ୍ଦ ଉଚ୍ଚାରଣ କରି ସନ୍ତାନ ବଡ଼ ହୁଏ। ହାତ ଧରି ବାଟ ଚାଲିବା ଶିଖେ। ବାପା ତା’ ସନ୍ତାନ ପାଇଁ ବିଶ୍ୱାସ ଓ ଦମ୍ଭ। ସାକ୍ଷାତ ଈଶ୍ବର।

ବର୍ତ୍ତମାନ ସମୟରେ ସନ୍ତାନଙ୍କ ଡାକରେ ଭିନ୍ନତା ଦେଖାଯାଇଛି ସତ ହେଲେ ବାପା ଚରିତ୍ରରେ କୌଣସି ପରିବର୍ତ୍ତନ ହୋଇନାହିଁ। ବାପାଙ୍କ ଆକଟ ହିଁ ସନ୍ତାନକୁ ଆଗକୁ ବଢ଼ିବାର ପ୍ରେରଣା ଯୋଗାଏ। ବିଶ୍ୱ ପିତୃ ଦିବସ ଅବସରରେ ଆମର ସ୍ୱତନ୍ତ୍ର ଉପସ୍ଥାପନା…।

ଅନ୍ଧାର ରାତିରେ ତମେ ଆଲୁଅ ରାସ୍ତା
‘ଝଡ଼ ବରଷାରେ ତମେ ମୁଣ୍ଡରେ ଛତା, ଅନ୍ଧାର ରାତିରେ ତୁମେ ଆଲୁଅ ରାସ୍ତା….।’ ପିତୃ ଦିବସ ଅବସରରେ ଏମିତି ଏକ ଅଶ୍ରୁସଜଳ ଗୀତ ଭେଟି ଦେଇଛନ୍ତି ଯୁବ ଗୀତିକାର ସୁବ୍ରତ ସ୍ବାଇଁ, କଣ୍ଠଶିଳ୍ପୀ ସବିଶେଷ ଓ ସଙ୍ଗୀତକାର ଜାପାନୀ। ଯାହାର ପ୍ରତିଟି ଧାଡ଼ିରେ ସନ୍ତାନକୁ ବଡ଼ କରିବା ପାଇଁ ବାପା ସହୁଥିବା କଷ୍ଟ ପ୍ରତିଫଳିତ ହୋଇଛି। ଅରମାନ ମ୍ୟୁଜିକ୍‌ ପକ୍ଷରୁ ପିତୃ ଦିବସରେ ଏହା ମୁକ୍ତିଲାଭ କରିବା କାର୍ୟ୍ୟକ୍ରମ ରହିଛି।

ଗୀତଟି ପ୍ରତିଟି ଶ୍ରୋତାଙ୍କୁ ଭାବପ୍ରବଣ କରିବା ସହ ଏକ ଭିନ୍ନ ଦୁନିଆକୁ ନେଇଯିବ ବୋଲି ସୁବ୍ରତ ମତ ଦେଇଛନ୍ତି। ଏହାର ଭିଡିଓ ଭର୍ସନ୍‌ରେ ହାସ୍ୟ ଯୋଡ଼ି ପ୍ରଜ୍ଞା-ଶଙ୍କର ଅଭିନୟ କରିଛନ୍ତି।

ସନ୍ତାନ ପାଇଁ ସଂଘର୍ଷ

ଏଜି ଛକର ଜରି ପାଲ ତଳେ ଜୀବନ ଜିଉଁଛନ୍ତି କେ. ଲକ୍ଷ୍ମଣ। ବୟସ ୬୮ ପାଖାପାଖି। ବାର୍ଦ୍ଧକ୍ୟରେ ଉପନୀତ ହୋଇଥିବାରୁ କାମ କରିବାକୁ ଭଲ ଲାଗୁନାହିଁ। ତଥାପି ତାଙ୍କୁ କାମ କରିବାକୁ ପଡୁଛି। ସାନଭାଇ ସ୍ତ୍ରୀର ମୃତ୍ୟୁ ପରେ ସେ ବି ସବୁଦିନ ପାଇଁ ଉପରକୁ ଚାଲିଗଲା। ସ୍ବାମୀ-ସ୍ତ୍ରୀ ଛାଡ଼ିଗଲେ ୩ ମାସର ଶିଶୁ ସନ୍ତାନ। ତା’ ଦାୟିତ୍ବ ସହ ଆଉ ଦୁଇ ପିଲାଙ୍କୁ ନିଜ ସନ୍ତାନଭାବେ ପାଳୁଛନ୍ତି ଲକ୍ଷ୍ମଣ। ନିଜେ ଖାଦ୍ୟ ପାଇଁ ସଂଘର୍ଷ କରୁଥିଲେ ମଧ୍ୟ ସେମାନଙ୍କୁ କେବେ ଭୋକିଲା ରଖି ନାହାନ୍ତି। ପିଲାଙ୍କୁ ମଣିଷ କରିବା ପାଇଁ ବାଉଁଶରେ ବିଭିନ୍ନ ସାମଗ୍ରୀ ତିଆରି କରି ବିକ୍ରି କରୁଛନ୍ତି। ଏଥିରେ ସ୍ତ୍ରୀ ସହଯୋଗ କରୁଛନ୍ତି।
ଛୋଟ ଛୋଟ ପିଲାମାନେ ବାପା ମା’ଙ୍କୁ ଯେମିତି ନ ଖୋଜିବେ, ନିଜ ଗୋଡ଼ରେ ଛିଡ଼ାହେବେ ସେନେଇ ଚେଷ୍ଟା କରୁଛି ବୋଲି କହିଛନ୍ତି ଲକ୍ଷ୍ମଣ।

ନିଆରା ବାପା ନାଗେଶ୍ୱର
ନିଜର ସନ୍ତାନ ନାହିଁ, ହେଲେ ଶହଶହ ପିଲାଙ୍କ ବାପା ପାଲଟିଛନ୍ତି ନାଗେଶ୍ୱର ମହାନ୍ତି। ସୋନପୁରରୁ ଆସି ସେ ଏଠାରେ ଗୃହ ବିଭାଗରେ ଉଚ୍ଚ ଅଧିକାରୀ ଭାବେ କାର୍ୟ୍ୟ କରୁଥିଲେ। ନିଜର କୌଣସି ସନ୍ତାନ ନଥିବାରୁ ଭଣଜାଭାଣିଜୀଙ୍କ ଦାୟିତ୍ୱ ନେଇଥିଲେ। ସେମାନଙ୍କୁ ପାଠ ପଢ଼ାଇ ମଣିଷ କରାଇଲେ। ପତ୍ନୀଙ୍କ ବିୟୋଗ ପରେ ସେ ସମ୍ପୂର୍ଣ୍ଣ ଏକା ହୋଇଗଲେ। ବନ୍ଧୁବାନ୍ଧବ ଓ ପଡ଼ୋଶୀଙ୍କ ସହିତ କିଛି ବର୍ଷ ବିତାଇଲେ। ମନ ବୁଝିଲାନି। ଶେଷରେ ନିଜ ବାସଗୃହକୁ ସରସ୍ୱତୀ ଶିଶୁ ମନ୍ଦିର କରିଦେଲେ।

ବିଦ୍ୟାଳୟକୁ ଆସୁଥିବା ପିଲାଙ୍କ ସହିତ ସମୟ ବିତିଯାଏ। ଛୋଟ ପିଲାଙ୍କୁ ପାଠ ପଢ଼ାଇବାଠାରୁ ଆରମ୍ଭ କରି କିଛି କାର୍ୟ୍ୟରେ ନିଜକୁ ନିୟୋଜିତ ରଖନ୍ତି। ବିଦ୍ୟାଳୟର ପିଲାମାନେ ତାଙ୍କୁ ବାପା ବୋଲି ସମ୍ବୋଧନ କରନ୍ତି। ଯାହା ତାଙ୍କ ଜୀବନର ଖୁସିକୁ ଦ୍ବିଗୁଣିତ କରିଦେଇଛି। ନିଜର ସନ୍ତାନ ନଥିଲେ କ’ଣ ହେଲା ମୁଁ ଶହଶହ ପିଲାଙ୍କ ବାପା ପାଲଟିଛି। ଏମାନଙ୍କ ପାଖରୁ ଯେଉଁ ଖୁସି ଓ ଆନନ୍ଦ ପାଇଛି ତାହା ନିଜ ପିଲାଙ୍କ ପାଖରୁ ପାଇନଥାଆନ୍ତି ବୋଲି ନାଗେଶ୍ବର କହିଛନ୍ତି। ଅଧିକ ବୟସ ହୋଇଯାଇଥିବାରୁ ସେ ଏବେ ଜରାଶ୍ରମରେ ରହୁଛନ୍ତି।

Comments are closed.