ଏହି ମନ୍ଦିରରେ ହନୁମାନ ନାରୀ ରୂପେ ପୂଜା ପାଇଥାନ୍ତି

0

ସମଗ୍ର ଭାରତବର୍ଷରେ ହନୁମାନଙ୍କର ଅନେକ ପ୍ରକାରର ମନ୍ଦିର ରହିଛି। କିନ୍ତୁ ଭାରତରେ ହନୁମାନଙ୍କର ଏପରି ଏକ ମନ୍ଦିର ଅଛି ଯାହା ଅନ୍ୟ ମନ୍ଦିର ଠାରୁ ଅଲଗା ଅଟେ। ସଂସାରରେ ଏପରି ଏକମାତ୍ର ହନୁମାନଙ୍କ ମନ୍ଦିର ରହିଛି ଯେଉଁଠାରେ ହନୁମାନଙ୍କୁ ନାରୀ ରୂପେ ପୂଜା କରାଯାଉଥିବାର ଦେଖାଯାଏ। ଏହି ମନ୍ଦିର ଛତିଶଗଡ଼ର ରତନପୁର ଗ୍ରାମରେ ଅବସ୍ଥିତ। ଏଠାରେ ହନୁମାନଙ୍କ ନାରୀ ପ୍ରତିମା ପୂଜା କରାଯାଇଥାଏ। କୁହାଯାଇଛି ଯେ, ଏହି ମନ୍ଦିର ୧୦ ହଜାର ବର୍ଷ ପୁରାତନ ଅଟେ। ଭକ୍ତ ଶ୍ରଦ୍ଧାର ସହ ଏଠାରେ ପୂଜା କରିବା ଦ୍ୱାରା ଦୁଃସାଧ୍ୟ ରୋଗରୁ ମୁକ୍ତି ପାଇଥାନ୍ତି ଏବଂ ସମସ୍ତ ମନୋକାମନା ମଧ୍ୟ ପୂର୍ଣ୍ଣ ହୋଇଥାଏ।ମୂର୍ତ୍ତି ସ୍ଥାପନର କିମ୍ବଦନ୍ତୀ : ହନୁମାନଙ୍କୁ ନାରୀ ରୂପେ ପୂଜା କରିବା ପଛରେ ଏକ କିମ୍ବଦନ୍ତୀ ରହିଛି। ଲୋକକଥା ଅନୁଯାୟୀ, ପ୍ରାଚୀନ କାଳରେ ରତନପୁରରେ ପୃଥ୍ୱୀ ଦେବଜୁ ନାମରେ ଜଣେ ରାଜା ଥିଲେ। ସେ ହନୁମାନଙ୍କର ପରମ ଭକ୍ତ ଥିଲେ। ତାଙ୍କୁ ଥରେ କୁଷ୍ଠ ରୋଗ ହୋଇଥିଲା। ପ୍ରଭୁ ହନୁମାନ ତାଙ୍କ ସ୍ୱପ୍ନରେ ଆସି ଏକ ମନ୍ଦିର ପ୍ରତିଷ୍ଠା କରିବାକୁ କହିଥିଲେ। ହନୁମାନଙ୍କ ପ୍ରତିମୂର୍ତ୍ତି ରତନପୁରସ୍ଥିତ ମହାମାୟା କୁଣ୍ଡରୁ ବାହାର କରି ମନ୍ଦିରରେ ସ୍ଥାପନ କରିବାକୁ ଆଦେଶ ଦେଇଥିଲେ। ଏହି ପ୍ରତିମା ନାରୀ ରୂପେ ଥିଲା। ପ୍ରଭୁ ହନୁମାନଙ୍କ ଆଦେଶ ଅନୁସାରେ ଏହି ମନ୍ଦିର ସ୍ଥାପିତ ହୋଇଥିଲା। ସେହିଦିନ ଠାରୁ ହନୁମାନଙ୍କ ନାରୀ ପ୍ରତିମା ସେଠାରେ ପୂଜା ପାଉଛନ୍ତି। ମନ୍ଦିର ପ୍ରତିଷ୍ଠା ପରେ ରାଜା ସମ୍ପୁର୍ଣ୍ଣ ଭଲ ହୋଇଯାଇଥିଲେ।
ଏହି ନାରୀ ରୂପୀ ହନୁମାନଙ୍କ ପ୍ରତିମା ଦକ୍ଷିଣାମୁଖୀ ଅଟେ। ହନୁମାନଙ୍କ ବାମ କାନ୍ଧରେ ରାମ ଓ ଦକ୍ଷିଣ କାନ୍ଧରେ ଲକ୍ଷ୍ମଣ ବିରାଜମାନ କରିଛନ୍ତି। ହନୁମାନଙ୍କ ପାଦ ତଳେ ଦୁଇ ଜଣ ରାକ୍ଷସ ଦବି ହୋଇଛନ୍ତି।
ମନ୍ଦିର ଯିବା ପାଇଁ ରାସ୍ତା: ଏହି ମନ୍ଦିରକୁ ଯିବା ନିମନ୍ତେ ରେଳଗାଡି ଓ ବସର ବ୍ୟବସ୍ଥା ରହିଛି।

Leave A Reply