ଜନ୍ମଦିନ ବିଶେଷ : ସେନାରେ ଭର୍ତ୍ତି ହେବାକୁ ଚାହୁଁଥିଲେ ହେଲେ ସଫଳ କ୍ରିକେଟର

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ ଦଳର ଦ୍ରୁତ ବୋଲର ଉମେଶ ଯାଦବ ଶୁକ୍ରବାର ୩୨ବର୍ଷ ବୟସରେ ପଦାର୍ପଣ କରିଛନ୍ତି। ଉମେଶଙ୍କ ଜନ୍ମଦିନ ଅବସରରେ ତାଙ୍କୁ ସାଥି କ୍ରିକେଟରମାନେ ଏବଂ ବିସିସିଆଇ ପକ୍ଷରୁ ଶୁଭେଚ୍ଛାର ସୁଅ ଛୁଟିଛି। ୧୯୮୭ମସିହା ଅକ୍ଟୋବର ୨୫ତାରିଖରେ ଉତ୍ତର ପ୍ରଦେଶର ଦେଓରିଆରେ ଏକ ଗରିବ ପରିବାରରେ ଉମେଶ ଜନ୍ମଗ୍ରହଣ କରିଥିଲେ। ଉମେଶଙ୍କ ପିତା ନାଗପୁର ନିକଟ ଖାପରଖେଡା ଅଞ୍ଚଳରେ ଥିବା ଓ୍ବେଷ୍ଟର୍ଣ୍ଣ କୋଲ ଲିମିଟେଡ୍‌ର କୋଇଲା ଖଣିରେ ଶ୍ରମିକ ଭାବେ କାର୍ଯ୍ୟ କରୁଥିଲେ। ଉମେଶଙ୍କ ପିଲାଦିନ ଏହିଠାରେ ହିଁ କଟିଥିଲା। ଉମେଶଙ୍କ ପରିବାର କହିଲେ ବାପା ଓ ମାଆ, ତାଙ୍କୁ ମିଶାଇ ଦୁଇ ଭାଇ ଏବଂ ଦୁଇ ଭଉଣୀ ଥିଲେ। ତାଙ୍କ ବାପା ସବୁବେଳେ ଚାହିଁଥିଲେ ତାଙ୍କ ପିଲାମାନେ ଅଧିକ ପାଠ ପଢନ୍ତୁ ଏବଂ ଭଲ ସରକାରୀ ଚାକିରି କରନ୍ତୁ। ଶ୍ରମିକ ଭାବେ ପିତାଙ୍କୁ କାମ କରୁଥିବାର ଦେଖି ଉମେଶ ସବୁବେଳେ ପିଲାବେଳୁ କିଛି ନା କିଛି କରିବାକୁ ଚାହୁଁଥିଲେ। ସେ ପୁଲିସ କିମ୍ବା ସେନାରେ ଭର୍ତ୍ତି ହେବାକୁ ଚାହୁଁଥିଲେ । ମାତ୍ର ଭାଗ୍ୟ ତାଙ୍କୁ ଆଉଁ କେଉଠି ନେଇ ପହଞ୍ଚାଇବାର ଥିଲା। ସେ ପିଲାବେଳୁ କ୍ରିକେଟ ଖେଳୁ ଖେଳୁ ତାଙ୍କର ଅଧିକ ଆଗ୍ରହ କ୍ରିକେଟରେ ଲାଗିଥିଲା। କ୍ରିକେଟ ଖେଳିବା ତାଙ୍କୁ ବେଶ୍ ଆନନ୍ଦ ମଧ୍ୟ ଦେଉଥିଲା। ପରେ ପରେ ସେ କ୍ରିକେଟରେ ଅଧିକରୁ ଅଧିକ ସମୟ ଦେବାକୁ ଲାଗିଲେ। ପରେ ୨୦ ବର୍ଷ ବୟସରେ ସେ ପ୍ରଥମ ଶ୍ରେଣୀ କ୍ରିକେଟ ଖେଳିବା ଆରମ୍ଭ କଲେ। ସେ ବିଦର୍ଭ ପାଇଁ ରଣଜୀ ଖେଳିବା ଆରମ୍ଭ କରିଥିଲେ। ପ୍ରଥମ ଶ୍ରେଣୀ କ୍ରିକେଟରେ ତାଙ୍କର ଭଲ ପ୍ରଦର୍ଶନ ପାଇଁ ତାଙ୍କୁ ୨୦୦୮ରେ ଇଣ୍ଡିଆନ ପ୍ରିମିୟମ ଲିଗ(ଆଇପିଏଲ)ରେ ଦିଲ୍ଲୀ ଡେୟାର ଡେଭିଲ୍ସ ପକ୍ଷରୁ ଖେଳିବାର ସୁଯୋଗ ମିଳିଥିଲା। ତାଙ୍କୁ ୧୮ଲକ୍ଷ ଟଙ୍କାରେ ଦିଲ୍ଲୀ କିଣିଥିଲା। ଏହାପରେ ସେ ଆଉ ପଛକୁ ଫେରି ଚାହିଁନଥିଲେ। ଗୋଟିଏ ପରେ ଗୋଟିଏ ସଫଳତାର ପାହାଚ ଅତିକ୍ରମ କରିବାକୁ ଲାଗିଲେ। ଆଇପିଏଲରେ ଉତ୍ତମ ପ୍ରଦର୍ଶନ ପାଇଁ ତାଙ୍କୁ ୨୦୧୦ରେ ଏକଦିବସୀୟ ଏବଂ ୨୦୧୧ରେ ଭାରତୀୟ ଟେଷ୍ଟ ଦଳରେ ଖେଳିବାର ସୁଯୋଗ ମିଳିଥିଲା। ତାଙ୍କର ଖଠିନ ପରିଶ୍ରମ, ଦୃଢ ଇଛା ଶକ୍ତି ଏବଂ ଅଧ୍ୟବ୍ୟସାୟ ବଳରେ ସେ ଆଜି ଭାରତୀୟ କ୍ରିକେଟ ଦଳର ଜଣେ ଷ୍ଟାର କ୍ରିକେଟର ଭାବରେ ସୁପରିଚିତ ହୋଇପାରିଛନ୍ତି। ଉମେଶ ଯାଦବ ଭାରତ ପକ୍ଷରୁ ୪୩ଟି ଟେଷ୍ଟ, ୭୫ଟି ଏକଦିବସୀୟ ଏବଂ ୭ଟି ଟ୍ବେଣ୍ଟି-୨୦ମ୍ୟାଚ୍ ଖେଳିଛନ୍ତି। ସେ ୪୩ଟି ଟେଷ୍ଟରେ ୬୦ଟି ୱିାକେଟ ନେଇଛନ୍ତି। ସେହିପରି ୭୫ଟି ଏକଦିବସୀୟ ମ୍ୟାଚ ଖେଳି ୧୦୬ଟି ୱିକେଟ ଓ ୭ଟି ଟ୍ବେଣ୍ଟି-୨୦ରେ ୯ଟି ୱିକେଟ୍ ନେଇଛନ୍ତି।

Comments are closed.