ଜନ୍ମଦିନ ବିଶେଷ : ୩୮ବର୍ଷରେ ପଦାର୍ପଣ କଲେ ଯୁବରାଜ, ଅବସର ବେଳେ କୋହ ସମ୍ଭାଳି ପାରିନଥିଲେ ମାଆ ଶବନମ

ସମାଜ ଲାଇଭ ବ୍ୟୁରୋ (ରାଜେଶ ଚନ୍ଦ୍ର ବେହେରା) : ଭାରତୀୟ କ୍ରିକେଟ ଦଳର ପୂର୍ବତନ କିମ୍ବଦନ୍ତୀ ଅଲରାଉଣ୍ଡର ଯୁବରାଜ ସିଂହ ଗୁରୁବାର ୩୮ବର୍ଷ ବୟସରେ ପଦାର୍ପଣ କରିଛନ୍ତି। ସେ ଭାରତୀୟ କ୍ରିକେଟ ଦଳର ଚାମ୍ପିଅନ ଅଲରାଉଣ୍ଡର ଭାବେ ବେଶ୍‌ ଜଣାଶୁଣା । ଯୁବରାଜଙ୍କୁ ପ୍ରଶଂସକ ସ୍ନେହରେ ‘ଯୁବି’ ବୋଲି ଡାକିଥାନ୍ତି। ତାଙ୍କ ଜନ୍ମଦିନ ଅବସରରେ ସାଥି କ୍ରିକେଟରମାନଙ୍କ ପକ୍ଷରୁ ଶୁଭେଚ୍ଛାର ସୁଅ ଛୁଟିଛି। ବିସିସିଆଇ ମଧ୍ୟ ଯୁବରାଜଙ୍କୁ ଟ୍ବିଟ କରି ଜନ୍ମଦିନର ଶୁଭେଚ୍ଛା ଜଣାଇଛି।

 

ଯୁବରାଜ ୧୯୮୧ ମସିହା ଡିସେମ୍ବର ୧୨ରେ ଚଣ୍ଡିଗଡ଼ ଠାରେ ଜନ୍ମଗ୍ରହଣ କରିଥିଲେ । କ୍ରିକେଟର ସମସ୍ତ ପ୍ରାରୂପ (ଫର୍ମାଟ)ରେ ସେ ବେଶ୍‌ ଭଲ ଖେଳ ପ୍ରଦର୍ଶନ କରିଛନ୍ତି । ୨୦୦୭ ଟ୍ୱେଣ୍ଟି-୨୦ ବିଶ୍ୱ କପ୍‌ ଓ ୨୦୧୧ କ୍ରିକେଟ ବିଶ୍ୱ କପ୍‌ରେ ସେ ବେଶ୍‌ ଭଲ ଖେଳ ପ୍ରଦର୍ଶନ କରିଥିଲେ ।


୨୦୦୭ ଟ୍ୱେଣ୍ଟି-୨୦ ବିଶ୍ୱକପ୍‌ରେ ସେ ଇଲଂଣ୍ଡ ବିପକ୍ଷରେ ଷ୍ଟୁଆର୍ଡ ବୋର୍ଡଙ୍କୁ ୬ଟି ବଲ୍‌ରେ ୬ଟି ଛକା ମାରିଥିଲେ । ୧୨ଟି ବଲ୍‌ରେ ୫୦ ରନ୍‌କରିଥିଲେ ସେହି ରେକର୍ଡକୁ ଆଜିଯାଏଁ କେହି ଭାଙ୍ଗି ପାରି ନାହାନ୍ତି । ସେହିପରି ଟିମ୍‌ ଇଣ୍ଡିଆର ୨୦୧୧ ବିଶ୍ୱକପ୍‌ ବିଜୟରେ ଯୁବରାଜ ସିଂ ଏକ ବଡ ଭୂମିକା ଗ୍ରହଣ କରିଥିଲେ । ଯୁବରାଜଙ୍କୁ ମ୍ୟାନ ଅଫ୍‌ ଦି ଟୁର୍ଣ୍ଣାମେଣ୍ଟ ଘୋଷଣା କରାଯାଇଥିଲା । ସେ ଅଲ୍‌ରଉଣ୍ଡର ଭାବେ ୩୬୨ ରନ୍‌ କରିବାସହ ୧୫ଟି ଓ୍ୱିକେଟ୍‌ ନେଇଥିଲେ । ସେ ୪୦ଟି ଟେଷ୍ଟ, ୩୦୪ଟି ଦିନିକିଆ ଓ ୫୮ଟି ଅନ୍ତର୍ଜାତୀୟ ଟ୍ୱେଣ୍ଟି-୨୦ ମ୍ୟାଚ୍ ଖେଳିଛନ୍ତି ।

୪୦ଟି ଟେଷ୍ଟରେ ୬୨ ପାରିରେ ସେ ୧୯୦୦ ରନ୍‌ କରିଥିଲେ , ଯେଉଁଥିରେ ତାଙ୍କର ୩ଟି ଶତକ ଓ ୧୧ଟି ଅର୍ଦ୍ଧ ଶତକ ସାମିଲ ରହିଛି । ସେହିପରି ୩୦୪ଟି ଦିନିକିଆରେ ୮୭୦୧ ରନ୍‌ କରିଥିଲେ । ଏଥିରେ ୧୪ଟି ଶତକ ୫୨ଟି ଅର୍ଦ୍ଧ ଶତକ ରହିଛି । ସେ ୫୮ଟି ଟ୍ୱେଣ୍ଟି-୨୦ରେ ୧୧୭୭ ରନ୍‌ କରିଛନ୍ତି । ସେ ଟେଷ୍ଟ ମ୍ୟାଚରେ ୯ଟି ଦିନିକିଆରେ ୧୧୧ଟି ଓ ଟ୍ୱେଣ୍ଟି-୨୦ରେ ୨୮ଟି ଓ୍ୱିକେଟ୍‌ ନେଇଛନ୍ତି ।
୨୦୧୭ ପରଠାରୁ ତାଙ୍କୁ ଭାରତୀୟ ଟିମ୍‌ରେ ଚୟନ କରାଯାଇ ନଥିଲା । ପରେ ସେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଥିଲେ । ଅବସର ଘୋଷଣା ସମୟରେ ସେ ନିଜକୁ ସମ୍ଭାଳି ନପାରି କାନ୍ଦି ପକାଇଥିଲେ ଏବଂ କୋହ ଭରା କଣ୍ଠରେ ତାଙ୍କ ଜୀବନର ଅନେକ କଥା ସେୟାର କରିଥିଲେ। ସେହି ସମୟରେ ତାଙ୍କ ମାଆ ଶବନମ ମଧ୍ୟ ନିଜ କୋହ ସମ୍ଭାଳି ନପାରି କାନ୍ଦି ପକାଇଥିଲେ।

Comments are closed.